Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜସ୍ଥାନର ଉଦୟପୁରରେ ଜି-୨୦ ଶେର୍ପା ବୈଠକର ଦ୍ୱିତୀୟ ଦିନ
ଆଜିର ଖବର

ରାଜସ୍ଥାନର ଉଦୟପୁରରେ ଜି-୨୦ ଶେର୍ପା ବୈଠକର ଦ୍ୱିତୀୟ ଦିନ

December 5, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁର ଠାରେ ଜି୨୦ ଶେର୍ପା ବୈଠକ ଅନୁଷ୍ଠିତ ହେଉଛି। ଏହି ଚାରି ଦିନିଆ ବୈଠକ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଡିସେମ୍ବର ୫ ତାରିଖ ଥିଲା ବୈଠକର ଦ୍ୱିତୀୟ ଦିବସ। ଏଥିରେ ଭାରତର ଜି୨୦ ଅଧ୍ୟକ୍ଷତାର ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ପ୍ରଥମ ଦୁଇଟି ଅଧିବେଶନରେ ‘ପ୍ରଯୁକ୍ତିଗତ ପରିବର୍ତ୍ତନ’ ଏବଂ ‘ସବୁଜ ବିକାଶ ଓ ପରିବେଶ ପାଇଁ ଜୀବନଶୈଳୀ’ (ଲାଇଫ) ଉପରେ ଆଲୋଚନା କରାଯାଇଥିଲା। ଏହାପରେ ‘ଜାଗତିକ ଓ କ୍ଷେତ୍ରୀୟ ଅର୍ଥବ୍ୟବସ୍ଥା : ପରିଦୃଶ୍ୟ ଓ ଆହ୍ବାନ’ ବିଷୟରେ ବିଚାରବିମର୍ଶ କରାଯାଇଥିଲା। ଏତଦ୍‌ବ୍ୟତୀତ ଜି୨୦ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏକ ଅନୌପଚାରିକ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଭାରତର ଜି୨୦ ଶେର୍ପା ଅମିତାଭ କାନ୍ତ ୧୩ଟି କାର୍ଯ୍ୟ ଗୋଷ୍ଠୀ ମଧ୍ୟରେ ଭାରତର ଜି୨୦ ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ। ଏହା ଉପରେ ପ୍ରଥମ ଶେର୍ପା ବୈଠକରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଅମିତାଭ କାନ୍ତ ବିକାଶଶୀଳ ଓ ବିକଶିତ ରାଷ୍ଟ୍ରକୁ ଅଧିକ ମହତ୍ବ ଦେବାରେ ଭାରତର ଭୂମିକା ଏବଂ ବିକାଶଶୀଳ ରାଷ୍ଟ୍ର ଓ ଆଧୁନିକ ଅର୍ଥବ୍ୟବସ୍ଥା ମଧ୍ୟରେ ସଫଳ ସହଭାଗିତା ଉପରେ ଭାରତର ପ୍ରାଥମିକତା ନେଇ ଆଲୋଚନା କରିଥିଲେ। ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠ୍‌ ବର୍ତ୍ତମାନ ସମୟରେ ବିଶ୍ବ ସମ୍ମୁଖିନ ହେଉଥିବା ଆର୍ଥିକ ଆହ୍ବାନ ଉପରେ ଆଲୋକପାତ କରିଥିଲେ ଏବଂ ଏହାର ସମାଧାନ ଦିଗରେ ଜି-୨୦ ରାଷ୍ଟ୍ର ଗୋଷ୍ଠୀର ମିଳିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ।

