ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଅଗଷ୍ଟ ୨, ୨୦୨୪) ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ କେବଳ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଗଢ଼ିତୋଳିବା ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ।
ରାଷ୍ଟ୍ରପତି ତାଙ୍କ ପ୍ରାରମ୍ଭିକ ଭାଷଣରେ କହିଥିଲେ ଯେ ଏହି ସମ୍ମିଳନୀର କାର୍ଯ୍ୟସୂଚୀରେ ଆମର ଜାତୀୟ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ସତର୍କତାର ସହ ଚୟନ କରାଯାଇଛି। ସେ କହିଛନ୍ତି ଯେ ଏହି ସମ୍ମିଳନୀର ଆଲୋଚନା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ସମୃଦ୍ଧ ଅନୁଭୂତି ହେବ ଏବଂ ସେମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ କରିବ।
ଉଦଘାଟନୀ ଅଧିବେଶନରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଉଦବୋଧନ ଦେଇଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରାଜ୍ୟପାଳଙ୍କ ଶପଥକୁ ଉଲ୍ଲେଖ କରି ଗତ ଦଶନ୍ଧି ମଧ୍ୟରେ ଘଟିଥିବା ସାମାଜିକ କଲ୍ୟାଣକାରୀ ଯୋଜନା ଏବଂ ଅବିଶ୍ୱସନୀୟ ବିକାଶ ବିଷୟରେ ଲୋକଙ୍କୁ ସଚେତନ କରିବାର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁର ଭୂମିକା ଗ୍ରହଣ କରିବା ଏବଂ ଗରିବ ଲୋକଙ୍କୁ ସହଯୋଗ କରିବା ପାଇଁ ଲୋକ ଏବଂ ସାମାଜିକ ସଂଗଠନମାନଙ୍କ ସହିତ ବାର୍ତ୍ତାଳାପ କରିବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ରାଜ୍ୟପାଳ ପଦ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଯାହା ସମ୍ବିଧାନର ଢାଞ୍ଚା ଅନୁଯାୟୀ ଜନସାଧାରଣଙ୍କର, ବିଶେଷ କରି ଆଦିବାସୀ ମାନଙ୍କର କଲ୍ୟାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ସମ୍ମିଳନୀରେ କ’ଣ ଆଲୋଚନା ହେବ ସେ ସମ୍ପର୍କରେ ବର୍ଣ୍ଣନା କରିବା ସହ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଭାଇବ୍ରେଣ୍ଟ ଗ୍ରାମ ଏବଂ ଆକାଂକ୍ଷୀ ଜିଲ୍ଲା ଗସ୍ତ କରିବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ।
ସମ୍ମିଳନୀକୁ ଉଦଘାଟନ କରି ରାଷ୍ଟ୍ରପତି କହିଛନ୍ତି ଯେ ଅପରାଧିକ ନ୍ୟାୟ ସମ୍ବନ୍ଧୀୟ ତିନୋଟି ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ଦେଶରେ ନ୍ୟାୟ ବ୍ୟବସ୍ଥାର ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷୀ ଅଧିନିୟମ ଭଳି ଆଇନର ନାମରୁ ଆମ ଚିନ୍ତାଧାରାରେ ପରିବର୍ତ୍ତନ ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।
ଗଣତନ୍ତ୍ରକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ସବୁ ରାଜ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଜରୁରୀ ବୋଲି ରାଷ୍ଟ୍ରପତି କହିଛନ୍ତି। ସମ୍ପୃକ୍ତ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହିସାବରେ ସେମାନେ କିପରି ଏହି ସମନ୍ୱୟକୁ ପ୍ରୋତ୍ସାହିତ କରିପାରିବେ ସେ ବିଷୟରେ ଚିନ୍ତା କରିବାକୁ ସେ ରାଜ୍ୟପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।
