ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ସଦର ମହକୁମାସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ବର୍ଣ୍ଣାଢ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଉପଖଣ୍ଡର ୧୬୯ ଜଣ ତୀର୍ଥଯାତ୍ରୀଙ୍କ ବାରଣାସୀ-ଅଯୋଧ୍ୟା ଆଧ୍ୟାତ୍ମିକ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଯାତ୍ରୀମାନେ ଦିବ୍ୟ ଅନୁଭୂତି ସହ କୁଶଳ ମଙ୍ଗଳରେ ପ୍ରତ୍ୟାବର୍ତ୍ତନ କରନ୍ତୁ ବୋଲି ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଥିଲେ ଯେ, ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଏକ ଅଭିନବ ଯୋଜନା ଅଟେ। ଏହି ଯୋଜନାରେ ବରିଷ୍ଠ ନାଗରିକ ମାନେ ରାଜ୍ୟ ବାହାରକୁ ତୀର୍ଥ ଭ୍ରମଣରେ ଯାଇ ପରିଣତ ବୟସରେ ସେମାନେ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭୂତି ପାଇବା ସହ ଭକ୍ତି ଭାବ ଜାଗ୍ରତ ହୋଇ ନିଜ ପରିବାର, ସମାଜ, ଜିଲ୍ଲା, ରାଜ୍ୟ ତଥା ଭାରତ ବର୍ଷର ସୁଖ ସମୃଦ୍ଧି ମହାପ୍ରଭୁଙ୍କ ନିକଟରେ କାମନା କରନ୍ତୁ ବୋଲି ଆହ୍ଵାନ ଦେଇ ସେମାନଙ୍କ ଯାତ୍ରାର ମଙ୍ଗଳ କାମନା କରିଥିଲେ।
ସମ୍ମାନିତ ଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଯୋଗଦେଇ ସମସ୍ତ ଯାତ୍ରୀଙ୍କ ମଙ୍ଗଳ କାମନା କରିଥିଲେ। ଶେଷରେ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି, ସଭାପତି ଓ ସମ୍ମାନିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ସିଆରସିସି ଶ୍ରୀକାନ୍ତ ନାୟକ ମଞ୍ଚ ସଂଯୋଜନା କରିଥିଲେ।
ସମସ୍ତ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ୪ଟି ବସ୍ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ପରିଷଦ ଉପ-ସଭାପତି ଗୋପୀନାଥ ମହାରଣା, ବ୍ଲକ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁସ୍ମିତା ପ୍ରଧାନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ରିଷବ ତ୍ରିପାଠୀ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।
ସୂଚନା ଅନୁଯାୟୀ, ଯାତ୍ରୀମାନେ ଆଜି ଭୁବନେଶ୍ୱରରେ ରାତ୍ରିଯାପନ କରି ଆସନ୍ତାକାଲି ଭୁବନେଶ୍ୱର ଉପଖଣ୍ଡର ୪୨ ଜଣଙ୍କୁ ନେଇ ମୋଟ ୨୧ ଜଣ ସହ ଷଷ୍ଠ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ସ୍ୱତନ୍ତ୍ର ଟ୍ରେନରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାର ଯାତ୍ରୀମାନଙ୍କ ସହ ସାମିଲ ହୋଇ ବାରଣାସୀ-ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ।
ଯାତ୍ରୀମାନଙ୍କ ସୁଖଦ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱଦେଶ ବିଶ୍ୱାଳଙ୍କ ନେତୃତ୍ୱରେ ନିବାସ ନାୟକ, ଅରବିନ୍ଦ ନାୟକ, ସଂଗ୍ରାମ କେଶରୀ ଦାସ, ପଦ୍ମନାଭ ପ୍ରଧାନ ଏବଂ ପଦ୍ମନାଭ ମହାପାତ୍ରଙ୍କୁ ନେଇ ୬ ଜଣ ଏସ୍କର୍ଟ ଅଫିସର ନିଯୁକ୍ତ କରାଯାଇଛନ୍ତି।


