୧୪ ଭାରତୀୟ ଭାରତ୍ତୋଳକ ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଜଣାପଡିଛି । ଓ୍ବାଡା ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ଭାରତ୍ତୋଳକ ମାନେ ଓଷ୍ଟ୍ରେନ୍ (ଏନୋବୋସାର୍ମ) ନାମକ ନିଷିଦ୍ଧ ଡ୍ରଗ୍ସ ସେବନ କରିଛନ୍ତି । ଓ୍ବାଡା ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଏହି ଭାରତ୍ତୋଳନକାରୀଙ୍କ ମଧ୍ୟରେ୨୦୧୦ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣପଦକ ବିଜେତା ଜଣେ ଭାରତ୍ତୋଳକ ମଧ୍ୟ ରହିଛନ୍ତି । ଚଳିତ ଫେବୃୟାରୀରେ ଅନୁଷ୍ଠିତ ହୋଇଥିବା ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଏହି ପ୍ରତିଯୋଗୀ ମାନଙ୍କୁ ଚିହ୍ନଟ କରାଯାଇଛି । ସମୁଦାୟ ୨୬ଜଣ ପ୍ରତିଯୋଗୀଙ୍କ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ତା ଭିତରୁ ୧୪ଜଣ ପ୍ରତିଯୋଗୀ ଧରା ପଡିବା ନିହାତି ଲଜ୍ଜାଜନକ ବିଷୟ ବୋଲି ନାଡା ପକ୍ଷରୁ କୁହାଯାଇଛି । ପ୍ରତିଯୋଗୀଙ୍କ ନାମ ଗୋପନ ରଖାଯାଇଥିବା ବେଳେ ପଜିଟିଭ୍ ସାବ୍ୟସ୍ତ ହୋଇଥିବା ସମସ୍ତଙ୍କୁ କ୍ୟାମ୍ପ ଛାଡିବାକୁ ଫେଡେରେସନ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ତାଲିକାରେ ରେଲଓ୍ବେ ଏବଂ ସର୍ଭିସେସ୍ର କିଛି ପ୍ରତିଯୋଗୀ ମଧ୍ୟ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ଓଷ୍ଟ୍ରେନ୍ ବା ଏନୋବୋସାର୍ମକୁ ନିଷିଦ୍ଧ ଡ୍ରଗ୍ ତାଲିକାରେ ସାମିଲ କରିଥିଲା ଓ୍ବାଡା ।