ଏହାପରେ ପ୍ରଯୁକ୍ତିଗତ ପରିବର୍ତ୍ତନକୁ ନେଇ ଏକ ଅଧିବେଶନରେ ଆଲୋଚନା କରାଯାଇଥିଲା। ଏଥିସହିତ ଡିଜିଟାଲ ଅର୍ଥବ୍ୟବସ୍ଥା ଉପରେ କାର୍ଯ୍ୟ ଗୋଷ୍ଠୀ, ସ୍ବାସ୍ଥ୍ୟ ଓ ଶିକ୍ଷା ଆଦି ବିଷୟରେ ବିଚାରବିମର୍ଶ ହୋଇଥିଲା। ବୈଠକରେ ଯୋଗ ଦେଇଥିବା ଅନ୍ତର୍ଜାତୀୟ ପ୍ରତିନିଧିମାନେ ସେମାନଙ୍କ ଦେଶରେ ଦ୍ରୁତ ଡିଜିଟାଲକରଣ କ୍ଷେତ୍ରରେ ରହିଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ବିଭିନ୍ନ ମାର୍ଗରେ ପ୍ରଯୁକ୍ତିର ଶକ୍ତି ଉପଯୋଗ କରିବା ଲାଗି ଆବଶ୍ୟକ ହସ୍ତକ୍ଷେପ ବିଷୟରେ ଜି୨୦ ରାଷ୍ଟ୍ରଗୋଷ୍ଠୀର ପ୍ରତିନିଧି, ନିମନ୍ତ୍ରିତ ଅତିଥିମାନେ ଗୁରୁତ୍ବାରୋପ କରିଥିଲେ। ସାଇବର ସୁରକ୍ଷା ଉପରେ ଗୁରୁତ୍ବାରୋପ, ପ୍ରଯୁକ୍ତି ସେବା, ଭିତ୍ତିଭୂମି ଓ ଡିଜିଟାଲ କୌଶଳର ପ୍ରସାରରେ ସମାବେଶୀତା ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା।

ଦ୍ୱିତୀୟ ଅଧିବେଶନରେ ‘ସବୁଜ ବିକାଶ ଓ ପରିବେଶ ପାଇଁ ଜୀବନଶୈଳୀ (ଲାଇଫ) ଉପରେ ଆଲୋଚନା କରାଯାଇଥିଲା। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ରଭାବୀ ରଣନୀତି ପ୍ରସ୍ତୁତ କରିବା କ୍ଷେତ୍ରରେ ମିଳିତ ପ୍ରୟାସ ଉପରେ ଗୁରୁତ୍ବାରୋପ କରାଯାଇଥିଲା।  ଭାରତର ଜି୨୦ ଶେର୍ପା ଏହି ଅଧିବେଶନରେ ଅଂଶଗ୍ରହଣ କରି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବା କ୍ଷେତ୍ରରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବାରୋପ କରିଥିଲେ। ବିକଳ୍ପ ଶକ୍ତି ଉତ୍ସ ଦିଗରେ ପରିବର୍ତ୍ତନ, ଜଳବାୟୀ ଦୀର୍ଘସ୍ଥାୟିତ୍ବ କାର୍ଯ୍ୟଗୋଷ୍ଠୀ, ବିପର୍ଯ୍ୟୟ ବିପତ୍ତି ସହନଶୀଳତା ଓ ହ୍ରାସ କାର୍ଯ୍ୟଗୋଷ୍ଠୀ ଆଦି ବିଷୟରେ ଏହି ଅଧିବେଶନରେ ଆଲୋଚନା କରାଯାଇଥିଲା। ସଦସ୍ୟ ରାଷ୍ଟ୍ରମାନେ ଭାରତର ‘ଲାଇଫ’ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଏ ଦିଗରେ ଭବିଷ୍ୟତ ପ୍ରୟାସ ପାଇଁ ସମର୍ଥନ ଘୋଷଣା କରିଥିଲେ।

‘ଜାଗତିକ ଓ କ୍ଷେତ୍ରୀୟ ଅର୍ଥବ୍ୟବସ୍ଥା: ପରିଦୃଶ୍ୟ ଓ ସମସ୍ୟା’ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ରଣନୀତି ଓ ନୀତି ବିଭାଗ ଉପନିର୍ଦ୍ଦେଶକ କ୍ରିଷ୍ଟିକା କୋଷ୍ଟିଆଲ ସାମ୍ପ୍ରତିକ ବିଶ୍ବର ଆର୍ଥିକ ସମସ୍ୟା ଉପରେ ଏକ ବିବରଣୀ ଉପସ୍ଥାପନ କରିଥିଲେ।  ଅନ୍ତର୍ଜାତୀୟ ଋଣ ସ୍ଥିତି ଓ ବାଣିଜ୍ୟ ବିଷୟରେ ସେ ସୂଚନା ଦେଇଥିଲେ। ବିଶ୍ବସ୍ତରୀୟ ଆର୍ଥିକ ସମସ୍ୟା ଦୂର କରିବା ଏବଂ ସହନଶୀଳ ଅର୍ଥବ୍ୟବସ୍ଥା ଉପରେ ଏହି ଅଧିବେଶନରେ ଆଲୋଚନା କରାଯାଇଥିଲା।

