ବ୍ରାଜିଲ ଫୁଟବଲ୍ ଷ୍ଟାର୍ ତଥା ପୂର୍ବତନ ଅଧିନାୟକ ନେମ୍ୟାର ତାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗତମାସରେ ବ୍ରାଜିଲ୍ର ଅଧିନାୟକ ପଦରୁ ବାହାରିଥିବା ନେମ୍ୟାର ଏହି ଖବରକୁ ମିଥ୍ୟା ବୋଲି କହିବା ସହିତ ତାଙ୍କୁ ବଦନାମ କରିବା ପାଇଁ ଏହି ଅଭିଯୋଗ ଅଣାଯାଇଛି ବୋଲି କହିଛନ୍ତି। ପ୍ୟାରିସ୍ର ଏକ ହୋଟେଲ୍ରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ ବାଢିଥିଲେ ମହିଳା ଜଣକ। ପ୍ୟାରିସ୍ ସେଣ୍ଟ ଜର୍ମାନ ପକ୍ଷରୁ ଖେଳୁଥିବା ନେମ୍ୟାର ନିଶାସକ୍ତ ଅବସ୍ଥାରେ ମହିଳାଙ୍କ ସହିତ ଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ କରିଥିଲେ ମହିଳାଙ୍କ ଓକିଲ। ଏନେଇ ରବିବାର ଏକ ସ୍ପଷ୍ଟୀକରଣ ଦେଇଛନ୍ତି ୨୭ ବର୍ଷୀୟ ନେମ୍ୟାର। ନେମ୍ୟାର କହିଛନ୍ତି, ଏପରି ଖବର ଶୁଣି ମୁଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ଚକିତ। କିଛି ଦିନ ପୂର୍ବରୁ ସାଓ ପାଓଲୋରେ ଜନୈକ ଓକିଲ ତାଙ୍କୁ କ୍ଷତିପୂରଣ ମାଗିଥିବା ନେଇ ସୂଚନା ଦେଇଛନ୍ତି ନେମ୍ୟାର। ଗଣମାଧ୍ୟମ ଏହାକୁ ନକରାତ୍ମକ ଢଙ୍ଗରେ ପ୍ରସାରଣ ନକରି ସତ୍ୟକୁ ଅପେକ୍ଷା କରୁ ବୋଲି କହିଛନ୍ତି ନେମ୍ୟାର। ମହିଳାଙ୍କ ଅଭିଯୋଗ ଅନୁଯାୟୀ ନେମ୍ୟାରଙ୍କୁ ସେ ଇନ୍ଷ୍ଟାଗ୍ରାମ ଜରିଆରେ ଭେଟିଥିଲେ। ପ୍ୟାରିସ୍ରେ ଭେଟିବା ପାଇଁ ନେମ୍ୟାର ତାଙ୍କୁ ପ୍ରସ୍ତାବ ଦେବା ସହିତ ତାଙ୍କର ସହଯୋଗୀ ଟିକଟ ପଠାଇଥିଲେ। ମାତ୍ର ହୋଟେଲ୍ ରୁମ୍ରେ ନେମ୍ୟାର ପହଞ୍ଚି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ ବୋଲି ପୀଡିତା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ହୋଟେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।