Categories
ଆଜିର ଖବର ଖେଳ ଜାତୀୟ ଖବର

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ୨୦୨୩ ଘୋଷିତ

ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆଜି  ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ୨୦୨୩ ଘୋଷଣା କରାଯାଇଛି। ଜାନୁଆରୀ ୦୯, ୨୦୨୪ (ମଙ୍ଗଳବାର) ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ବିଜେତାମାନେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ।

କ୍ରୀଡ଼ା ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ଆଖିଦୃଶିଆ ଭୂମିକା ଗ୍ରହଣ କରିଥିବା କର୍ପୋରେଟ୍ ସଂସ୍ଥା (ଉଭୟ ଘରୋଇ ଓ ସରକାରୀ କ୍ଷେତ୍ର), କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ରାଜ୍ୟ ଓ ଜାତୀୟ ସ୍ତରର କ୍ରୀଡ଼ା ସଂଗଠନ ମାନଙ୍କୁ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ପ୍ରଦାନ କରାଯାଏ ।

ଏଥି ପାଇଁ ଅନ୍‌ଲାଇନ୍‌ରେ ଆବେଦନ ଆହ୍ୱାନ କରାଯାଇଥିଲା ଏବଂ କ୍ରୀଡ଼ାବିତ୍ / ପ୍ରଶିକ୍ଷକ/ ସଂସ୍ଥା ଗୁଡ଼ିକୁ ଏକ ଉତ୍ସର୍ଗୀକୃତ ଅନଲାଇନ୍ ପୋର୍ଟାଲ୍ ଜରିଆରେ ସ୍ୱୟଂ ଆବେଦନ କରିବାକୁ ଅନୁମତି ଦିଆଯାଇଥିଲା । ୨୦୨୩ ମସିହାରେ ଏହି ପୁରସ୍କାର ପାଇଁ ବହୁ ସଂଖ୍ୟକ ଆବେଦନ / ନାମାଙ୍କନ ମିଳିଥିଲା, ଯାହାକୁ ଭାରତ ସରକାରଙ୍କ ସଚିବ (କ୍ରୀଡ଼ା) ଶ୍ରୀମତୀ ସୁଜାତା ଚତୁର୍ବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ନିକଟରେ ଉପସ୍ଥାପିତ କରାଯାଇଥିଲା ଏବଂ ଏଥିରେ ପୂର୍ବ ପୁରସ୍କାରପ୍ରାପ୍ତ, ଶିଳ୍ପ ସଂଘ, କ୍ରୀଡ଼ା ସାମ୍ବାଦିକ / ବିଶେଷଜ୍ଞ /ଭାଷ୍ୟକାର, ରାଜ୍ୟ ସରକାରଙ୍କ ସଚିବ (କ୍ରୀଡ଼ା), ଭାରତୀୟ ଅଲିମ୍ପିକ୍ ସଂଘ ଏବଂ କ୍ରୀଡ଼ାରେ ସକ୍ରିୟ ଥିବା ସ୍ୱେଚ୍ଛାସେବୀ ସଂସ୍ଥା ଗୁଡିକର ସଦସ୍ୟମାନେ ସାମିଲ ହୋଇଥିଲେ ।

ଭାରତର ଜାତୀୟ କ୍ରୀଡ଼ା ପୁରସ୍କାରର ୬ଟି ମୁଖ୍ୟ ପୁରସ୍କାର ହେଉଛି ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ବା କେବଳ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ମେଜର ଧ୍ୟାନଚାନ୍ଦ ପୁରସ୍କାର, ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି, ଯାହାକୁ ମାକା ଟ୍ରଫି ମଧ୍ୟ କୁହାଯାଏ ଏବଂ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ।

କମିଟିର ସୁପାରିସ ଆଧାରରେ ଏବଂ ଉପଯୁକ୍ତ ଯାଞ୍ଚ ପରେ ସରକାର ନିମ୍ନଲିଖିତ ସଂସ୍ଥାଗୁଡ଼ିକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି:

ପୁରସ୍କାରର ନାମ: ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ୨୦୨୩

କ୍ର. ସଂ :

 

ଶ୍ରେଣୀ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ୨୦୨୩ ପାଇଁ ଘୋଷିତ ବିଜେତା
୧. ଉଦୀୟମାନ / ଯୁବ ପ୍ରତିଭାଙ୍କୁ ପରିଚିତ କରାଇବା ଏବଂ ପୃଷ୍ଠପୋଷକତା ଜୈନ ଡିମ୍ଡ  ଟୁ ବି ୟୁନିଭରସିଟି, ବେଙ୍ଗାଲୁରୁ

 

୨.

 

କର୍ପୋରେଟ୍ ସାମାଜିକ ଉତ୍ତର ଦାୟିତ୍ୱ ମାଧ୍ୟମରେ କ୍ରୀଡ଼ାକୁ ପ୍ରୋତ୍ସାହନ ଓଡ଼ିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍‌

 

ଜାନୁଆରୀ ୦୯ , ୨୦୨୪ (ମଙ୍ଗଳବାର) ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ବିଜେତାମାନେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ଭବନରେ “ଶକ୍ତି ହାଟ”ର ଲୋକାର୍ପଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଭବନ ଠାରେ ନବୀକରଣ ହୋଇଥିବା ସିଲେଇ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର “ଶକ୍ତି ହାଟ”ର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ଭବନର ମହିଳା ବାସିନ୍ଦାମାନଙ୍କୁ ସଶକ୍ତ କରିବା ତଥା ସେମାନଙ୍କୁ ସ୍କିଲ୍, ଅପ୍ ସ୍କିଲ୍ କରାଇବା ପାଇଁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କ “ଶକ୍ତି ହାଟ” ଏକ କଲ୍ୟାଣକାରୀ ପଦକ୍ଷେପ। ନାରୀଶକ୍ତି ସଶକ୍ତିକରଣର ଏହି ମହାନ ପଦକ୍ଷେପରେ ସ୍କିଲ୍ ଇଣ୍ଡିଆ ସହଯୋଗୀ ହେବା ଖୁସିର ବିଷୟ।

“ଶକ୍ତି ହାଟ”କୁ ଏକ ବହୁମୁଖୀ ଦକ୍ଷତା, ନବସୃଜନ ଏବଂ ଉଦ୍ୟମିତା କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟ ନେଇ ସ୍କିଲ୍ ଇଣ୍ଡିଆ ସହଯୋଗର ହାତ ବଢାଇବ । “ଶକ୍ତି ହାଟ”ରେ ନିର୍ମିତ ପ୍ରସ୍ତୁତ ସାମଗ୍ରୀ ଗୁଡିକ ଅମୃତ ଉଦ୍ୟାନରେ ଉପଲବ୍ଧ ହେବ। ଏହିପରି କୁଶଳୀ ପଦକ୍ଷେପ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଆର୍ଥିକ ରୂପେ ସବଳ କରବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୧୯, ୨୦୨୩) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଚାଡ୍, ବୁରୁଣ୍ଡି, ଫିନଲ୍ୟାଣ୍ଡ, ଆଙ୍ଗୋଲା ଏବଂ ଇଥିଓପିଆର ରାଷ୍ଟ୍ରଦୂତଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଯେଉଁମାନେ ସେମାନଙ୍କର ପ୍ରମାଣପତ୍ର ଉପସ୍ଥାପନ କରିଥିଲେ ସେମାନେ ହେଲେ:

୧. ଡିଲାହ ଲୁସିଏନ୍, ଚାଡ୍ ରିପବ୍ଲିକ୍ ର ରାଷ୍ଟ୍ରଦୂତ

୨. ବୁରୁଣ୍ଡି ଗଣତନ୍ତ୍ରର ରାଷ୍ଟ୍ରଦୂତ ବ୍ରିଗେଡିୟର ଜେନେରାଲ ଅଲୋୟସ୍ ବିଜିନ୍ଦାଭି

୩. ଫିନଲ୍ୟାଣ୍ଡ ଗଣତନ୍ତ୍ରର ରାଷ୍ଟ୍ରଦୂତ କିମ୍ମୋ ଲାହଡେଭିର୍ତା

୪. ଆଙ୍ଗୋଲା ଗଣତନ୍ତ୍ରର ରାଷ୍ଟ୍ରଦୂତ କ୍ଲେମେଣ୍ଟେ ପେଡ୍ରୋ ଫ୍ରାନ୍ସିସ୍କୋ କାମେନ୍ହା

୫. ଫେଡେରାଲ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ଇଥିଓପିଆର ରାଷ୍ଟ୍ରଦୂତ ଡେମେକ ଆଟନାଫୁ ଆମ୍ବୁଲୋ।

Categories
ବିଶେଷ ଖବର

କାମ୍ବୋଡିଆର ରାଜା ନୋରୋଡମ୍ ସିହାମୋନିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ସୋମବାର ଦିନ ଭାରତ ଗସ୍ତରେ ଆସିଥିବା କାମ୍ବୋଡିଆର ରାଜା ନୋରୋଡମ ସିହାମୋନିଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀ ଏବଂ ମହାମହିମ, ରାଜା ସିହମୋନି ଉଭୟ ଦେଶ ମଧ୍ୟରେ ଗଭୀର ସମ୍ପର୍କ, ଦୃଢ଼ ସାଂସ୍କୃତିକ ତଥା ଲୋକମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ବିଷୟରେ ସୂଚନା ଦେଇଛନ୍ତି।

ଦକ୍ଷତା ବୃଦ୍ଧି ସମେତ ବିଭିନ୍ନ କ୍ଷେତ୍ରରେ କାମ୍ବୋଡିଆ ସହିତ ଦ୍ୱିପାକ୍ଷିକ ସହଭାଗିତାକୁ ମଜବୁତ କରିବାକୁ ଭାରତର ସଂକଳ୍ପକୁ ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି। ବିକାଶ ସହଯୋଗରେ ଭାରତର ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ପାଇଁ ମହାମହିମ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏହା ସହିତ ଜି -୨୦ ର ଭାରତର ଅଧ୍ୟକ୍ଷତା ପାଇଁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି।

Categories
ବିଶେଷ ଖବର

ରାହୁଲ ଗାନ୍ଧୀଙ୍କ ସମର୍ଥନରେ ପଦଯାତ୍ରା କଲେ ବିରୋଧୀ ଦଳର ସାଂସଦ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ବିରୋଧୀ ଦଳର ସାଂସଦମାନେ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏକ ବିରୋଧ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ। ସାଂସଦମାନେ ବିଜୟ ଚୌକ୍ ନିକଟରୁ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ତେବେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଆଗକୁ ଯିବାକୁ ଦେଇ ନଥିଲେ। ରାଷ୍ଟ୍ରପତି ଭବନରେ ପହଞ୍ଚିବା ପୂର୍ବରୁ ସାଂସଦଙ୍କ ପଦଯାତ୍ରା ବନ୍ଦ କରିବାକୁ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିଲେ।

ବିରୋଧୀ ଦଳର ସାଂସଦମାନେ “ଗଣତନ୍ତ୍ର ବିପଦରେ” ସ୍ଲୋଗାନ ଦେଇ ନିଜର ପଦଯାତ୍ରା ଆରମ୍ଭ କରିଥିଲେ। ବିଜୟ ଚୌକ୍ ନିକଟରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା। ସାଂସଦମାନଙ୍କୁ ଗିରଫ କରିବା ପରେ ପୋଲିସ ଏକ ବିବୃତ୍ତି ମଧ୍ୟ ଦେଇଛି। ଯେଉଁଥିରେ କୁହାଯାଇଛି ଯେ, ସାଂସଦମାନେ ରାଷ୍ଟ୍ରାପତି ଭବନ ଅଭିମୁଖେ ଯାତ୍ରା କରିବାକୁ ଅନୁମତି ପାଇ ନାହାଁନ୍ତି।

ପ୍ରକାଶ ଯେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ହରାଇଛନ୍ତି। ‘ମୋଦୀ ଉପନାମ’ ମାମଲାରେ ମନ୍ତବ୍ୟ ଦେଇ ସୁରଟ କୋର୍ଟ ତାଙ୍କୁ ଦୁଇ ବର୍ଷ ଦଣ୍ଡିତ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଧାରା ୧୦୨ (୧) (ଇ) ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ମାର୍ଚ୍ଚ ୨୩ ତାରିଖ ସୁରଟ କୋର୍ଟର ନିଷ୍ପତ୍ତି ଦିନଠାରୁ ଚାଲିଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ମୋଦୀ ଉପନାମ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁରୁବାର ଦିନ ସୁରଟ କୋର୍ଟ ଦ୍ଵାରା ବର୍ଷ ଦଣ୍ଡିତ କରାଯାଇଛି। ତେବେ କୋର୍ଟ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ ୩୦ ଦିନ ସମୟ ଦେବା ସହିତ ତାଙ୍କ ଦଣ୍ଡ ସ୍ଥଗିତ ରଖାଯାଇଥିଲା।

ବାସ୍ତବରେ, ଲୋକ ପ୍ରତିନିଧୀ ଅଧିନିୟମ ୧୯୫୧ ର ଧାରା ୮ (୩) ଅନୁଯାୟୀ, ସଂସଦର ଜଣେ ସଦସ୍ୟ ଯେକୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ସହ ସର୍ବନିମ୍ନ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ ସଂସଦର ସଦସ୍ୟତା ପାଇଁ ଅଯୋଗ୍ୟ ହୋଇଥାନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଏକ ସମ୍ମାନ ପ୍ରଦାନ ସମାରୋହରେ ୨୦୨୩ ବର୍ଷ ପାଇଁ ତିନୋଟି ପଦ୍ମ ବିଭୂଷଣ, ଚାରିଟି ପଦ୍ମ ଭୂଷଣ ଏବଂ ୪୭ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି।

ଏହି ଅବସରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ର୍ବିଲା, କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ଯୋଗ ଦେଇଥିଲେ।

ସମ୍ମାନ ପ୍ରଦାନ ସମାରୋହ ପରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ନୂଆଦିଲ୍ଲୀ ସ୍ଥିତ ସୁଷମା ସ୍ୱରାଜ ଭବନରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାତ୍ର ଭୋଜନରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ।

ଆସନ୍ତାକାଲି (ମାର୍ଚ୍ଚ ୨୩, ୨୦୨୩) ସକାଳେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେମାନେ ଅମୃତ ଉଦ୍ୟାନ ଏବଂ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ମଧ୍ୟ ବୁଲି ଦେଖିବେ।

Categories
ଆଜିର ଖବର ଜାତୀୟ ଖବର

ବଦଳିଲା ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ନାମ, ହେଲା ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ବଗିଚା ବର୍ତ୍ତମାନ ଅମୃତ ଉଦ୍ୟାନ ନାମରେ ପରିଚିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ମୋଗଲ ଗାର୍ଡେନ ନାମରେ ଜଣାଶୁଣା ଏହି ଉଦ୍ୟାନର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତିଙ୍କ ଉପ ପ୍ରେସ ସଚିବ ନବିକା ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି ଯେ, ସ୍ୱାଧୀନତାର ଅମୃତ ମହୋତ୍ସବର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଭବନ ଉଦ୍ୟାନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅମୃତ ଉଦ୍ୟାନ ଭାବରେ ଏକ ସାଧାରଣ ନାମ ଦେଇଛନ୍ତି। ତେବେ ରାଷ୍ଟ୍ରପତି ଭବନ ୱେବସାଇଟରେ ଉଭୟ ନାମର ଉଲ୍ଲେଖ ଏପର୍ଯ୍ୟନ୍ତ ଦେଖିବାକୁ ମିଳିଛି।

ୱେବସାଇଟ୍ ଅନୁଯାୟୀ, ଅମୃତ ଉଦ୍ୟାନ ବର୍ତ୍ତମାନ ପର୍ଯ୍ୟନ୍ତ ବାର୍ଷିକ ଉତ୍ସବ, ଉଦ୍ୟାନ ଉତ୍ସବ ସମୟରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଉଥିଲେ। ଯାହା ଫେବୃଆରୀ-ମାର୍ଚ୍ଚ ମାସରେ ଅନୁଷ୍ଠିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଏହା ସାଧାରଣ ଲୋକଙ୍କ ପାଇଁ ଅଗଷ୍ଟରୁ ମାର୍ଚ୍ଚ ପର୍ଯ୍ୟନ୍ତ ଖୋଲା ରହିବ।

Categories
ବିଶେଷ ଖବର

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା, ଆଜି ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି।

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନକୁ ସ୍ୱାଗତ କରି ଭାରତର ରାଷ୍ଟ୍ରପତି କହିଛନ୍ତି ଯେ ଆମର ସହଯୋଗପୂର୍ଣ୍ଣ ଇତିହାସ, ଭାଷା ଏବଂ ସଂସ୍କୃତି ଆମକୁ ପରସ୍ପର ସହ ଯୋଡିଥାଏ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବହୁତ ଉନ୍ନତି ହୋଇଛି। ସେ କହିଛନ୍ତି ଯେ ବାଂଲାଦେଶ ସ୍ବାଧୀନତାର 50ତମ ବର୍ଷ ତଥା ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତୀକୁ ଦୁଇ ଦେଶ ଏକତ୍ର ପାଳନ କରିବା ପ୍ରକୃତରେ ସ୍ବତନ୍ତ୍ର ଅଟେ। ଏହି ଐତିହାସିକ ଉତ୍ସବରେ ଭାଗ ନେବାକୁ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାଂଲାଦେଶ ସହ ଭାରତର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦର୍ଶାଉଛି।

ରାଷ୍ଟ୍ରପତି ଏହି ଅବସରରେ କହିଛନ୍ତି ଯେ ବାଂଲାଦେଶ ଏହାର ଲୋକଙ୍କ ସାମାଜିକ-ଅର୍ଥନୈତିକ ସମୃଦ୍ଧିରେ ବହୁତ ସଫଳତା ହାସଲ କରିଛି। ସେ ଆଶ୍ବାସନା ପ୍ରଦାନ କରିଛନ୍ତି ଯେ ବାଂଲାଦେଶର ବିକାଶ ଯାତ୍ରାରେ ଭାରତ ଏକ ନିର୍ଭରଯୋଗ୍ୟ ସହଭାଗୀ ହେବ।

ରାଷ୍ଟ୍ରପତି କହିଛନ୍ତି ଯେ ଆମର ସମ୍ପର୍କ ସବୁବେଳେ ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସ ଉପରେ ଆଧାରିତ। ମହାମାରୀ ଏବଂ ବର୍ତ୍ତମାନର ଅନ୍ତର୍ଜାତୀୟ ପରିସ୍ଥିତି ପରିପ୍ରେକ୍ଷୀରେ ବିଶ୍ୱ ସଙ୍କଟର ମୁକାବିଲା ପାଇଁ ଭାରତ ଏବଂ ବାଂଲାଦେଶ ଅର୍ଥନୈତିକ ଦୃଷ୍ଟିରୁ ଅଧିକ ମାତ୍ରାରେ ସଂଯୁକ୍ତ ହେବା ଆବଶ୍ୟକ। ସେ କହିଛନ୍ତି ଯେ ଏହି ଗସ୍ତ ଦ୍ବାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ପରିପକ୍ୱ ହେବ ଏବଂ ବିକାଶକୁ ତ୍ବରାନ୍ବିତ କରାଯାଇପାରିବ।

Categories
ବିଶେଷ ଖବର

ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଆଜି (୧୧-ଠ୮-୨ଠ୨୨) ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି। ଜଣେ ସ୍ୱନାମଧନ୍ୟ ଆଇନଜ୍ଞ ଓ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଶ୍ରୀ ଧନଖଡ଼ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଶପଥ ପାଠ କରାଇଥିଲେ।

ଶପଥ ଗ୍ରହଣ କରିବା ପୂର୍ବରୁ ଶ୍ରୀ ଧନଖଡ଼ ଆଜି ସକାଳେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। “ପୂଜ୍ୟ ବାପୁଙ୍କୁ ସମ୍ମାନ ପ୍ରଦର୍ଶନ କରି ନିଜକୁ ଅନୁପ୍ରାଣିତ ଓ ଉତ୍ସାହୀ ହୋଇ ରାଜଘାଟର ପୂଣ୍ୟ ପରିବେଶରେ ଭାରତର ସେବା ପାଇଁ ବ୍ରତୀ ହେବେ” ବୋଲି ଟ୍ୱିଟ୍ କରିଛନ୍ତି।

ଜଗଦୀପ ଧନଖଡ଼ଙ୍କ ସମ୍ପର୍କରେ ସମ୍ୟକ ସୂଚନା ନିମ୍ନରେ ପ୍ରଦତ୍ତ ହୋଇଛି

ଶ୍ରୀ ଧନଖଡ଼ ତାଙ୍କର ପ୍ରାଥମିକ ଶିକ୍ଷା କିଥନା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଲାଭ କରିଥିଲେ। ତା’ପରେ ସେ ଗର୍ଧନାର ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଚିତ୍ତୋରଗଡ଼ର ସୈନିକ ସ୍କୁଲରୁ ଶିକ୍ଷା ଲାଭ କରିଥିଲେ। ମହାବିଦ୍ୟାଳୟ ଶିକ୍ଷା ପାଇଁ ଶ୍ରୀ ଧନଖଡ଼ ମହାରାଜା କଲେଜରେ ଯୋଗଦେଇ ପଦାର୍ଥ ବିଜ୍ଞାନ ସମ୍ମାନ ସହ ବିଏସସି ଉତ୍ତୀର୍ଣ୍ଣ ହେଲେ। ତା’ପରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ହେଲେ।

ଜଗଦୀପ ଧନଖଡ଼ ଜଣେ ଆଇନଜୀବୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ତାଙ୍କ ବଂଶର ପ୍ରଥମ ବୃତ୍ତିଧାରୀ ହେବା ସତ୍ତ୍ୱେ ସେ ଦେଶର ଜଣେ ବିଶିଷ୍ଟ ଆଇନ ବିଶାରଦ ଭାବେ ଖ୍ୟାତି ଅର୍ଜନ କରିଥିଲେ। ୧୯୯ଠ ମସିହାରେ ସେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବରିଷ୍ଠ ଆଡଭୋକେଟ ମାନ୍ୟତା ପାଇଥିଲେ। ତା’ ପରଠାରୁ ଜଗଦୀପ ଧନଖଡ଼ ସୁପ୍ରିମକୋର୍ଟରେ ପ୍ରାଥମିକ ଆଇନ ବ୍ୟବସାୟ କରୁଥିଲେ। ଇସ୍ପାତ, କୋଇଲା, ଖଣିଜ ଓ ଅନ୍ତର୍ଜାତୀୟ ବାଣିଜ୍ୟିକ ମଧ୍ୟସ୍ଥତା ଇତ୍ୟାଦି ତାଙ୍କର ପ୍ରମୁଖ କ୍ଷେତ୍ର ଥିଲା। ସେ ଦେଶର ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ନ୍ୟାୟିକ ସେବା କରିବା ସହ ଜୁଲାଇ ୩ଠ, ୨ଠ୧୯ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ରାଜ୍ୟର ବରିଷ୍ଠତମ ଆଡଭୋକେଟ ଭାବେ କାର୍ଯ୍ୟ କରିଥିଲେ। ଆଇନ ବୃତ୍ତି କାଳରେ ଶ୍ରୀ ଧନଖଡ଼ ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନ ଜୟପୁରର ସର୍ବକନିଷ୍ଠ ସଭାପତି ଭାବେ ୧୯୮୭ ମସିହାରେ ନିର୍ବାଚିତ ହୋଇଥିଲେ। ବର୍ଷକ ପରେ ସେ ୧୯୮୮ରେ ରାଜସ୍ଥାନ ବାର କାଉନସିଲର ଜଣେ ସଦସ୍ୟ ମଧ୍ୟ ହୋଇ ପାରିଥିଲେ।

ସଂସଦ ସାଧାରଣ ଜୀବନ

ଜଗଦୀପ ଧନଖଡ଼ ୧୯୮୯ରେ ଝୁନଝୁନ ସଂସଦୀୟ କ୍ଷେତ୍ରରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ପରେ ସେ ୧୯୯ଠ ମସିହାରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ। ୧୯୯୩ ମସିହାରେ ସେ ଆଜମେର ଜିଲ୍ଲା କିଶନଗଡ଼ ନିର୍ବାଚନ ମଣ୍ଡଳୀରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଧାୟକ ଭାବେ ଶ୍ରୀ ଧନଖଡ଼ ଲୋକସଭା ଓ ରାଜସ୍ଥାନ ବିଧାନସଭାର ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। କେନ୍ଦ୍ରମନ୍ତ୍ରୀ ଭାବେ ସେ ସଂସଦୀୟ ପ୍ରତିନିଧି ଦଳର ଉପନେତା ଭାବେ ୟୁରୋପୀୟ ସଂସଦକୁ ଯାଇଥିଲେ। ଜୁଲାଇ ୨ଠ୧୯ରେ ଶ୍ରୀ ଧନଖଡ଼ ପଶ୍ଚିମବଙ୍ଗ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ।

ବ୍ୟକ୍ତିଗତ ବୃତ୍ତାନ୍ତ

ନାମ: ଜଗଦୀପ ଧନଖଡ଼

ପିତାଙ୍କ ନାମ: ସ୍ୱର୍ଗତଃ ଗୋଲଖ ଚାନ୍ଦ

ମାତାଙ୍କ ନାମ: ସ୍ୱର୍ଗତଃ କେଶରୀ ଦେବୀ

ଜନ୍ମ ତାରିଖ: ମେ’ ୧୮, ୧୯୫୧

ଜନ୍ମ ସ୍ଥାନ: ଗ୍ରାମ- କିଥନା, ଜିଲ୍ଲା ଝୁନଝୁନ, ରାଜସ୍ଥାନ

ବୈବାହିକ ସ୍ଥିତି: ବିବାହିତ (୧୯୭୯ ମସିହା)

ପତ୍ନୀଙ୍କ ନାମ: ଡକ୍ଟର ସୁଦେଶ ଧନଖଡ଼

ସନ୍ତାନ: ଏକମାତ୍ର କନ୍ୟା (ଶ୍ରୀମତୀ କାମନା)

ପୁସ୍ତକ ପଠନ ପ୍ରବୀଣ ଶ୍ରୀ ଧନଖଡ଼ ମଧ୍ୟ ଜଣେ କ୍ରୀଡ଼ାପ୍ରେମୀ। ସେ ରାଜସ୍ଥାନ ଅଲିମ୍ପିକ ସଂଘ ଓ ରାଜସ୍ଥାନ ଟେନିସ୍ ସଂଘର ସଭାପତି ଥିଲେ। ସଂଗୀତ ଓ ଭ୍ରମଣରେ ତାଙ୍କର ଅନ୍ୟତମ ରୁଚି ରହିଛି। ସେ ଯୁକ୍ତରାଷ୍ଟ, କାନାଡ଼ା, ୟୁକେ, ଇଟାଲୀ, ସ୍ୱିଜରଲାଣ୍ଡ, ଜର୍ମାନୀ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଚୀନ, ହଂକଂ ଓ ସିଙ୍ଗାପୁର ଇତ୍ୟାଦି ଦେଶ ସମେତ ଅନେକ ରାଷ୍ଟ୍ର ଗସ୍ତ କରିଛନ୍ତି।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଭବନରୁ ଆସିଲା ଏକ ବିଶେଷ ମୁର୍ହୁତର ଫଟୋ, ସମସ୍ତଙ୍କୁ କରିଦେଉଛି ଭାବବିହ୍ବଳ

ନୂଆଦିଲ୍ଲୀ: ଦେଶର ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କୁ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଏଥିସହିତ ରାଷ୍ଟ୍ରପତି ଭବନରେ ଦ୍ରୌପଦୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ କରାଯାଇଛି।

ତେବେ ସମସ୍ତ ଔପଚାରିକ ସରିବା ପରେ ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରୁ ବିଦାୟ ନେଇଥିଲେ। ଏହା ପର୍ବରୁ ସେ ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଆସନରେ ବସିବା ପାଇଁ ନିବେଦନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେହି ଆସନରେ ବସିଥିଲେ। ଆଉ ପାଖରେ ନିଜେ ଛିଡା ହୋଇ ଫଟୋ ଉଠାଇଥିଲେ ରାମନାଥ କୋବିନ୍ଦ।

