ନାଥୁରାମ ଗୋଡେସଙ୍କ ନେଇ ରାଜନୀତି ଏବେ ପୂରା ସରଗରମ । ନିକଟରେ ଅଭିନେତାରୁ ରାଜନେତା ସାଜିଥିବା କମଲ ହାସନ ନାଥୁରାମ ଗୋଡ୍ସେଙ୍କୁ ଦେଶର ପ୍ରଥମ ହିନ୍ଦୁ ଆତଙ୍କବାଦୀ କହି ବିବାଦକୁ ଆସିଥିବାବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସାଧ୍ବୀ ପ୍ରଜ୍ଞା । ମାଲେଗାଓଁ ବିସ୍ଫୋରଣ ମାମଲା ଅଭିଯୁକ୍ତ ତଥା ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ଼ସେଙ୍କୁ ଦେଶଭକ୍ତ କହି ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ସାଧ୍ୱୀ ପ୍ରଜ୍ଞା ଗୁରୁବାର କହିଛନ୍ତି ଯେ ନାଥୁରାମ ଗୋଡ଼ସେ ଦେଶଭକ୍ତ ଥିଲେ, ଦେଶଭକ୍ତ ଅଛନ୍ତି ଓ ଦେଶଭକ୍ତ ରହିବେ। ତାଙ୍କୁ ଆତଙ୍କବାଦୀ କହୁଥିବା ଲୋକ ନିଜକୁ ଦେଖନ୍ତୁ। ଏହି ନିର୍ବାଚନରେ ଏଭଳି ଲୋକଙ୍କୁ ଜବାବ ଦିଆଯିବ। ସାଧ୍ବୀଙ୍କ ଏପରି ବୟାନକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସର ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା କହିଛନ୍ତି ଯେ, ଏବେ ପୂରା ସଫା ଜଣାପଡୁଛି ଯେ, ନାଥୁରାମ ଗୋଡସେ ହେଉଛନ୍ତି ବିଜେପିର ବଂଶଜ । ନାଥୁରାମଙ୍କୁ ଦେଶଭକ୍ତ କହୁଥିବାବେଳେ ହେମନ୍ତ କରକରେଙ୍କୁ ଦେଶଦ୍ରୋହୀ କହୁଛନ୍ତି ବିଜେପି । ହିଂସାର ସଂସ୍କୃତି ଓ ଶହୀଦଙ୍କ ଅପମାନ ହେଉଛି ବିଜେପିର ଡିଏନ୍ଏ । ଅପରପକ୍ଷରେ ବିଜେପି ସାଧ୍ୱୀଙ୍କ ମନ୍ତବ୍ୟଠାରୁ ନିଜକୁ ଅଲଗା କରିଦେଇଛି। ବିଜେପି ମୁଖପାତ୍ର ଜେଭି ଏଲ ନରସିହ୍ମା କହିଛନ୍ତି ଯେ ବିଜେପି ସାଧ୍ୱୀ ପ୍ରଜ୍ଞାଙ୍କ ମନ୍ତବ୍ୟ ସହ ସହମତ ନୁହେଁ। ସେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବା ଉଚିତ ବୋଲି ବିଜେପି କହିଛି । ଭୋପାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କ ସହ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମଇ ୧୨ରେ ଏହି ଆସନ ପାଇଁ ମତଦାନ ହୋଇସାରିଛି।
ପ୍ରଜ୍ଞାଙ୍କ ବିବାଦୀୟ ବୟାନ : ଗୋଡ୍ସେ ହେଉଛନ୍ତି ଦେଶଭକ୍ତ
Published:
May 16, 2019, 6:19 pm IST
Tags: