ରାହୁଲ୍‌ଙ୍କ ଇସ୍ତଫା ଦଳ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେବ : ଲାଲୁ

Published: May 28, 2019, 1:31 pm IST

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ନିଜ ପଦବୀରୁ ଇସ୍ତଫା ପାଇଁ ଅଡି ବସିଛନ୍ତି। ତେବେ ତାଙ୍କ ଇସ୍ତଫାକୁ ଅଗ୍ରାହ୍ୟ କରିଛି ସିଡବ୍ଲ୍ୟୁ ସି। ତାଙ୍କୁ ମନାଇବାରେ ଲାଗିପଡିଛନ୍ତି କଂଗ୍ରେସର ବରିଷ୍ଠ ନେତୃବୃନ୍ଦ। ତେବେ ରାହୁଲ୍‌ଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ। ସେ କହିଛନ୍ତି ଯେ, ରାହୁଲ ଗାନ୍ଧି ଇସ୍ତଫା ଦେଉଛନ୍ତି ତାହେଲେ ତାହା ଦଳ ତଥା ବିପକ୍ଷଙ୍କ ପାଇଁ ଆତ୍ମଘାତୀ ସଦୃଶ ହେବ। ବିପକ୍ଷଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଭାଜାପାକୁ ହରାଇବ, କିନ୍ତୁ ଏଥିରେ ଅସଫଳ ରହିଲୁ, ଗୋଟିଏ ନିର୍ବାଚନର ଫଳାଫଳକୁ ନେଇ ଭାରତର ବାସ୍ତବିକ ରୂପକୁ ପରିବର୍ତ୍ତିତ  କରିବା ଠିକ୍‌ ନୁହେଁ ବୋଲି ଲାଲୁ କହିଛନ୍ତି। ରାହୁଲ୍‌ ପଦରୁ ଇସ୍ତଫା ଦେବା ପରେ ସଂଘ ପରିବାର ବିରୁଦ୍ଧରେ ଲଢେଇ ଜାରି ରହିଥିବା ଛୋଟ ଛୋଟ ଦଳମାନଙ୍କୁ ଝଟ୍‌କା ଲାଗିବ। ଏଥିରେ ବିଜେପିର ଉଦ୍ଦେଶ୍ୟ ସାଧିତ ହେବ। ଏବଂ ଏହା ପରେ ଗାନ୍ଧି ପରିବାର ବ୍ୟତୀତ ଯିଏ ବି ଦଳର ସଭାପତି ହେବ ତାଙ୍କୁ ସୋନିଆ ଓ ରାହୁଲଙ୍କ ‘ରିମୋର୍ଟ କଣ୍ଟ୍ରୋଲ’ ବୋଲି ମୋଦି ଓ ଅମିତ ଶାହ କହିବେ ବୋଲି ଲାଲୁ କହିଛନ୍ତି। ତେଣୁ ବିଜେପିକୁ ଏଭଳି ସୁଯୋଗ ରାହୁଲ ନଦେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ଗୋ ଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବେ ଝାରଖଣ୍ଡର ବିର୍ଷା ମୁଣ୍ଡା ଜେଲରେ ଅଛନ୍ତି।

Related posts