ଏହି ଫଟୋଟି ଏକ ବିଶେଷ ମୁର୍ହତ ବା ବିରଳ ମୁର୍ହୁତର ଫଟୋ ବୋଲି କୁହାଯିବ। କାରଣ ଗତ ପାଞ୍ଚ ବର୍ଷ ଧରି ରାମାନାଥ କୋବିନ୍ଦ ଯେଉଁଠାକୁ ଯାଉଥିଲେ ସେଠାରେ ସେ ସର୍ବୋଚ୍ଚ ଆସନରେ ବସୁଥିଲେ। ତାଙ୍କ ଆଗରେ ଅନ୍ୟମାନେ ଛିଡା ହେଉଥିଲେ। ହେଲେ ଏହା ପ୍ରଥମ ଫଟୋ ଯାହା କି ଦ୍ରୌପଦୀ ମୁର୍ମୁ ଚ୍ୟାୟରରେ ବସିଛନ୍ତି କୋବିନ୍ଦ ତାଙ୍କ ପାଖରେ ଛିଡା ହୋଇଛନ୍ତି।

ଏହି ଫଟୋଟି ହେଉଛି ରାଷ୍ଟ୍ରପତି ଭବନର କମିଟ ରୁମର ଭିତର ଦୃଶ୍ୟ। ଯେଉଁଠାରେ ରାମନାଥ କୋବିନ୍ଦଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମୟରେ ରାମନାଥ କୋବିନ୍ଦ ତାଙ୍କୁ ସେ ବସୁଥିବା ଚ୍ୟାୟରରେ ବସିବା ପାଇଁ ନେଇଥିଲେ। ହେଲେ ଦ୍ରୌପଦୀ ହଠାତ ସେଠାରେ ବସିବାକୁ କୁଣ୍ଠାବୋଧ କରିଥିଲେ। ଏହି ସମୟରେ କୋବିନ୍ଦ ତାଙ୍କୁ ପୁଣି ଥରେ ବସିବା ପାଇଁ ନିବେଦନ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବସିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟ ଆସନରେ ବସାଇ କୋବିନ୍ଦ ପାଖରେ ଥିବା ଅତିଥୀଙ୍କ ଆସନରେ ବସିଥିଲେ। ଏହାପରେ ରାଷ୍ଟ୍ରପତିଙ୍କ ନିକଟକୁ କର୍ମଚାରୀମାନେ ଏକ ଫାଇଲ ନେଇ ଆସିଥିଲେ। ସେ ସେହି ଫାଇଲ ପଢି ଦସ୍ତଖତ କରିବା ପର୍ଯ୍ୟନ୍ତ ରାମନାଥ କୋବିନ୍ଦ ଅତିଥୀ ପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମୁଖରେ ବସିଥିଲେ।

ଏହା ହେଉଛି ଭାରତୀୟ ଗଣତନ୍ତ୍ରର ପରଂପରା। ଯାହା ଦେଶର ସର୍ବୋଚ୍ଚ ପଦବୀରେ ମଧ୍ୟ ଘଟିପାରୁଛି। ଦୀର୍ଘ ବର୍ଷ ଧରି ଭାରତରେ ଏହି ପରଂପରା ଜାରୀ ରହିଛି। ଯେତେବେଳେ ନୂଆ ରାଷ୍ଟ୍ରପତି ଶପଥ ନିଅନ୍ତି ତାଙ୍କୁ ବିଦାୟୀ ରାଷ୍ଟ୍ରପତି ଦେଶର ତଥା ସମ୍ବିଧାନର ନିୟମ ପାଳନ କରି ନୂତନ ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ନିଜର ସମସ୍ତ ଦାୟିତ୍ବ ହସ୍ତାନ୍ତର କରନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ପ୍ରତିରକ୍ଷା ଅଳଙ୍କରଣ ସମାରୋହ: ଗୋଟିଏ କିର୍ତ୍ତୀଚକ୍ର ଏବଂ ୧୪ଟି ଶୌର୍ଯ୍ୟ ଚକ୍ର ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ରାଷ୍ଟ୍ରପତି ତଥା ସଶସ୍ତ୍ର ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ରାମନାଥ କୋବିନ୍ଦ ରାଷ୍ଟ୍ର ସେବାରେ ଉଲ୍ଲେଖନୀୟ ଏବଂ ସର୍ବୋଚ୍ଚ ଅବଦାନ ଦେଇଥିବା ପୁଲିସ ଓ ସେନାବାହିନୀର ଅଧିକାରୀମାନଙ୍କୁ ବିଭିନ୍ନ ପଦକ ଦେଇ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ବାରା ଗୋଟିଏ କିର୍ତ୍ତୀ ଚକ୍ର (ମରଣୋତ୍ତର) ଏବଂ ୧୪ଟି ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି । ୮ ଜଣଙ୍କୁ ମରଣୋତ୍ତର ଭାବେ ସୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି। ମେ ୩୧, ୨୦୨୨ରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ଠାରେ ପ୍ରତିରକ୍ଷା ଅଳଙ୍କରଣ ସମାରୋହ (ପର୍ଯ୍ୟାୟ – ୨) ଆୟୋଜନ କରାଯାଇଥିଲା।

