ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମାଜିକ ମେସେଜିଂ ପ୍ଲାଟଫର୍ମ ହ୍ଵାଟସ୍ ଆପ୍ ବିଷୟରେ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତରେ ହ୍ଵାଟସ୍ ଆପ୍ ସେବା ବନ୍ଦ ହେବା ନେଇ ମେଟା ସରକାରଙ୍କୁ କୌଣସି ସୂଚନା ଦେଇ ନାହିଁ। କଂଗ୍ରେସ ନେତା ବିବେକ ତନଖା ପଚାରିଥିବା ପ୍ରଶ୍ନ ଉପରେ ଆଇଟି ମନ୍ତ୍ରୀଙ୍କ ଏହି ବିବୃତ୍ତି ଆସିଛି। କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି ଯେ, ହ୍ଵାଟସ୍ ଆପ୍ ସରକାରଙ୍କ ନିର୍ଦ୍ଦେଶକୁ ପାଳନ ନକରିବାରୁ ଭାରତରେ ଏହାର ସେବା ବନ୍ଦ କରିବାକୁ ଯୋଜନା କରୁଛି କି?
ପ୍ରକାଶ ଯେ, ଚଳିତ ବର୍ଷ ଆରମ୍ଭରେ ହ୍ଵାଟସ୍ ଆପ୍ ଦିଲ୍ଲୀ ହାଇକୋର୍ଟଙ୍କୁ ଚେତାବନୀ ଦେଇଥିଲା ଯେ ଯଦି କମ୍ପାନୀ ବାର୍ତ୍ତା ଏନକ୍ରିପସନ୍ ଭାଙ୍ଗିବାକୁ ବାଧ୍ୟ କରାଯାଏ, ତେବେ ଏହା ଭାରତରେ କାମ ବନ୍ଦ କରିବ। ଏହି ବିବୃତ୍ତି ପରେ ଭାରତରେ ହ୍ଵାଟସ୍ ଆପ୍ ବ୍ୟବହାରକାରୀମାନେ ଟେନସନରେ ଥିଲେ। ମେଟା ଭାରତର ନୂତନ ଆଇଟି ନିୟମକୁ ସିଧାସଳଖ ଚ୍ୟାଲେଞ୍ଜ କରିଥିଲା। ମେଟା ପକ୍ଷରୁ କୁହାଯାଇଥିଲା ଯେ, ଏହି ନିୟମ ଗୋପନୀୟତା ଅଧିକାରର ଉଲ୍ଲଂଘନ କରୁଛି।
ଅଶ୍ୱିନୀ ବୈଷ୍ଣବ କ’ଣ କହିଥିଲେ?:
ଜାତୀୟ ସୁରକ୍ଷା ତଥା ଜନ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ଜଡିତ ସରକାରଙ୍କ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ଆଇଟି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହି ନିୟମଗୁଡ଼ିକ ହେଉଛି ଭାରତର ସାର୍ବଭୌମତ୍ୱ ଏବଂ ସୁରକ୍ଷା ରକ୍ଷା କରିବା ଏବଂ ଅନ୍ୟ ଦେଶ ସହ ବନ୍ଧୁତା ବଜାୟ ରଖିବା।
ମାର୍କ ଜୁକରବର୍ଗ ଭାରତର ପ୍ରଶଂସା କରିଛନ୍ତି:
ମେଟା ସିଇଓ ମାର୍କ ଜୁକରବର୍ଗ ମେସେଜିଂ ଟେକ୍ନୋଲୋଜି ଗ୍ରହଣ କରିଥିବାରୁ ଭାରତକୁ ପ୍ରଶଂସା କରିସାରିଛନ୍ତି। ମାର୍କ ଜୁକରବର୍ଗ କହିଥିଲେ ଯେ, ଭାରତ ଏହି କ୍ଷେତ୍ରରେ ବିଶ୍ୱସ୍ତରୀୟ ଲିଡର। ୪୦୦ ମିଲିୟନ ବ୍ୟବହାରକାରୀଙ୍କ ସହ ଭାରତ ହ୍ଵାଟସ୍ ଆପ ର ସବୁଠାରୁ ବଡ ବଜାର ଅଟେ। ଏହି କାରଣରୁ ଉଭୟ ପରସ୍ପର ପାଇଁ ମହତ୍ବପୂର୍ଣ୍ଣ।