ସିକିମ ସ୍ୱତ୍ତ୍ୱ ସମସ୍ୟାର ସମାଧାନ, ୨ ଲକ୍ଷ ୫୦ ହଜାର ରୟତ ଓ ଉତ୍ତରାଧିକାରୀ ହେବେ ଉପକୃତ

Published: Jan 7, 2024, 10:05 am IST
pandian

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-‘ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଲୋକମାନଙ୍କଠୁ ସିକିମ ସ୍ୱତ୍ତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନିବେଦନ ପତ୍ର ପ୍ରାପ୍ତ ହୋଇଥିଲା।

ଏହି ସବୁ ନିବେଦନ ପତ୍ରକୁ ଅନୁଧ୍ୟାନ କରି ସିକିମ ସ୍ୱତ୍ତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ରାଜସ୍ୱ ଟାସ୍କଫୋର୍ସକୁ ପ୍ରେରଣ କରାଯାଇଥିଲା।

ରାଜସ୍ୱ ଟାସ୍କଫୋର୍ସ ରାଜସ୍ୱ ଆୟୁକ୍ତ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗର କାର୍ଯ୍ୟରତ ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ଓଡିଶା ଭୂ-ସଂସ୍କାର ଆଇନକୁ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପରାମର୍ଶ ଦେଇଥିଲେ।

ଏଠାରେ ସୂଚନାଯୋଗ୍ୟ କି ରାଜ୍ୟରେ ୮୧,୫୨୪ ଗୋଟି ଖାତାରେ ପ୍ରାୟ ଏ ୧,୨୩,୧୧୧ ଡି ଜମି ସିକିମ ଭାବରେ ରେକର୍ଡ ହୋଇଅଛି । ସିକିମ ଭାବରେ ରେକର୍ଡ ହୋଇଥିବା ଜମିକୁ ଦଖଲ କରୁଥିବା ବ୍ୟକ୍ତିମାନଙ୍କୁ ଉପ-ରୟତ କିମ୍ବା ଅଧସ୍ତନ-ରୟତ କୁହାଯାଏ।

ଓଡିଶା ଭୂ-ସଂସ୍କାର ଆଇନ, ୧୯୬୦ ଅନୁସାରେ ସିକିମ ଜମିରେ ରୟତି ଘୋଷଣା ନିମନ୍ତେ ଆବେଦନ କରିବାର ଶେଷ ଅବଧି ୧୯୭୭ ମସିହା ପର୍ଯ୍ୟନ୍ତ ଥିଲା। ସମସ୍ତ ସିକିମ ଚାଷୀ ଏହି ସମୟ ଅବଧି ଭିତରେ ଆବେଦନ କରିପାରି ନଥିଲେ। ତେଣୁ, ସିକିମ ଭାବରେ ରେକର୍ଡ ହୋଇଥିବା ଜମିକୁ ଦଖଲ କରୁଥିବା ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ସେହି ଜମି ଉପରେ ରୟତି ଅଧିକାର ଦେବା ପାଇଁ ଓଡିଶା ଭୂ-ସଂସ୍କାର ଆଇନ, ୧୯୬୦ର ଆବଶ୍ୟକୀୟ ସଂଶୋଧନ ବିଧାନ ସଭା ଦ୍ୱାରା ପାରିତ ହୋଇ ବିଧି ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ହୋଇଛି।

ଯାହା ଫଳରେ ସିକିମ ଜମିକୁ ଚାଷ ଓ ବାସଗୃହ ଭାବେ ବ୍ୟବହାର କରୁଥିଲେ, ସେହି ଜମିରେ ରୟତି ଅଧିକାର ପାଇବା ପାଇଁ ଦୁଇ ବର୍ଷ ମଧ୍ୟରେ ରାଜସ୍ୱ ଅଧିକାରୀଙ୍କ ନିକଟରେ ସମ୍ପୃକ୍ତ ଚାଷୀମାନେ ଆବେଦନ କରିପାରିବେ।

ତହସୀଲଦାର ମଧ୍ୟ ସ୍ୱତଃପୂର୍ତ୍ତ ଭାବେ ସିକିମ ଭାବରେ ରେକର୍ଡ ହୋଇଥିବା ଜମିକୁ ଦଖଲ କରୁଥିବା ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ସେହି ଜମି ଉପରେ ରୟତି ଅଧିକାର ଦେବାପାଇଁ କାର୍ଯ୍ୟ ଆରମ୍ଭ କରିପାରିବେ। ଆବଶ୍ୟକତା ଅନୁସାରେ ସରକାର ଏହି ସମୟ ସୀମାକୁ ବୃଦ୍ଧି କରିପାରନ୍ତି।

ରାଜସ୍ୱ ଅଧିକାରୀ ଆଦେଶନାମା ଜାରି କଲାବେଳେ ଷ୍ଟାଣ୍ଡାର୍ଡ ଏକର ପିଛା ୧୪,୨୦୦ ଟଙ୍କା ହିସାବରେ କ୍ଷତିପୂରଣ ସ୍ଥିର କରିବେ। ଏହି କ୍ଷତିପୂରଣ ଟଙ୍କା ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କର ଉତ୍ତରାଧିକାରୀମାନେ ଏହି ସିକିମ ଜମିର ମୂଳ ରୟତଙ୍କୁ କିମ୍ବା ଉତ୍ତରାଧିକାରୀମାନଙ୍କୁ ପ୍ରଦାନ କରିବେ। ଏହି କ୍ଷତିପୂରଣ ରାଶିର ପରିମାଣ ସରକାର ସମୟାନୁକ୍ରମେ ପରିବର୍ତ୍ତନ କରିପାରନ୍ତି।

ଏହାପରେ ଏହି ସିକିମ ଜମି ଉପରେ ଉପ-ରୟତ କିମ୍ବା ଅଧସ୍ତନ-ରୟତ ଅଥବା ସେମାନଙ୍କର ଉତ୍ତରାଧିକାରୀମାନେ ରୟତ ଭାବରେ ଘୋଷିତ ହେବେ ଏବଂ ଏହି ଜମି ଉପରେ ସେମାନଙ୍କର ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ପ୍ରାପ୍ତି ହେବ।

ଏହି ସଂଶୋଧନ ଫଳରେ ଓଡ଼ିଶାର ୨୬ଟି ଜିଲ୍ଲାର ପ୍ରାୟ ୨ ଲକ୍ଷ ପଚାଶ ହଜାର ରୟତ ଓ ତାଙ୍କର ଉତ୍ତରାଧିକାରୀମାନେ ଉପକୃତ ହେବେ। ଏ ସମ୍ବନ୍ଧରେ ବିସ୍ତୃତ ନିୟମାବଳୀ ଆଜି ସମସ୍ତ ଜିଲ୍ଲାପାଳ ଓ ରାଜସ୍ୱ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି ଓ ତ୍ୱରିତ ପଦକ୍ଷେପ ନେବା ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

Related posts