Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ମିଲେଟ ଶକ୍ତି ଦ୍ବାରା ଉତ୍ପାଦିତ ଜିନିଷର ହେବ ଆକର୍ଷୀୟ ପ୍ୟାକେଜିଂ, ହେଲା ବୁଝାମଣା
ବିଶେଷ ଖବର

ଏଣିକି ମିଲେଟ ଶକ୍ତି ଦ୍ବାରା ଉତ୍ପାଦିତ ଜିନିଷର ହେବ ଆକର୍ଷୀୟ ପ୍ୟାକେଜିଂ, ହେଲା ବୁଝାମଣା

August 31, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି ମିଲେଟ ଶକ୍ତି ଦ୍ବାରା ଉତ୍ପାଦିତ ଜିନିଷର ହେବ ଆକର୍ଷୀୟ ପ୍ୟାକେଜିଂ, ହେଲା ବୁଝାମଣା

ଭୁବନେଶ୍ୱର: ମିଲେଟ୍‌ ଶକ୍ତି ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ପ୍ୟାକେଜିଂର ମାନକୀକରଣ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ପ୍ୟାକେଜିଂ ମଧ୍ୟରେ ଏକ ତ୍ରିପାକ୍ଷିକ ରାଜିନାମା କୃଷି ଭବନଠାରେ ସ୍ୱାକ୍ଷରିତ ହୋଇଛି।

ଏହି ଭଗୀଦାରିତାର ଅବଧି ତିନି ବର୍ଷ ପାଇଁ ଅର୍ଥାତ୍‌ ୨୦୨୩ ଅପ୍ରେଲ ପହିଲାଠାରୁ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଛି। ମେମୋରାଣ୍ଡମ୍‌ ଅଫ୍‌ ଆଗ୍ରିମେଣ୍ଟରେ ଓଡ଼ିଶା ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ଶ୍ରୀ ବିନୋଦ କୁମାର ଜେନା ଏବଂ ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ପ୍ୟାକେଜିଂର ଯୁଗ୍ମ ନିର୍ଦ୍ଦେଶକ ଡ. ବାବୁରାଓ ଗୁଡ଼ୁରି ସ୍ୱାକ୍ଷର କରିଛନ୍ତି।

ଏହି ରାଜିନାମା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଆଇଆଇପିର ସହକାରୀ ନିର୍ଦ୍ଦେଶକ ଶ୍ରୀ ଶେଖର ଆମ୍ବେରକର ଏବଂ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି ।

ମିଶନ ଶକ୍ତି ଅଧିନରେ ପ୍ରୋତ୍ସାହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୃଷିଜାତ ଦ୍ରବ୍ୟ, ପ୍ରକ୍ରିୟାକୃତ ଖାଦ୍ୟ ଦ୍ରବ୍ୟ ଏବଂ ଅଣକୃଷି ଦ୍ରବ୍ୟର ଉପଯୁକ୍ତ ପ୍ୟାକେଜିଂର ବିକାଶ କରିବା ଏହି ଭାଗୀଦାରିତାର ମୂଳ ଉଦ୍ଦେଶ୍ୟ। ଏଥି ସହିତ ସ୍ଥାନୀୟ ଓ ଉଚ୍ଚ ମୂଲ୍ୟ ଏବଂ ରପ୍ତାନୀ ବଜାରକୁ ଲକ୍ଷ୍ୟ ରଖି ଆଇଆଇପି ପକ୍ଷରୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଏବଂ ମିଶନ ଶକ୍ତି ବିଭାଗର ଅଧିକାରୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ପ୍ୟାକେଜିଂ ପ୍ରଯୁକ୍ତିବିଦ୍ୟା ଉପରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଲେ ଯେ ମିଲେଟ୍‌ର ପ୍ରସାର ଦିଗରେ ଓଡ଼ିଶା ମିଲେଟ୍‌ ମିଶନ ଏବଂ ମିଶନ ଶକ୍ତି ବିଭାଗ ଘନିଷ୍ଠ ସହଯୋଗୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ମିଲେଟ୍‌ ଶକ୍ତି ଏହି ଦୁଇ ବିଭାଗର ଏକ ଯୌଥ ଉଦ୍ୟୋଗ। ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ପ୍ରକାରର ଦ୍ରବ୍ୟ ପ୍ରସ୍ତୁତ କରୁଛନ୍ତି। ମାତ୍ର ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ଉପଯୁକ୍ତ ପ୍ୟାକେଜିଂର ସମସ୍ୟା ରହିଛି।

ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ପ୍ୟାକେଜିଂ ସହ ସହଭାଗିତା ଦ୍ୱାରା ପ୍ୟାକେଜିଂରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ ଏବଂ ଦ୍ରବ୍ୟଗୁଡ଼ିକ ମୂଲ୍ୟଯୁକ୍ତ ହୋଇପାରିବ ବୋଲି ଡ. ପାଢ଼ୀ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ଡ. ପାଢ଼ୀ ଆଇଆଇପିର ଅଧିକାରୀମାନଙ୍କୁ ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଭୁବନେଶ୍ୱରଠାରେ ଆୟୋଜିତ ହେଉଥିବା ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀରେ ଯୋଗଦେବା ନିମନ୍ତେ ଆମନ୍ତ୍ରଣ ଜଣାଇଥିଲେ ଏବଂ ପ୍ୟାକେଜିଂ ସଂପର୍କରେ ଲୋକମାନଙ୍କ ଜାଣିବା ନିମନ୍ତେ ଗୋଟିଏ ଷ୍ଟଲ ଖୋଲିବା ପାଇଁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ କହିଲେ ଯେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ମିଲେଟ୍‌ରୁ ସାମଗ୍ରୀ ପ୍ରସ୍ତୁତ କରାଯାଉଥିବା ପରିପ୍ରେକ୍ଷୀରେ ମିଶନ ଶକ୍ତି ଆମର ପ୍ରାକୃତିକ ସହଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ପ୍ୟାକେଜିଂ ଏହି ସବୁ ଦ୍ରବ୍ୟର ପ୍ୟାକେଜିଂର ଗୁଣାତ୍ମକ ଅଭିବୃଦ୍ଧି ଆଣିପାରିବ ବୋଲି ଶ୍ରୀ ଚୌଧାରୀ ଆଶା ପ୍ରକାଶ କରିଥିଲେ। ଏଥି ସହିତ ସ୍ଥାନୀୟ କଞ୍ଚାମାଲକୁ ବ୍ୟବହାର କରି କିପରି ନୂତନ ଏବଂ ଉନ୍ନତ ଧରଣର ପ୍ୟାକେଜିଂର ସମ୍ଭାବନା ସୃଷ୍ଟି କରାଯାଇପାରିବ ସେଥି ନିମନ୍ତେ ଇନ୍‌ଷ୍ଟିଚୁ୍ୟଟ୍‌ର ଅଧିକାରୀମାନେ ପଦକ୍ଷେପ ନେବା ପାଇଁ ଶ୍ରୀ ଚୌଧାରୀ କହିଥିଲେ।

ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ଶ୍ରୀ ବିନୋଦ କୁମାର ଜେନା କହିଲେ ଯେ ଓଡ଼ିଶାରେ ଲକ୍ଷ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅନେକ ପ୍ରକାରର ଦ୍ରବ୍ୟ ଉତ୍ପାଦନ କରୁଛନ୍ତି। ଉନ୍ନତ ଧରଣର ପ୍ୟାକେଜିଂ ଦିଗରେ ଦକ୍ଷତା ବୃଦ୍ଧି ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କର ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଆଇଆଇପିର ପାରଦର୍ଶିତା ରହିଛି ଓ ସେମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଯୋଗାଇ
ଦେଇପାରିବେ। ଏହା ମିଲେଟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଲେଟ୍‌ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ରୂପାନ୍ତରିତ ଦିଗରେ ସହାୟକ ହେବ।

ଆଇଆଇପିର ଯୁଗ୍ମ ନିର୍ଦ୍ଦେଶକ ଡ. ବାବୁରାଓ ଗୁଡ଼ୁରୀ କହିଲେ ଯେ ଅନୁଷ୍ଠାନ ୧୯୬୬ ମସିହାରୁ ଭାରତରେ ଦକ୍ଷତାର ସହ କାର୍ଯ୍ୟ କରିଆସୁଛି ଏବଂ ଅନ୍ୟ ରାଜ୍ୟଗୁଡ଼ିକ ସହତ ପ୍ୟାକେଜିଂର ଉନ୍ନତି ନିମନ୍ତେ କାର୍ଯ୍ୟ କରୁଛି। ଏହି ରାଜିନାମାର ଅଂଶୀଦାର ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ଏବଂ ଏସ୍‌ଏଚ୍‌ଜି ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟଗୁଡ଼ିକୁ ସର୍ବୋତ୍ତମ ଓ ସ୍ୱତନ୍ତ୍ର ପ୍ୟାକେଜିଂ ଦେବା ଦିଗରେ ଦୃଷ୍ଟି ଦେବେ ବୋଲି କହିଥିଲେ।

ରାଜିନାମା ଅନୁଯାୟୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମିଶନ ଶକ୍ତି ଏବଂ ଆଇଆଇପି ସହଯୋଗରେ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ  ବିଭାଗ ବିଭିନ୍ନ ପ୍ୟାକେଜିଂ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ ସହିତ ଜିଲ୍ଲା, ରାଜ୍ୟ ତଥା ଜାତୀୟସ୍ତରରେ ମେଳା-ମହୋତ୍ସବ, କ୍ରେତା-ବିକ୍ରେତା ବୈଠକ ଆଦିରେ ଯୋଗଦେବା ଦିଗରେ ବ୍ୟବସ୍ଥା କରିବ। କାର୍ଯ୍ୟକ୍ରମର ତଦାରଖ ନିମନ୍ତେ ତ୍ରୈମାସିକ ସମୀକ୍ଷା କରାଯିବ ଏବଂ ବିଭିନ୍ନ ବିଭାଗ, ନାବାର୍ଡ଼, ବ୍ୟାଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ସଂଯୋଜନ ବୈଠକ, ଆଲୋଚନା ଚକ୍ର ଓ କର୍ମଶାଳାର ଆୟୋଜନ କରିବ।

ଏଥି ସହିତ ସ୍ୱତନ୍ତ୍ର ଅଭିନବ ପାଇଲଟ୍‌ ପ୍ରକଳ୍ପ ଓ ଗବେଷଣା ପ୍ରସ୍ତାବକୁ ମଧ୍ୟ ଆବଶ୍ୟକ ଅନୁମୋଦନ ପ୍ରଦାନ କରାଯିବ। ରାଜ୍ୟ, ଜିଲ୍ଲା ଏବଂ ବ୍ଲକ୍‌ ସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚିହ୍ନଟ କରି ଆଇଆଇପି ଯେପରି ସେମାନଙ୍କୁ ଆବଶ୍ୟକ ବୈଷୟିକ ସହାୟତା ଯୋଗାଇଦେବେ ସେଥି ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇ ଦିଆଯିବ।

କାର୍ଯ୍ୟକ୍ରମ ନିମନ୍ତେ ବାର୍ଷିକ କାର୍ଯ୍ୟସୂଚୀକୁ ମିଶନ ଶକ୍ତି ବିଭାଗ ପକ୍ଷରୁ ଅନୁମୋଦନ କରିବା ସହିତ ବିଭିନ୍ନ ଏସ୍‌ଏଚ୍‌ଜି ଗ୍ରୁପ୍‌ର କୃଷିଜାତ ଦ୍ରବ୍ୟ ନିମନ୍ତେ ପ୍ୟାକେଜିଂ ଆବଶ୍ୟକତାକୁ ଚିହ୍ନଟ କରିବା ସହିତ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଆଦିର ଆୟୋଜନ କରାଯିବ।

ଚୁକ୍ତିନାମା ଅନୁଯାୟୀ ମୂଲ୍ୟ ଶୃଙ୍ଖଳର ବିଭିନ୍ନ ପର୍ଯ୍ୟାୟରେ ଏସ୍‌ଏଚ୍‌ଜିର ପ୍ୟାକେଜିଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇଆଇପି ପକ୍ଷରୁ ଉଭୟ କୃଷି ଓ ଅଣକୃଷି ଦ୍ରବ୍ୟର ଡିଜାଇନ୍‌ ପ୍ରସ୍ତୁତ କରାଯିବ। ଜୈବିକ କୃଷିଜାତ ଦ୍ରବ୍ୟ, ଉଚ୍ଚ ମୂଲ୍ୟଯୁକ୍ତ ଦ୍ରବ୍ୟ ଏବଂ ରପ୍ତାନୀଯୋଗ୍ୟ ଦ୍ରବ୍ୟର ଉନ୍ନତ ମାନର ପ୍ୟାକେଜିଂ ଉପରେ ବିଶେଷ ଦୃଷ୍ଟି ଦିଆଯିବ।

ଆଇଆଇପି ପକ୍ଷରୁ ମହିଳା ଏସ୍‌ଏଚ୍‌ଜିର ମାଷ୍ଟର ଟ୍ରେନରମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଗ୍ରହୀ ଓ ମନୋନୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ୟାକେଜିଂ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ସବୁ ପ୍ରକାର ସହାୟତା ପ୍ରଦାନ ସହ ସେମାନଙ୍କର ଦକ୍ଷତା ବିକାଶ କରାଯିବ। ଏତଦ୍‌ବ୍ୟତୀତ ଆବଶ୍ୟକତା ଅନୁସାରେ ଅଭିନବ ପ୍ୟାକେଜିଂ ପ୍ରଯୁକ୍ତି ବିଦ୍ୟାର ଅନୁସନ୍ଧାନ ନିମନ୍ତେ ପାଇଲଟ୍‌ ପ୍ରକଳ୍ପ ସ୍ଥାପନ ଓ ଉତ୍ପାଦିତ ଦ୍ରବ୍ୟକୁ ବ୍ରାଣ୍ଡିଂ କରାଯିବା ଉପରେ ମଧ୍ୟ କାର୍ଯ୍ୟକ୍ରମରେ ଗୁରୁତ୍ୱ ପ୍ରଦାନ କରାଯିବ।

କୃଷି ବିଭାଗ ମାଣ୍ଡିଆ ମିଲେଟ ମିଲେଟ ଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025
Latest News

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.