କେରଳରେ ନିପା ଆତଙ୍କକୁ ପ୍ରତିହତ କରିବା ପାଇଁ କେରଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯାଉଛି। ଏହି ପ୍ରଚେଷ୍ଟାରେ ଏର୍ଣ୍ଣାକୁଲମ୍ ସରକାରୀ ମେଡିକାଲ କଲେଜ୍ରେ ରାଜ୍ୟର ଦ୍ବିତୀୟ କ୍ୟାମ୍ପ ସ୍ଥାପନ କରାଯାଇଛି। ଏହି କ୍ୟାମ୍ପରେ ଅନ୍ୟୁନ ୩୦ ଜଣ ରୋଗୀଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖାଯାଇପାରିବ। ରୋଗୀଙ୍କ ଦାୟିତ୍ବରେ ୭୦ ଜଣ ଡାକ୍ତର ଏବଂ ୧୦୨ ଜଣ ପାରା ମେଡିକାଲ ଷ୍ଟାଫ୍ ଏବଂ ୩୦ ଜଣ ନର୍ସ ନିଯୁକ୍ତ ହୋଇଛନ୍ତି। ସେହିପରି ଜୈବିକ ଆବର୍ଜନାକୁ ନଷ୍ଟ କରିବା ପାଇଁ ମଧ୍ୟ ଏକ ଟିମ୍ ରହିଥିବା ଜଣାପଡିଛି। ନିପା ସଂକ୍ରମଣର ପ୍ରଥମ ଶିକାର ହୋଇଥିବା ଯୁବକ ଜଣକ ବର୍ତ୍ତମାନ ସୁସ୍ଥ ହୋଇଥିବା ନେଇ କୋଚିର ଜିଲ୍ଲାପାଳ ମହମ୍ମଦ ଓ୍ବାଇ ସଫିରୁଲ୍ଲା ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩୧୮ ଜଣ ବ୍ୟକ୍ତି ନିପା ସଂସ୍ପର୍ଶରେ ଆସିଥିବା ଜଣାପଡିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ଏହି ଘଟଣାରେ ସମ୍ପୂର୍ଣ୍ଣ ନଜର ରଖିଛି। ୨୪୪ ଜଣଙ୍କୁ ନୀରିକ୍ଷଣରେ ରଖାଯାଇଥିବା ବେଳେ ତନ୍ମଧ୍ୟରୁ ୪୧ ଜଣ ଅଧିକ ସଂକ୍ରମିତ ରହିଥିବା ଜଣାପଡିଛି।