ସଂସଦ ସୁରକ୍ଷା ଉଲ୍ଲଂଘନ ଅଭିଯୁକ୍ତଙ୍କ ସାଇକୋ ଆନାଲିସିସ୍ ଟେଷ୍ଟ, ଆସିଲା ଅନେକ ରହସ୍ୟ !

Published: Dec 23, 2023, 6:53 pm IST
ସଂସଦ ସୁରକ୍ଷା ଉଲ୍ଲଂଘନ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଉଲ୍ଲଂଘନ ମାମଲାର ସମସ୍ତ ୬ ଅଭିଯୁକ୍ତ ସାଗର ଶର୍ମା, ମନୋରଞ୍ଜନ ଡି, ନୀଲମ, ଲଳିତ ଝା, ବିଶାଲ ଓ ଅମୋଲ ସିନ୍ଦେଙ୍କ ସାଇକୋ ଆନାଲିସିସ୍ ଟେଷ୍ଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସାଇକୋ ଆନାଲିସିସ୍ ଟେଷ୍ଟ ସହିତ ଅଭିଯୁକ୍ତଙ୍କ ଏଲଭିଏ (ଲେୟରଡ ଭଏସ୍ ଆନାଲିସିସ୍) ମଧ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏନ୍ଏଫ୍ଏସ୍ୟୁ (ନ୍ୟାସନାଲ ଫରେନ୍ସିକ୍ ସାଇନ୍ସ ୟୁନିଭର୍ସିଟି)ରେ ଏହି ପରୀକ୍ଷା କରାଯାଉଛି।

ଫରେନସିକ୍ ତଦନ୍ତକାରୀ ଦଳ ସହ ଜଡ଼ିତ ସୂତ୍ରରୁ ଏହା ଜଣାପଡ଼ିଛି। ସେ କହିଛନ୍ତି ଯେ ଏଲଭିଏ ହେଉଛି ଏକ ପରୀକ୍ଷା ଯାହା ସାଧାରଣତଃ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ଏବଂ ଏଫବିଆଇ ଭଳି ଏଜେନ୍ସି ଦ୍ୱାରା ବ୍ୟବହୃତ ହୁଏ। ଏହି ପରୀକ୍ଷଣରେ ପଚରାଉଚରା ସମୟରେ ସ୍ୱରର ଫ୍ରିକ୍ୱେନ୍ସିକୁ ବିଶ୍ଳେଷଣ କରାଯାଏ। ଏଲଭିଏ ପରୀକ୍ଷାର ଟେକ୍ନୋଲୋଜି ମଧ୍ୟ ଦିଲ୍ଲୀ ଫରେନ୍ସିକ୍ ଲ୍ୟାବ୍ ପାଖରେ ରହିଛି।

ସାଇକୋ ଆନାଲିସିସ୍ ଟେଷ୍ଟ କ’ଣ ?

ଏଥିସହିତ ଅଭିଯୁକ୍ତଙ୍କ ଅଭ୍ୟାସ, ତା’ର ବୁଝାମଣା ଓ ଆଚରଣ ଜାଣିବା ପାଇଁ ସାଇକୋ ଆନାଲିସିସ୍ ଟେଷ୍ଟ କରାଯାଏ। ସୂତ୍ରରୁ ପ୍ରକାଶ ଯେ ଗୁରୁବାରଠାରୁ ଏହି ଦୁଇଟି ଯାକ ପରୀକ୍ଷା ଆରମ୍ଭ ହୋଇଛି। ଯାହା ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିଥିଲା। ସମ୍ଭବତଃ କିଛି ନୂଆ ତଥ୍ୟ ମିଳିପାରେ । ଜଣେ ବ୍ୟକ୍ତିଙ୍କ ମନୋବିଶ୍ଳେଷଣ ପରୀକ୍ଷା କରିବାକୁ ଅଢ଼େଇରୁ ତିନି ଘଣ୍ଟା ସମୟ ଲାଗିଥାଏ।

ମାଷ୍ଟରମାଇଣ୍ଡ ଲଳିତ ଝା ଅନେକତଥ୍ୟ ଦେଇଛନ୍ତି

ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତଙ୍କୁ ଉଭୟ ପରୀକ୍ଷା କରିବାକୁ ପଡ଼ିଥିଲା। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସମସ୍ତ ଅଭିଯୁକ୍ତଙ୍କ ପରୀକ୍ଷା ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ଏହି ସମୟରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝା ଅନେକ ବଡ଼ ଖୁଲାସା କରିଛନ୍ତି। ସାଇକୋ ଆନାଲିସିସ୍ ଟେଷ୍ଟ ବେଳେ ଲଳିତ ଝା ସ୍ୱୀକାର କରିଛନ୍ତି ଯେ ସେ ନିଜ ସଂଗଠନକୁ ଜାତୀୟ ସ୍ତରରେ ବଡ଼ କରିବାକୁ ଚାହୁଁଥିଲେ। ଆହୁରି ଅନେକ ତଥ୍ୟ ପ୍ରଦାନ କରିଛନ୍ତି।

ଗିରଫ ୬ ଅଭିଯୁକ୍ତଙ୍କ ସିମ୍ କାର୍ଡକୁ ସକ୍ରିୟ କରି ମୋବାଇଲ୍ ଫୋନ୍ ଡାଟା ଜବତ କରିବାକୁ ପୁଲିସ ଉଦ୍ୟମ ଚଳାଇଛି। ସେହିପରି ମେଟା, ଇନଷ୍ଟାଗ୍ରାମରୁ ମଧ୍ୟ ସୂଚନା ମିଳିବା ଆରମ୍ଭ ହୋଇଛି।

ଅଧିକ ପରୀକ୍ଷା ମଧ୍ୟ କରାଯାଇପାରିବ

ଡିସେମ୍ବର ୧୩ତାରିଖରେ ସଂସଦର ସୁରକ୍ଷା ଉଲ୍ଲଂଘନ ଅଭିଯୋଗରେ ସ୍ପେଶାଲ ସେଲ୍ ୬ ଅଭିଯୁକ୍ତ ସାଗର ଶର୍ମା, ମନୋରଞ୍ଜନ ଡି, ନୀଲମ, ଅମୋଲ ସିନ୍ଦେ, ଲଳିତ ଝା ଏବଂ ମହେଶ କୁମାଓ୍ଵତଙ୍କୁ ଗିରଫ କରିଥିଲା। ସେମାନଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ତଦନ୍ତକାରୀ ସଂସ୍ଥା ସହ ଜଡ଼ିତ ପୁଲିସ ଅଧିକାରୀଙ୍କ କହିବା ନୁଯାୟୀ, ଅଭିଯୁକ୍ତମାନେ ବହୁତ ଚତୁରତାର ସହ କାର୍ଯ୍ୟ କରୁଛନ୍ତି। ତଦନ୍ତ ସମୟରେ ସେମାନେ ସହଯୋଗ କରୁନାହାନ୍ତି। ଆବଶ୍ୟକ ପଡ଼ିଲେ ଆଉ କିଛି ପରୀକ୍ଷା କରାଯାଇପାରିବ।

Related posts