ମଧ୍ୟପ୍ରଦେଶ ଇନ୍ଦୋର ନଗର ନିଗମର ଅଧିକାରୀଙ୍କୁ କ୍ରିକେଟ୍ ବ୍ୟାଟ୍ରେ ପିଟିବା ଅଭିଯୋଗରେ ଜେଲରେ ଥିବା ବିଧାୟକ ତଥା କ୍ରିକେଟ୍ ବ୍ୟାଟ୍ସମ୍ୟାନ୍ ଆକାଶ ବିଜୟବର୍ଗୀୟଙ୍କ ଜାମିନ ମଞ୍ଜୁର ହୋଇଛି। ଭୋପାଳ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ପରେ ସେ ଏବେ ଜେଲରୁ ମୁକୁଳିଛନ୍ତି। ଜେଲରେ ବହୁତ ଭଲ ସମୟ ସେ କଟାଇଛନ୍ତି ଏବଂ ଆଗାମୀ ଦିନରେ ଲୋକଙ୍କ ସେବା ଜାରି ରଖିବେ ବୋଲି ଆକାଶ ବିଜୟବର୍ଗୀୟ କହିଛନ୍ତି। ଆକାଶ ହେଉଛନ୍ତି ବରିଷ୍ଠ ବିଜେପି ନେତା କୈଳାସ ବିଜୟବର୍ଗୀୟାଙ୍କ ପୁଅ ଓ ସେ ପ୍ରଥମ ଥର ଇନ୍ଦୋର-୩ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବୁଧବାର ଗିରଫ ପରେ ଅଦାଲତ ତାଙ୍କୁ ଆସନ୍ତା ୭ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଦୁଇ ଥର ତାଙ୍କର ଜାମିନ ନାମଞ୍ଜୁର ହୋଇଥିଲା। ଶନିବାର ଭୋପାଳ ଜିଲ୍ଲା ଫାଷ୍ଟ ଟ୍ରାକ୍ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଶନିବାର ଦିନ କିଛି କାଗଜପତ୍ର ଜନିତ କାର୍ଯ୍ୟ ବାକି ରହିଥିବାରୁ ଆଜି ଜେଲ୍ରୁ ମୁକୁଳଛନ୍ତି ଆକାଶ। ଜେଲରୁ ମୁକୁଳିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଜନତାଙ୍କ ସେବା ଜାରି ରଖିବି। ଜେଲରେ ବହୁତ ଭଲ ସମୟ ବିତିଲା। କିନ୍ତୁ ପୁଣି ଥରେ ବ୍ୟାଟିଂ କରିବାକୁ ଭଗବାନ ଆଉ ସୁଯୋଗ ନ ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।