ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖିଥିଲେ। ପ୍ରାରମ୍ଭରେ ବିଜୟ ନେଇ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ। ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଏବଂ ଶହୀଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ। ବାତ୍ୟା ‘ଫନି’ର ଭୟାବହତା ଓ କ୍ଷୟକ୍ଷତି ବିଷୟରେ ସୂଚନା ଦେବା ସହ ବାତ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରିଥିଲେ। ରାଜ୍ୟପାଳ କହିଥିଲେ, ମୋ ସରକାରକୁ କ୍ରମାଗତ ୫ମ ଥର ପାଇଁ ଜନମତ ମିଳିଛି। ଲୋକଙ୍କ ଭରସା ଓ ବିଶ୍ଵାସକୁ ବଜାୟ ରଖିବାକୁ ଆମେ ସଙ୍କଳ୍ପବଦ୍ଧ। ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ପାଳନ ପାଇଁ ପ୍ରଥମ ଦିନକରୁ ପ୍ରଚେଷ୍ଟା କରାଯାଇଛି। ସରକାର ଗଢିବାର ପ୍ରଥମ ଦିନର ମନ୍ତ୍ରିପରିଷଦ ଡକାଯାଇ କାର୍ଯୃ ଆରମ୍ଭ କରାଯାଇଛି । କାଳିଆ ଯୋଜନାରେ ଭୂମିହୀନ, ଭାଗଚାଷୀଙ୍କୁ ସାମିଲ କରାଯାଇଛି। କୃଷିର ବିକାଶ ଓ କଷକ ସଶକ୍ତୀକରଣ ସରକାରର ମୂଳ ଲକ୍ଷ୍ୟ। ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ୫ ହଜାର କୋଟିର କାମ ଦିଆଯିବ। ପ୍ରତି ପଞ୍ଚାୟତ ଓ ଜିଲା ସ୍ତରରେ ମିଶନ ଶକ୍ତି ଗୃହ ପ୍ରତିଷ୍ଠା ହେବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ମିଳୁଛି। ଏହି ଯୋଜନାରେ ସହାୟତା ରାଶିରେ ବୃଦ୍ଧି କରାଯାଇ ମହିଳାଙ୍କୁ ୧୦ଲକ୍ଷଟଙ୍କାର ସ୍ବାସ୍ଥ୍ୟ ସହାୟତା ମିଳିବ । ହାଇସ୍କୁଲରେ ଆଇଟି ଲ୍ୟାବ୍ ପ୍ରତିଷ୍ଠା ହେବ। ସମସ୍ତ ବୈଷୟିକ ଶିକ୍ଷାକୁଷ୍ଠାନକୁ ୱାଇଫାଇ କରାଯିବ। ଶିଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି। ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା କରିବାକୁ ଉଦ୍ୟମ କରାଯାଇଛି । ବୃଦ୍ଧା, ଭିନ୍ନକ୍ଷମ ଆଦି ଭତ୍ତାକୁ ବୃଦ୍ଧି କରାଯାଇଛି । ଭୁବେନଶ୍ବର – କଟକ ଦ୍ବୈତ ନଗର ପାଇଁ ମେଟ୍ରୋ ରେଳ କରାଯିବାର ରହିଛି । ଭୁବନେଶ୍ଵରରେ ବିଶ୍ଵସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକଶିତ ହୋଇଛି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସୂଚନା ଦେଇଥିଲେ।
ବିଧାନସଭା ଅଧିବେଶନ ଆରମ୍ଭ, ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ
Published:
Jun 25, 2019, 11:56 am IST
Tags: