ନୂଆଦିଲ୍ଲୀ: ଗୁରୁ ଦିବସର ପବିତ୍ର ଅବସରରେ ନୂଆଦିଲ୍ଲୀସ୍ଥିତ ଏକ ବିଶେଷ ସମାରୋହରେ ସାରା ଦେଶର ଅସାଧାରଣ ଓ ଉତ୍ସର୍ଗୀକୃତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଜାତୀୟ ସମ୍ମାନ ସମାରୋହରେ ବିଦ୍ୟାଳୟ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ବୈଷୟିକ ତାଲିମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମଗ୍ର ଦେଶରୁ ମୋଟ ୮୨ ଜଣ ଶିକ୍ଷାବିତ୍ଙ୍କୁ ସମ୍ମାନିତ କରାଯାଇଛି। ଏହି କ୍ରମରେ ଓଡ଼ିଶାର ୪ ଜଣ ଗୁରୁ ସେମାନଙ୍କ ଅତୁଲନୀୟ ଶିକ୍ଷାଦାନ ଓ ସେବା ପାଇଁ ଏହି ପ୍ରତିଷ୍ଠିତ ଜାତୀୟ ପୁରସ୍କାର ଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।
ପୁରସ୍କୃତ ଓଡ଼ିଆ ଶିକ୍ଷକମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଉଚ୍ଚବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକ ମହମ୍ମଦ ଜଫର ଆଲମ, ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନର ଧାତୁ ପ୍ରଯୁକ୍ତିବିଦ୍ୟା ବିଭାଗର ସହ ପ୍ରାଧ୍ୟାପକ ଡାକ୍ତର ଶ୍ରୀକାନ୍ତ ଗୋଲାପୁଡ଼ି ଏବଂ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ପ୍ରଯୁକ୍ତି ସଂସ୍ଥାନର ଶିକ୍ଷକ ପ୍ରଣବ କୁମାର ଚୌଧୁରୀ ଶ୍ରେଷ୍ଠ ଗୁରୁ ଭାବେ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ଏହି ଅବସରରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶିକ୍ଷାର ବ୍ୟାପକତା ଓ ଏହାର ସାମାଜିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଆମ ସମ୍ବିଧାନରେ ଲିଖିତ ‘ସୁଯୋଗର ସମାନତା’ ଆଦର୍ଶକୁ ବାସ୍ତବ ରୂପ ଦେବାର ସବୁଠାରୁ ଶକ୍ତିଶାଳୀ ଓ ପ୍ରଭାବଶାଳୀ ମାଧ୍ୟମ ହେଉଛି ଶିକ୍ଷା। ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପାଠଛାଡ଼ିବା ହାରକୁ ନଗଣ୍ୟ ସ୍ତରକୁ ହ୍ରାସ କରିବାରେ ଶିକ୍ଷକମାନଙ୍କ ନିରବଚ୍ଛିନ୍ନ ଉଦ୍ୟମ ଓ ପ୍ରୟାସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି। ବିଦ୍ୟାଳୟ ଶିକ୍ଷା ହିଁ ସମଗ୍ର ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ଏବଂ ଶୈଶବ ଆବେଗରୁ ହିଁ ଶିକ୍ଷାର ସତ୍ୟ ଆରମ୍ଭ ହୋଇଥାଏ।
ଜ୍ଞାନ ଓ ଦକ୍ଷତା ମଣିଷ ଜୀବନର ଯେକୌଣସି ପର୍ଯ୍ୟାୟରେ ଅର୍ଜନ କରାଯାଇପାରେ, ମାତ୍ର ଶୈଶବ କାଳରେ ଶିଶୁମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ ଜାଗ୍ରତ କରିବା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ପ୍ରାରମ୍ଭିକ ଶ୍ରେଣୀରେ ପିଲାମାନଙ୍କର ବୌଦ୍ଧିକ, ଶାରୀରିକ ଏବଂ ନୈତିକ ବିକାଶ ଉପରେ ନିଷ୍ଠାର ସହିତ ଧ୍ୟାନ ଦେଇ ଆମର ଶିକ୍ଷକମାନେ ଭବିଷ୍ୟତ ପିଢ଼ିକୁ ଜଣେ ଜଣେ ଭଲ ଛାତ୍ର ଏବଂ ସଚେତନ ନାଗରିକ ରୂପେ ଗଢ଼ିତୋଳି ପାରିବେ। ଏତଦ୍ବ୍ୟତୀତ ଶିକ୍ଷକମାନେ ସେମାନଙ୍କର ସ୍ନେହ, ମମତା ଓ ସମର୍ପଣ ଭାବ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀଙ୍କ ଅନ୍ତରରେ ଜ୍ଞାନ, ପ୍ରେରଣା, ନୈତିକତା ଏବଂ ସମ୍ବେଦନଶୀଳତା ସୃଷ୍ଟି କରିବା ଉଚିତ ବୋଲି ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଥିଲେ।


