ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନ

Published: May 29, 2019, 12:50 pm IST

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଥରେ ରାଜ୍ୟରେ ପଞ୍ଚମ ଥର ପାଇଁ ସରକାର ଗଠନ କରିଛନ୍ତି। ଆଜି ନବୀନ ପଟ୍ଟନାୟକ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପଞ୍ଚମଥର ପାଇଁ ନବୀନଙ୍କ ମହାଭିଷେକକୁ ନେଇ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ନରେନ୍ଦ୍ର ମୋଦି। ଟୁଇଟ୍‌ରେ ମୋଦି, ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଏବଂ ତାଙ୍କ ଟିମକୁ ଅଭିନନ୍ଦନ କରିବା ସହ ନବୀନ ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରନ୍ତୁ। ଏହାସହ କେନ୍ଦ୍ର ରାଜ୍ୟକୁ ସଂପୂର୍ଣ୍ଣ ଭାବେ ସହଯୋଗ କରିବ ବୋଲି ସେ କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଅବସରରେ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟର ଭାଗିଦାରୀ ଆବଶ୍ୟକ ବୋଲି କହିଛନ୍ତି। ଚଳିତଥର ଏହି ଶପଥଗ୍ରହଣ ବେଶ୍‌ ଭବ୍ୟ ରହିଥିଲା। ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ସେହିପରି ଆସନ୍ତା କାଲି ଅର୍ଥାତ୍‌ ମଇ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

Related posts