ୟୁସିସିଆଇ ଲେଡିଜ ଫୋରମ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Published: Jul 28, 2024, 8:50 am IST

ଭୁବନେଶ୍ଵର: ଆମ ଜୀବନରେ ଗଛର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ। ପରିବେଶ ସନ୍ତୁଳନ କରିବାରେ ଗଛର ଅନେକ ଯୋଗଦାନ ରହିଛି। ପରିବେଶକୁ ସବୁଜ ସୁନ୍ଦର କରିବା ତଥା ଏହାର ସୁରକ୍ଷା ପାଇଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁସିସିଆଇ ଲେଡିଜ ଫୋରମ ପକ୍ଷରୁ ଶନିବାର ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ଭୁବନେଶ୍ଵର ଗୋଠପାଟଣାସ୍ଥିତ ଲକ୍ଷ୍ୟ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ପରିସରରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଲେଡିଜ ଫୋରମର ସଦସ୍ୟାମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ୟୁସିସିଆଇ ଲେଡିଜ ଫୋରମର ସଭାପତି ପ୍ରଣତି ପରିଡ଼ା, ସମ୍ପାଦକ ଅର୍ଚ୍ଚନା ମଲ୍ଲ ଏବଂ କୋଷାଧ୍ୟକ୍ଷ ଶ୍ୱେତପଦ୍ମା ରଥଙ୍କ ନେତୃତ୍ଵରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

“ଗଛଟିଏ ଜୀବନ ଦିଏ। ତେଣୁ, ଗୋଟିଏ ସୁସ୍ଥ ପରିବେଶ ପାଇଁ ଆମ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବାର ଆବଶ୍ୟକତା ରହିଛି। କେବଳ ଗଛ ଲଗାଇ ଦେଲେ ହେବ ନାହିଁ, ଗଛଟିର ଯତ୍ନ ନେଇ ତାକୁ ବଡ଼ କରିବା ପର୍ଯ୍ୟନ୍ତ ତା’ର ଦାୟିତ୍ଵ ନେବା ମଧ୍ୟ ଜରୁରୀ,” ଏହି ଅବସରରେ କହିଛନ୍ତି ୟୁସିସିଆଇ ଲେଡିଜ ଫୋରମର ସଭାପତି ପ୍ରଣତି ପରିଡ଼ା।

ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ରୀତା ପଟ୍ଟନାୟକ, ସ୍ଵର୍ଣ୍ଣପ୍ରଭା ସାମଲ, ଶ୍ୱେତା ଦାଶ, ମୀନତି ଦାସ, ସଙ୍ଗୀତା ପାତ୍ର, ରୋଶନୀ ମିଶ୍ର ଓ ସଙ୍ଗୀତା ପଣ୍ଡାଙ୍କ ସହ ଲେଡିଜ ଫୋରମର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଲକ୍ଷ୍ୟ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଚେୟାରମ୍ୟାନ ସୁଶାନ୍ତ କୁମାର ରାଉତ ପୂର୍ଣ୍ଣ ସହଯୋଗ କରିଥିଲେ। ଇନଷ୍ଟିଚ୍ୟୁଟର ସମସ୍ତ ସଦସ୍ୟ ଏବଂ ଛାତ୍ରଛାତ୍ରୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ୟୁସିସିଆଇ ଲେଡିଜ ଫୋରମ ପକ୍ଷରୁ କୁହାଯାଇଛି।

Related posts