ରାଷ୍ଟ୍ରପତି କହିଥିଲେ ଯେ ଗୁଣାତ୍ମକ ଉଚ୍ଚଶିକ୍ଷା ଏକ ଅତୁଳନୀୟ ସମ୍ପତ୍ତି କାରଣ ଏହା ବ୍ୟକ୍ତିଗତ ବିକାଶ ଏବଂ ସାମାଜିକ ପରିବର୍ତ୍ତନ ସହିତ ଅଭିନବତା ଏବଂ ଅର୍ଥନୈତିକ ପ୍ରଗତିକୁ ପ୍ରୋତ୍ସାହିତ କରେ । ସେ କହିଥିଲେ ଯେ ଜାତୀୟ ଶିକ୍ଷା ନୀତିରେ ଶିକ୍ଷାନୁଷ୍ଠାନଗୁଡ଼ିକର ମାନ୍ୟତା ଏବଂ ମୂଲ୍ୟାୟନ ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଭାବରେ ରାଜ୍ୟପାଳମାନେ ଏହି ସଂସ୍କାର ପ୍ରକ୍ରିୟାରେ ଯୋଗଦାନ କରିବାକୁ ସେ ଅନୁରୋଧ କରିଥିଲେ।
ଗରିବ, ସୀମାବର୍ତ୍ତୀ ଅଞ୍ଚଳ, ବଞ୍ଚିତ ବର୍ଗ ଓ ଅଞ୍ଚଳର ବିକାଶ ଏବଂ ବିକାଶ ଯାତ୍ରାରେ ପଛୁଆ ଥିବା ଲୋକଙ୍କ ବିକାଶକୁ ଭାରତ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । ଅନୁସୂଚିତ ଜନଜାତି ଅଞ୍ଚଳରେ ଆମ ଆଦିବାସୀ ଜନସଂଖ୍ୟାର ଏକ ବଡ଼ ଅଂଶ ବସବାସ କରନ୍ତି ବୋଲି ସେ ଦର୍ଶାଇ ଏହି ଅଞ୍ଚଳର ଜନସାଧାରଣଙ୍କ ସାମଗ୍ରିକ ବିକାଶ ପାଇଁ ଉପାୟ ପରାମର୍ଶ ଦେବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ ।
ଯୁବପିଢ଼ିଙ୍କ ଶକ୍ତିକୁ ସକାରାତ୍ମକ ଓ ଗଠନମୂଳକ କାର୍ଯ୍ୟରେ ନିୟୋଜିତ କରାଗଲେ ‘ଯୁବ ବିକାଶ’ ଓ ‘ଯୁବ ନେତୃତ୍ବାଧୀନ ବିକାଶ’ ଅଧିକ ତ୍ୱରାନ୍ୱିତ ହେବ ବୋଲି ରାଷ୍ଟ୍ରପତି କହିଥିଲେ। ‘ମୋ ଭାରତ’ ଅଭିଯାନ ଏଥିପାଇଁ ଏକ ସୁଚିନ୍ତିତ ବ୍ୟବସ୍ଥା ପ୍ରଦାନ କରୁଛି। ରାଜ୍ୟପାଳମାନେ ଏହି ଅଭିଯାନ ସହ ଜଡ଼ିତ ଲୋକଙ୍କୁ ପ୍ରୋତ୍ସାହିତ କରିବା ଉଚିତ, ଯାହାଦ୍ୱାରା ଅଧିକରୁ ଅଧିକ ଯୁବବର୍ଗ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।
‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହା ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଲୋକଙ୍କୁ ପରସ୍ପରକୁ ବୁଝିବା ଏବଂ ପରସ୍ପର ସହ ଯୋଡ଼ି ହେବାରେ ସକ୍ଷମ କରିଛି। ଏକତାର ଭାବନାକୁ ଆହୁରି ସୁଦୃଢ଼ କରିବାରେ ଯୋଗଦାନ କରିବାକୁ ସେ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଛନ୍ତି।
ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂ ଭଳି ଆହ୍ୱାନର ମୁକାବିଲା ପାଇଁ ଅନେକ ପ୍ରୟାସ କରାଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି । ରାଜ୍ୟପାଳମାନେ ‘ଏକ ପେଡ୍ ମା କେ ନାମ’ ଅଭିଯାନକୁ ବ୍ୟାପକ ସ୍ତରରେ ଜନଆନ୍ଦୋଳନରେ ପରିଣତ କରି ଏଥିରେ ଯୋଗଦାନ ଦେଇପାରିବେ।
ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରି ଆମେ ମାଟିର ଉର୍ବରତା ବୃଦ୍ଧି କରିପାରିବା ଏବଂ କୃଷକଙ୍କ ଆୟ ବଢ଼ାଇ ପାରିବା ବୋଲି ରାଷ୍ଟ୍ରପତି କହିଥିଲେ। ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ରାଜଭବନ ଗୁଡ଼ିକ ଉଦାହରଣ ସୃଷ୍ଟି କରିପାରିବେ ବୋଲି ସେ କହିଥିଲେ।
ସମସ୍ତ ରାଜ୍ୟପାଳ ଲୋକଙ୍କ ସେବା ଓ କଲ୍ୟାଣ ରେ ଯୋଗଦାନ ଜାରି ରଖିବେ ଏବଂ ସେମାନଙ୍କ ଦ୍ୱାରା ନିଆଯାଇଥିବା ଶପଥକୁ ନ୍ୟାୟ ଦେବେ ବୋଲି ରାଷ୍ଟ୍ରପତି ବିଶ୍ୱାସ ବ୍ୟକ୍ତ କରିଥିଲେ ।
ଏହି ସମ୍ମିଳନୀରେ ବିଭିନ୍ନ ଅଧିବେଶନ ଆୟୋଜନ କରାଯିବ, ଯେଉଁଥିରେ ରାଜ୍ୟପାଳଙ୍କ ସବ୍-ଗ୍ରୁପ୍ ପ୍ରତ୍ୟେକ ଏଜେଣ୍ଡା ଆଇଟମ୍ ଉପରେ ବିଚାର ବିମର୍ଶ କରିବେ। ରାଜ୍ୟପାଳଙ୍କ ବ୍ୟତୀତ ଏହି ଅଧିବେଶନରେ କେନ୍ଦ୍ର ମନ୍ତ୍ରୀ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଯୋଗ ଦେବେ। ଆସନ୍ତାକାଲି (ଅଗଷ୍ଟ ୩, ୨୦୨୪) ଶେଷ ଅଧିବେଶନରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଅଂଶଗ୍ରହଣକାରୀଙ୍କ ସମ୍ମୁଖରେ ସବ୍-ଗ୍ରୁପ୍ ଗୁଡ଼ିକର ମତାମତ ଓ ପରାମର୍ଶ ଉପସ୍ଥାପନ କରାଯିବ।