ବିଜେଡି ପାଳନ କଲା ବିଶ୍ବ ଆଦିବାସୀ ଦିବସ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଏପରି କଥା

Published: Aug 9, 2024, 9:13 pm IST

ଭୁବନେଶ୍ବର: ଆଜି ବିଶ୍ବ ଆଦିବାସୀ ଦିବସ ତଥା କ୍ରାନ୍ତୀ ଦିବସକୁ ପାଳନ କରିଛି ବିଜୁ ଜନତା ଦଳ। ଏଥିରେ ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଯୋଗଦେଇ ଯାହା କହିଲେ ତାହା ହେଲା…

ସମସ୍ତଙ୍କୁ ନମସ୍କାର, ଆଜି, ଆମେ ବିଶ୍ୱ ଜନଜାତି ଦିବସ ପାଳନ କରୁଛୁ। ଆଜି ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ହେଉଛି। ଏହି ଅବସରରେ, ସହିଦମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି।
ଓଡ଼ିଶା ପାଇଁ ଆଜି ଦିନର ବିଶେଷ ଗୁରୁତ୍ୱ ରହିଛି । ପ୍ରାୟ ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି। ଆମ ଓଡ଼ିଶାରେ ୬୪ ପ୍ରକାରର ଜନଜାତି ଏବଂ ୧୩ ଆଦିମ ଜନଜାତି, ଭାଇଭଉଣୀ ବାସ କରନ୍ତି।

ଜନଜାତି ଭାଇଭଉଣୀ ମାନଙ୍କ କଲ୍ୟାଣ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା। ମୁଁ ବହୁତ ଖୁସି ଯେ, କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜ, ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ରାଉରକେଲାରେ ଭଗବାନ ବିର୍ଶାମୁଣ୍ଡା ହକି ଷ୍ଟାଡିୟମ ବିଜେଡି ସରକାର କରିଛି।

ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସରକାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥ‍ିଲା। ଏହା ଥିଲା ସାରା ଦେଶରେ ନୂଆ। ଜଙ୍ଗଲ ଜମି ଅଧିକାର ହେଉ ବା ଶିକ୍ଷାର ପ୍ରସାର ବା ଜୀବିକାର ସୁରକ୍ଷା ବା ସାନ୍ତାଳି ଭାଷାକୁ ସମ୍ବିଧାନର ଅଷ୍ଠମ ପରିଚ୍ଛଦରେ ସାମିଲ କରିବା ଏସବୁ କାମ ବିଜେଡି ସରକାର ସମୟରେ ହି ହୋଇଛି। ଶିକ୍ଷା ଓ ଜୀବିକା ର ବିକାଶ ସେମାନଙ୍କ ସଶକ୍ତିକରଣ ପାଇଁ ଖୁବ ଜରୁରୀ।

ଦୀର୍ଘ ଦିନରୁ କେନ୍ଦ୍ରରେ ବିଚାରାଧୀନ ଥିବା ଓଡିଶାର ଏସଟି ତାଲିକାରେ 169 ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବାକୁ ବିଜେଡି ସରକାର ପ୍ରସ୍ତାବ ପଠାଇଛନ୍ତି। ଏହା ବ୍ୟତୀତ ବିଜେଡି ସରକାର ଆମ ସମ୍ବିଧାନର ଅଷ୍ଟମ କାର୍ଯ୍ୟସୂଚୀରେ ହୁ, ମୁଣ୍ଡାରୀ, ଭୁମିଜ ସଉରା ଆଦି ବିଭିନ୍ନ ଆଦିବାସୀ ଭାଷା ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରିଛୁ। ମୁଁ ଆଶା କରୁଛି ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ।

ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ଆମେ ଗର୍ବିତ। ସେମାନଙ୍କ ବିକାଶ ଓ ସ୍ୱତନ୍ତ୍ର ପରିଚୟର ସୁରକ୍ଷା ପାଇଁ ବିଜେଡି ତାର ଉଦ୍ଦ୍ୟମ ଜାରି ରଖ‍ିବ। ବନ୍ଦେ ଉତ୍କଳ ଜନନୀ

Related posts