ଏହାପରେ ଜି୨୦ ରାଷ୍ଟ୍ରର ପ୍ରତିନିଧିମାନଙ୍କୁ ନେଇ ଜି୨୦ ଶେର୍ପା ଏକ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ଅନୌପଚାରିକ ଆଲୋଚନାରେ ଜି୨୦ ରାଷ୍ଟ୍ର ଗୋଷ୍ଠୀ ମଧ୍ୟରେ ଅଧିକ ନିବିଡ଼ ସମ୍ପର୍କ ସ୍ଥାପନ ନେଇ ଆଲୋଚନା ହୋଇଥିଲା।

ଏହାପରେ ଅନ୍ତର୍ଜାତୀୟ ପ୍ରତିନିଧିମାନେ ଉଦୟପୁରର ମାନେକ୍‌ ଚୌକକୁ ବୁଲି ଦେଖିଥିଲେ। ଏହି ଅବସରରେ ସେମାନଙ୍କୁ ପାରମ୍ପରିକ ଭାରତୀୟ ଜ୍ୟାକେଟ, ପଗଡ଼ି ଦିଆଯାଇଥିଲା।  ଶେଷରେ ଉଦୟପୁରର ଜଗମନ୍ଦିର ସ୍ଥିତ ଭବ୍ୟ ସମାରୋହ ସ୍ଥଳରେ ସେମାନଙ୍କୁ ରାତ୍ରୀଭୋଜନରେ ଆପ୍ୟାୟିତ କରାଯାଇଥିଲା।

ଜି୨୦ ପ୍ରତିନିଧିମାନେ ଏହି ବୈଠକ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା, ଐତିହାସିକ ସ୍ଥାନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ସ୍ଥଳୀ ଦେଖିବାକୁ ପାଉଛନ୍ତି। ସେମାନେ ରାଜସ୍ଥାନୀ କଳା ଓ ସଂସ୍କୃତି ବିଷୟରେ ପରିଚିତ ହେଉଛନ୍ତି। ଐତିହାସିକ ସହର ଉଦୟପୁରରେ ଧଳା ମାର୍ବଲ ପଥର ନିର୍ମିତ ସ୍ଥାପତ୍ୟ ଅନ୍ତର୍ଜାତୀୟ ପ୍ରତିନିଧି, ଅତିଥିମାନଙ୍କୁ ପ୍ରଭାବିତ କରୁଛି।

ସୂଚନାଯୋଗ୍ୟ ଯେ ଗତକାଲି ଜି୨୦ ଶେର୍ପା ବୈଠକର ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ, ଆଲୋଚନା ଏବଂ ଅତିଥି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାଛଡ଼ା ଏକ ଅନୌପଚାରିକ ଗଣମାଧ୍ୟମ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ : ୨୦୩୦ ଏଜେଣ୍ଡାର ମଧ୍ୟଭାଗରେ ଜୀବନଧାରାରେ ପରିବର୍ତ୍ତନ’ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାଛଡ଼ା ବିଭିନ୍ନ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଜି୨୦ ପ୍ରଥମ ଶେର୍ପା ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ୯ଟି ଅତିଥି ରାଷ୍ଟ୍ର ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଛନ୍ତି ।

ଉଦୟପୁର ଜି-୨୦ ଦ୍ୱିତୀୟ ଦିନ ରାଜସ୍ଥାନ ଶେର୍ପା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025

ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରାସରଣ ଚର୍ଚ୍ଚା ଭିତରେ ଦିଲ୍ଲୀ କାହିଁକି ଗଲେ ବିଜେପି ସଭାପତି ମନମୋହନ ସାମଲ

July 22, 2025
Latest News

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025

ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରାସରଣ ଚର୍ଚ୍ଚା ଭିତରେ ଦିଲ୍ଲୀ କାହିଁକି ଗଲେ ବିଜେପି ସଭାପତି ମନମୋହନ ସାମଲ

July 22, 2025

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.