ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ଦାୟିତ୍ବ ଦିଆଯାଇଥିଲା। ହେଲେ ପ୍ରଫୁଲ କ୍ୟାବିନେଟ ମନ୍ତ୍ରୀ ହୋଇଥିବାରୁ ନିୟମ ଅନୁସାରେ ସେ ଆଉ ରାଷ୍ଟ୍ରମନ୍ତ୍ରୀ ହୋଇପାରିବେ ନାହିଁ। ସେଥିପାଇଁ ରାଷ୍ଟ୍ରମନ୍ତ୍ରୀ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି। ଦିବ୍ୟଶଙ୍କର ତାଙ୍କର ବିଭାଗ ଶକ୍ତି, ଶିଳ୍ପ ଏବଂ ଏମଏସଏମଇର ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ଦାୟିତ୍ବ ଭାବେ କାର୍ଯ୍ୟ କରିବେ। ହେଲେ କେବଳ ଗୃହ ବିଭାଗଟି ରାଷ୍ଟ୍ରମନ୍ତ୍ରୀ ହେବେ, ସ୍ବାଧୀନ ଭାବେ କାର୍ଯ୍ୟ କରିପାରିବେ ନାହିଁ। କାରଣ ଖୋଦ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ଗୃହ ବିଭାଗ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାହାକୁ ଦେଇ ନ ଥିଲେ। ସାଧାରଣତଃ ଗୃହ ବିଭାଗ ମୁଖ୍ୟମନ୍ତ୍ରୀମାନେ ନିଜ ହାତରେ ରଖିଥାନ୍ତି। ନବୀନଙ୍କ ପୂର୍ବରୁ କଂଗ୍ରେସ ସରକାର ସମୟରେ ପ୍ରସାଦ ହରିଚନ୍ଦନ ଗୃହମନ୍ତ୍ରୀ ହୋଇଥିଲେ। ଏହାପରେ ଏହି ବିଭାଗ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଥାଏ। ପଞ୍ଚମ ପାଳିରେ ନବୀନ ଏହି ବିଭାଗକୁ ଜଣେ ରାଷ୍ଟ୍ରମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି।