କର୍ଣ୍ଣାଟକରେ ଜେଡିଏସ୍ ଓ କଂଗ୍ରେସ ମଧ୍ୟରେ ମତାନ୍ତର ଏବେ ସାମ୍ନାକୁ ଆସିଛି। ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା ଜେଡିଏସ୍ ଓ କଂଗ୍ରେସ ମେଣ୍ଟ ଭୁଶୁଡିବାର ଆଶଙ୍କା କରିବା ସହ କର୍ଣ୍ଣାଟକରେ ଖୁବ୍ଶୀଘ୍ର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଥମେ ସେ ରାଜ୍ୟରେ ଜେଡିଏସ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ସମର୍ଥନରେ ନଥିଲେ। କଂଗ୍ରେସ ତାଙ୍କୁ ମେଣ୍ଟ କରିବା ପାଇଁ ନିବେଦନ କରିଥିଲେ, ଯାହା ପରେ ସେ ସହମତି ପ୍ରକାଶ କରିଥିଲେ। ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପ୍ରଥମ ଥର ମେଣ୍ଟକୁ ନେଇ ଦେବଗୌଡ଼ା କଂଗ୍ରେସ ଉପରେ କଡ଼ା ସମାଲୋଚନା କରିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରଠୁ କର୍ଣ୍ଣାଟକରେ କ୍ଷମତାସୀନ ଜେଡିଏସ ଓ କଂଗ୍ରେସ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଜେଡିଏସ୍ ଗୋଟିଏ ଲେଖାଏ ସିଟ୍ ଜିତିଥିବା ବେଳେ ବିଜେପି ରାଜ୍ୟର ୨୮ଟି ଆସନରୁ ୨୬ଟିରେ ବାଜିମାତ କରିଥିଲା। ତେବେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗଣମାଧ୍ୟମ ଦେବେଗୌଡ଼ାଙ୍କ ତଥ୍ୟକୁ ବିଭ୍ରାନ୍ତିକର ରୂପେ ଉପସ୍ଥାପନ କରିଛି। ତାଙ୍କ ସରକାର ୫ ବର୍ଷର ଶାସନ କରିବେ ବୋଲି ମତ ଦେଇଛନ୍ତି କୁମାରସ୍ବାମୀ।
ମେଣ୍ଟ ଭୁଶୁଡ଼ିବା ଆଶଙ୍କା କଲେ ଦେବେଗୌଡ଼ା, କର୍ଣ୍ଣାଟକରେ ଖୁବ୍ଶୀଘ୍ର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ !
Published:
Jun 21, 2019, 4:49 pm IST
Tags: