ଇଣ୍ଡୋନେସିଆ ରାଷ୍ଟ୍ରପତି ନିର୍ବାଚନରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜୋକେ ୱିଡୋଡୋ ବିଜୟୀ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡୋନେସିଆ ପାର୍ଟି ଅଫ ଷ୍ଟ୍ରଗଲର ସଦସ୍ୟ ୱିଡୋଡୋ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସାବୁୟାଁତୋଙ୍କୁ ପରାସ୍ତ କରିଛନ୍ତି। ୧୭ ଅପ୍ରେଲରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଘୋଷଣା ବୁଧବାର ହେବାର ଥିଲା। ମାତ୍ର ହିଂସା ଏବଂ ବିରୋଧ ପ୍ରଦର୍ଶନ ଆଶଙ୍କାରେ ନିର୍ବାଚନ ଆୟୋଗ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ନିର୍ବାଚନ ରେଜଲ୍ଟ ପ୍ରକାଶ କରିଛନ୍ତି। ନିର୍ବାଚନ ଆୟୋଗ ଏଥିପାଇଁ ଆଗୁଆ ନୋଟିସ୍ ଜାରି କରିଥିଲେ। ୨୦୧୪ ରାଷ୍ଟ୍ରପତି ନିର୍ବାଚନରେ ସାବୁୟାଁତୋ ୱିଡୋଡୋଙ୍କ ନିକଟରୁ ପରାସ୍ତ ହୋଇଥିଲେ। ଇଣ୍ଡୋନେସିଆରେ ୧୯ କୋଟିରୁ ଅଧିକ ଭୋଟର ଅଛନ୍ତି। ଏହି ନିର୍ବାଚନରେ ୨ ଲକ୍ଷ ୪୫ ହଜାର ଲୋକ ବିଭିନ୍ନ ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ। ଏହି ନିର୍ବାଚନରେ ସାବୁୟାଁତୋ ହେରଫେର ହୋଇଥିବାର ଅଭିଯୋଗ ଆଣିଛନ୍ତି। ସେ ନିର୍ବାଚନ ଫଳାଫଳ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି। ଭାରତ ଓ ଆମେରିକା ପରେ ଇଣ୍ଡୋନେସିଆ ହେଉଛି ବିଶ୍ୱର ତୃତୀୟ ବଡ଼ ଗଣତାନ୍ତ୍ରିକ ଦେଶ।