ସ୍କୁଲ ପିଲାଙ୍କ ଫି’ ବହନ କରିବେ ଦିଲ୍ଲୀ ସରକାର

Published: Jun 23, 2019, 12:51 pm IST

ଦିଲ୍ଲୀ ସରକାର ଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନୂଆ ସ୍କିମ୍‌ ଆଣିବାକୁ ଯାଉଛନ୍ତି । ଏହି ସ୍କିମ୍‌ ଦ୍ବାରା ସରକାର ପିଲାଙ୍କ ଫି’ ବହନ କରିବେ । ଆସନ୍ତା ବର୍ଷଠାରୁ ସିବିଏସ୍‌ସି ପିଲାଙ୍କଠାରୁ ଯେଉଁ ସ୍କୁଲ ଫି ନେଉଛି ତାକୁ ସରକାର ବହନ କରିବେ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଶନିବାର ଦ୍ୱାଦଶ ଶ୍ରେଣୀରେ ଭଲ ପ୍ରଦର୍ଶନ କରିଥିବା ପିଲାମାନଙ୍କୁ ପୁରସ୍କୃତ କରିବା ସମୟରେ ସେ ଏହି ଘୋଷଣା କରିଛନ୍ତି। ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ଥିଲେ । ଉଚ୍ଚଶିକ୍ଷା ସବୁ ପିଲାଙ୍କର ଅଧିକାର । ତେଣୁ ସରକାର ଏମାନଙ୍କୁ ସହାୟତା ଯୋଗାଇ ଦେବା ସହିତ ଖୁବ୍‌ଶୀଘ୍ର ନିଟ୍‌ ଓ ଜେଇଇ ଛାତ୍ରଛାତ୍ରୀଙ୍କ ପାଇଁ ସରକାର କୋଚିଂ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ ।  ଏହାପରେ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ପିଲାମାନଙ୍କର ସ୍କଲାରସିପ୍‌ ବୃଦ୍ଧି କରାଯାଇ ୨୫୦୦ଟଙ୍କା କରାଯିବା ସହ ପରିବାର ଆୟର ନିୟମକୁ ମଧ୍ୟ ଉଠାଇ ଦିଆଯାଇଛି। ଦିଲ୍ଲୀ ସରକାର ଶିକ୍ଷାର୍ଥୀ ଓ ଅଭିଭାବକଙ୍କୁ ସମ୍ମାନିତ କରିବା ପାଇଁ ତ୍ୟାଗରାଜ ଷ୍ଟାଡିୟମ୍‌ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦୦ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ସାମିଲ୍‌ ହୋଇଥିବାବେଳେ ଶିକ୍ଷକ ଓ ପ୍ରଧାନଶିକ୍ଷକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related posts