ଆରଆଇଇ, ଭୁବନେଶ୍ୱର ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ

Published: Nov 11, 2023, 9:30 pm IST

ଭୁବନେଶ୍ଵର: ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ମୌଲାନା ଆବୁଲ କଲାମ ଆଜାଦଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଭୁବନେଶ୍ୱର ଆରଆଇଇର ପ୍ରିନ୍‌ସିପାଲ୍ ପ୍ରଫେସର ପି.ସି. ଅଗ୍ରୱାଲ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ ଜାତୀୟ ଏକତା, ଗୁଣାତ୍ମକ ବିଦ୍ୟାଳୟ ଶିକ୍ଷା, ସମାବେଶୀ ଶିକ୍ଷା, ଉଚ୍ଚଶିକ୍ଷା ଏବଂ କଳା ଓ ସଂସ୍କୃତିର ପ୍ରୋତ୍ସାହନ ଭଳି ବିଭିନ୍ନ କ୍ଷେତ୍ରରେ ମୌଲାନା ଆବୁଲ କଲାମ ଆଜାଦଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।  ଶିକ୍ଷାରେ ଦକ୍ଷତା ବିକାଶ ଓ ନବୋନ୍ମେଷର ଆବଶ୍ୟକତା ବିଷୟରେ ଉଦାହରଣ ଦେଇ ସେ ସମ୍ଭାବ୍ୟ ଶିକ୍ଷକମାନଙ୍କୁ ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ଛାତ୍ରୀ ବୈଷ୍ଣବୀ କୁମାରୀ ସାହୁ, ସ୍ନିଗ୍ଧା ସୁପ୍ରଜ୍ଞା, ଅବିନାଶ କୁମାର ଓ ଜି ରତ୍ନପ୍ରିୟା ମହାନ ନେତାଙ୍କ କାର୍ଯ୍ୟ ସମ୍ପର୍କରେ ନିଜର ମତ ରଖିଥିଲେ। ପ୍ରଫେସର ସନ୍ଧ୍ୟାରାଣୀ ସାହୁ, ଡିନ୍ ଅଫ୍ ଇନଷ୍ଟ୍ରକସନ୍, ଅନୁଷ୍ଠାନର ପ୍ରଫେସର ଆଇ.ପି. ଗୌରମ୍ମା ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଡ. କଳିଙ୍ଗ କେତକି ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପୁଷ୍ପଲତା ନେଗି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା, ସମ୍ପ୍ରସାରଣ ଶିକ୍ଷା ମୁଖ୍ୟ ପ୍ରଫେସର ରୀତାଞ୍ଜଳି ଦାଶଙ୍କ ସମେତ ଅନ୍ୟ ଅଧ୍ୟାପକମାନେ ଉପସ୍ଥିତ ଥିଲେ।

 

Related posts