ସଂସଦରେ ବଜେଟ୍ କେବେ ଉପସ୍ଥାପିତ ହେବ?: ତାରିଖ କଲେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ

Published: Jul 6, 2024, 5:21 pm IST

ନୂଆଦିଲ୍ଲୀ: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଆଜି ଟ୍ୱିଟରରେ ପୋଷ୍ଟ କରି ସଂସଦର ଆଗାମୀ ବଜେଟ୍ ଅଧିବେଶନ ଘୋଷଣା କରିଛନ୍ତି। କିରେନ ରିଜିଜୁ କହିଛନ୍ତି ଯେ, ଭାରତ ସରକାରଙ୍କ ସୁପାରିଶ କ୍ରମେ ମାନ୍ୟବର ରାଷ୍ଟ୍ରପତି ଜୁଲାଇ ୨୨ ତାରିଖରେ ସଂସଦରେ ବଜେଟ୍ ଅଧିବେଶନ ଡାକିବାକୁ ଅନୁମୋଦନ କରିଛନ୍ତି। ସେ କହିଛନ୍ତି ଯେ, ଏଥର ବଜେଟ୍ ଅଧିବେଶନ ଜୁଲାଇ ୨୨ ତାରିଖରୁ ଆରମ୍ଭ ହେବ। ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଜାରି ରହିବ। ଏଥି ସହ ଜୁଲାଇ ୨୩ ତାରିଖରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରାଯିବ ବୋଲି ଶ୍ରୀ ରିଜିଜୁ କହିଛନ୍ତି।

ସାଧାରଣ ନିର୍ବାଚନ ବର୍ଷ ହୋଇଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ସେ ଇତିହାସରେ ପ୍ରଥମ ଅର୍ଥମନ୍ତ୍ରୀ ହେବେ, ଯିଏ କ୍ରମାଗତ ସପ୍ତମ ବଜେଟ୍ ଉପସ୍ଥାପନ କରିବେ। ଆଶା କରାଯାଉଛି ଯେ, ମୋଦୀ ୩.o ସରକାରଙ୍କ ବିକଶିତ ଭାରତ ଉପରେ ଧ୍ୟାନ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିକଟରେ କହିଥିଲେ ଯେ, ଦେଶର ନାଗରିକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଉତ୍ସର୍ଗୀକୃତ ଏବଂ ଏଥିପାଇଁ ନିରନ୍ତର ଉଦ୍ୟମ ଜାରି ରଖିବେ। ୨୦୨୪ ଲୋକସଭା ନିର୍ବାଚନ ପରେ ଜୁନ୍ ୨୪ ତାରିଖରୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା। ଯେଉଁଠାରେ ନୂତନ ସଂସଦର ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ ଏବଂ ଜୁନ୍ ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ।

Related posts