ଠକେଇ ଅଭିଯୋଗ: ବାଣପୁର ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ

Published: May 12, 2023, 11:09 am IST

ପୁରୁଷୋତ୍ତମପୁର/ବାଣପୁର: ଗତକାଲି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପୋଲିସ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଭୀମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ।

ଅଭିଯୋଗ ମୁତାବକ, ଶ୍ରୀ ବାରିକ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ରାଜେଶ କୁମାର ମୁନି (୪୧) ଙ୍କ ଠାରୁ ସର୍ବଭାରତୀୟ ବନ୍ଧୁକ ଲାଇସେନ୍ସ କରାଇଦେବା ଏବଂ ମୁମ୍ବାଇରେ ଚାକିରୀ କରାଇଦେବା କହି ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ଅନଲାଇନ ମାଧ୍ୟମରେ ୬୫ ହଜାର ଏବଂ ନକଦ ୨ ହଜାର ସମୁଦାୟ ୬୭ହଜାର ଟଙ୍କା ନେଇଥିଲେ। ତେବେ ମାସ ମାସ ଧରି ରାଜେଶଙ୍କ କୌଣସି କାମ ନହେବାରୁ ସେ ପୂର୍ଣ୍ଣଙ୍କୁ ଟଙ୍କା ଫେରାଇଦେବା ପାଇଁ କହିଥିଲେ। ପୂର୍ଣ୍ଣ ଏହାକୁ ଭୃକ୍ଷେପ ନକରି ଓଲଟା ରାଜେଶଙ୍କୁ ଧମକଚମକ ଦେଉଥିଲେ।

ଏହି ପରିପ୍ରେକ୍ଷୀରେ ରାଜେଶ ଚଳିତବର୍ଷ ଜାନୁଆରୀ ୮ ତାରିଖରେ ଏ ନେଇ ପୁରୁଷୋତ୍ତମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ କେସ ନମ୍ବର ୧୫/୨୩, ଆଇପିସି ଧାରା ୪୨୦, ୫୦୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ତେବେ ପୋଲିସ ସହ ପୂର୍ଣ୍ଣ ପୁର୍ବରୁ ଲୁଚକାଳି ଖେଳିଆସୁଥିବା ବେଳେ ଗତକାଲି ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ପୁରୁଷୋତ୍ତମପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

Related posts