ସରକାରୀ ବାସଭବନ ଖାଲି କଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ

Published: Jun 29, 2019, 2:10 pm IST

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କର ସରକାରୀ ବାସଭବନ ଖାଲି କରିଛନ୍ତି। ନୂଆଦିଲ୍ଲୀଠାରେ ୮ ସଫଦରଜଙ୍ଗସ୍ଥିତ ଥିବା ତାଙ୍କର ବାସଭବନକୁ ସେ ଖାଲି କରିଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହା ସହିତ ସେ ଟୁଇଟ୍‌ କରିଛନ୍ତି ଯେ, ତାଙ୍କର ପୁରୁଣା ଠିକଣାରେ ଏଣିକି କେହି ତାଙ୍କୁ ଯୋଗାଯୋଗ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟଗତ କାରଣରୁ ଚଳିତ ଥର ସୁଷମା ନିର୍ବାଚନ ନ ଲଢ଼ିବାକୁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ନ ରହିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଚଳିତ ଥର ଏସ୍‌. ଜୟଶଙ୍କର ବୈଦେଶିକ ମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ସୁଷମା ବିଦେଶ ମନ୍ତ୍ରୀ ଥିବା ସମୟରେ ଟୁଇଟ୍‌ରେ ବହୁତ ସକ୍ରିୟ ରହିଥିଲେ । ବିଦେଶରେ ରହିଥିଲେ ବି ଟୁଇଟର୍‌ ଜରିଆରେ ଭାରତୀୟଙ୍କ ସମସ୍ୟାର ସମାଧାନ କରୁଥିଲେ । ତାଙ୍କର ନିଆରା କାର୍ଯ୍ୟଶୈଳୀ ଯୋଗୁଁ ପ୍ରବାସୀ ଭାରତୀୟଙ୍କ ଭିତରେ ବହୁ ଲୋକପ୍ରିୟ ଥିଲେ ।

Related posts