ଚାକିରୀ କରେଇଦେବା ନାମରେ ଠକେଇ ମାମଲା: ବାଣପୁରରୁ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

Published: Jan 30, 2023, 9:09 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଚାକିରୀ କରେଇଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଅଭିଯୁକ୍ତଙ୍କୁ ବାନ୍ଧିଲା ଭୁବନେଶ୍ୱର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ବାଣପୁର ଥାନା ନଛିପୁର ଗ୍ରାମର ବାଦଲ ଦାସ।

ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ଆଇଆଇସି ରଶ୍ମିତା ଜେନାଙ୍କ ସୂଚନା ମୁତାବକ ନିକଟରେ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳର ଜଣେ ଯୁବତୀ ବାଦଲଙ୍କ ବିରୁଦ୍ଧରେ ସାଇବର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ମୁତାବକ ବାଦଲ ଫେସବୁକରେ ଓଡ଼ିଶା ଜବ ସର୍ଭିସ ନାମକ ଏକ ନକଲି ପ୍ରୋଫାଇଲ ଖୋଲି ଏମ୍ସ ହସ୍ପିଟାଲ ରେ ଚାକିରୀ କରେଇଦେବା ନାମରେ ଆଶାୟୀଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ଲୁଟୁଥିଲେ। ଏ ନେଇ ଜଣେ ଯୁବକ ବାଦଲଙ୍କ ଆକାଉଣ୍ଟକୁ ୨୫ ହଜାର ଟଙ୍କା ଏବଂ ସମ୍ପୃକ୍ତ ଯୁବତୀ ଜଣକ ୨ ଲକ୍ଷ ୨୮ ହଜାର ୫୦୦ ଟଙ୍କା ଟ୍ରାନ୍ସଫର କରିଥିଲେ।

ତେବେ ଏହା ନକଲି ଚାକିରୀ ଜାଣିବାରୁ ପୀଡ଼ିତାଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା କେସ ନମ୍ବର ୧୨/୨୩ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ବାଣପୁର ନଛିପୁର ଗ୍ରାମରେ ଚଢ଼ାଉ କରି ବାଦଲ ଓ ତାଙ୍କ ପତ୍ନୀଙ୍କୁ ଉଠାଇ ନେଇଥିଲା।

ତେବେ ଆଜି ବାଦଲ ଓ ତାଙ୍କ ୩ ସହଯୋଗୀ ଗିରଫ ହୋଇଥିବା ଆଇଆଇସି ଶ୍ରୀମତୀ ଜେନା କହିଛନ୍ତି । ତାଙ୍କ ନିକଟରୁ ଗୋଟିଏ ଲାପଟପ, ନକଲି ନିଯୁକ୍ତି ପତ୍ର, ୩ ଗୋଟି ମୋବାଇଲ ଫୋନ, ୮୦ ହଜାର ନକଦ ଟଙ୍କା ଆଦି ଜବତ ହୋଇଥିବା ବେଳେ ୩ ଗୋଟି ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଥିବା ଜଣାପଡିଛି।

Related posts