ଆଜି ପୁଣି ଖୋଲିବ ରତ୍ନଭଣ୍ଡାର, ଦିନ ଗୋଟାଏରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

Published: Aug 23, 2024, 11:07 am IST

ଭୁବନେଶ୍ବର: ଆଜି ପୁଣି ଥରେ ରତ୍ନଭଣ୍ଡାର ଖୋଲାଯିବ। ଅପରାହ୍ନ ପ୍ରାୟ ଦୁଇଟା ବେଳକୁ ବାହର ରତ୍ନଭଣ୍ଡାର ଏବଂ ଭିତର ରତ୍ନଭଣ୍ଡାର ଖୋଲାଯିବ। ଏ ନେଇ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟତଃ ଭିତର ଓ ବାହାର ରତ୍ନଭଣ୍ଡାରରେ ଥିବା ଆଲମିରା ଓ ସିନ୍ଧୁକକୁ ସ୍ଥାନାନ୍ତରିତ କରାଯିବ। ଏହାପରେ ରତ୍ନଭଣ୍ଡାରର ସ୍ଥିତି ଏଏସଆଇର ଏକ ଟିମ ଯାଞ୍ଚ କରିବେ।

ଏହି ସ୍ଥାନାନ୍ତରିତ ପାଇଁ ଏକ 12 ଜଣିଆ ଟିମ ଗଠନ କରାଯାଇଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ରତ୍ନଭଣ୍ଡାର ଯାଞ୍ଚ କମିଟ ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ପ୍ରମୁଖ ରହିଛନ୍ତି। ସେମାନେ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ପୁରୀ ଏସପି ସମସ୍ତଙ୍କୁ ଯାଞ୍ଚ କରି ଭିତରକୁ ଛାଡିବେ।

ଆଇନ ବିଭାଗ ଚିଠି ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଜାରରେ ଥିବା କାଠ ଓ ଲୁହା ଆଲମିରା ସିନ୍ଧୁକ ବାହାର କରାଯିବ। ସେଗୁଡିକ ଶ୍ରୀମନ୍ଦିର ଭିତରେ ଥିବା ନୀଳାଦ୍ରୀବିହାର ମ୍ୟୁଜିୟମ ନିକଟସ୍ଥ ଘରେ ରଖାଯିବ। ସେଥିପାଇଁ ଏହି ସମୟରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ତେବେ ଶ୍ରୀମନ୍ଦିରର ନୀତିକାନ୍ତି ଯଥାରୀତିରେ ଚାଲିବ। ଏପରିକି ଭକ୍ତମାନେ ମହାପ୍ରଭୃଙ୍କ ଅଭଢା ମଧ୍ୟ ପାଇପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ପୂର୍ବରୁ କମିଟ ଭିତର ରତ୍ନ ଭଣ୍ଡାରକୁ ପ୍ରବେଶ କରିବା ପରେ ସେଠାରୁ ସମସ୍ତଙ୍କ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି। ଏଗୁଡିକ ତିନୋଟି କାଠ ଅଲମିରା, ଗୋଟିଏ ଷ୍ଟିଲ ଆଲମିରା, ଗୋଟିଏ ଲୁହା ଆଲମିରା ଏବଂ ଦୁଇଟି କାଠ ସିନ୍ଧୁକରେ ଥିଲା। ଏହିଗୁଡିକ ଆଜି ସ୍ଥାନାନ୍ତରିତ କରାଯାଇ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯିବ।

Related posts