ଏହି ଅବସରରେ ସେନାବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୁଲିସ ବାହିନୀର ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଅଦମ୍ୟ ସାହସ, ଉଲ୍ଲେଖନୀୟ ବୀରତ୍ବ ଏବଂ କର୍ତ୍ତବ୍ୟ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ପାଇଁ ବୀରତା ପୁରସ୍କାର ପ୍ରଦାନ କରାଯାଇଛି।

ଅସାଧାରଣ ଭାବେ ଉଲ୍ଲେଖନୀୟ ସେବା ଯୋଗାଇ ଦେବା ଲାଗି ୧୩ଟି ପରମ ବିଶିଷ୍ଟ ସେବା ପଦକ ଏବଂ ୨୯ଟି ଅତିବିଶିଷ୍ଟ ସେବା ପଦକ ମଧ୍ୟ ରାଷ୍ଟ୍ରପତି ପ୍ରଦାନ କରିଥିଲେ।

Categories
ଫଟୋ ଖବର

ସ୍ବାଧୀନତା ଦିବସ ପୂର୍ବରୁ ରଂଗୀନ ଆଲୋକ ମାଳାରେ ଝଲସି ଉଠିଛି ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ, ରାତିପାହିଲେ ସ୍ବାଧୀନତା ଦିବସ. ଏହା ପୂର୍ବରୁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ରଂଗୀନ ଆଲୋକମାଳାରେ ଝଲସି ଉଠିଛି।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ଭବନରେ ଥିବା ସଫେଇକର୍ମୀଙ୍କ ବୋହୂ କରୋନା ପଜିଟିଭ୍‌ : କ୍ବାରେଣ୍ଟାଇନ୍‌କୁ ଗଲେ 125 ପରିବାର

ନୂଆଦିଲ୍ଲୀ: ଦେଶର ସବୁଠୁ ସୁରକ୍ଷିତ ସ୍ଥାନରେ ଏବେ କରୋନା ବିପଦ। ରାଷ୍ଟ୍ରପତି ଭବନ କାମ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ବୋହୂଙ୍କଠାରେ କରୋନା ପଜିଟିଭ୍‌ ମିଳିଛି। ସେ ତାଙ୍କ ପରିବାର ସହିତ ରାଷ୍ଟ୍ରପତି ଭବନ କ୍ୟାମ୍ପସ୍‌ରେ ରହୁଛନ୍ତି । କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେଠାରେ ରହୁଥିବା 125 ପରିବାରଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି।

ମିଳିଥିବା ସୂଚନା ଅନୁସାରେ ସଫାଇ କର୍ମୀଙ୍କ ବୋହୂଙ୍କ ମା କରୋନା ଯୋଗୁଁ ମୃତ୍ୟୁବରଣ କରିଥିଲେ। ଗ୍ରାମରେ ଅନ୍ତିମ ସଂସ୍କାରରେ ସଫାଇ କର୍ମୀ ସାମିଲ୍‌ ହୋଇଥିଲେ। ଏହା ପରେ ତାଙ୍କ ପରିବାରକୁ ଆଇସୋଲେସନ୍‌କୁ ପଠାଯାଇଥିବାବେଳେ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ସେଠାରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ତାଙ୍କ ବୋହୂଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପସ୍‌ରେ ରହୁଥିବା 125 ପରିବାରଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଏଥିରେ 25 ପରିବାର ସେହି ବ୍ଲକ୍‌ରେ ରହୁଛନ୍ତି, ସେଠାରେ ଏହି ପରିବାରରେ ରହୁଛନ୍ତି। ଏହି 25 ପରିବାରକୁ ଘରୁ ବାହାରିବାକୁ ମନା କରାଯାଇଥିବାବେଳେ ତାଙ୍କ ପାଇଁ ଖାଦ୍ୟ ରାଷ୍ଟ୍ରପତି ଭବନ ତରଫରୁ ଦିଆଯାଉଛି।

ସେହିପରି ଏହି ପରିବାରଙ୍କୁ ଗ୍ରୋସରୀ ଦୋକାନ ଯିବା ପାଇଁ ମନା କରାଯାଇଛି। ସଫେଇ କର୍ମୀଙ୍କ ପରିବାର ସହିତ ସମ୍ପର୍କରେ ଆସିଥିବା ପରିବାରର ମଧ୍ୟ କରୋନା ଟେଷ୍ଟ କରାଯାଇଛି। (ଏଜେନ୍ସି)