ବାଣପୁର ସରକାରୀ ବରିଷ୍ଠ ନାଗରିକ ଆବାସ ଗୃହ ପରିଦର୍ଶନ କଲେ ବିଚାରପତି

Published: Oct 2, 2024, 11:44 am IST

ବାଣପୁର (ସୀତାରାମ ଅଗ୍ରୱାଲ): ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବାଣପୁର ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ସ୍ଥାନୀୟ ମଙ୍ଗରାଜପୁର ସ୍ଥିତ ସରକାରୀ ବରିଷ୍ଠ ନାଗରିକ ଆବାସ ଗୃହ ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ମତ ବିନିମୟ କରିଥିଲେ। ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସରକାରୀ ସହାୟତା ସମ୍ବନ୍ଧୀୟ ଉଦିଷ୍ଟ ବିଭିନ୍ନ ଆଇନ ବିଷୟରେ ଆଲୋକପାତ କରିଥିଲେ।

ବରିଷ୍ଠ ନାଗରିକମାନେ ସମାଜର ମୂଳଦୁଆ ଏବଂ ସେମାନଙ୍କ ଅବଦାନ ସମାଜରେ ଅତୁଳନୀୟ ବୋଲି ଉଲ୍ଲେଖ କରିଥିଲେ ବିଚାରପତି ଶ୍ରୀ ମହାପାତ୍ର। ସମ୍ପ୍ରତି ସମୟରେ ବିଭିନ୍ନ ସ୍ଥାନରେ ବରିଷ୍ଠ ନାଗରିକ ମାନଙ୍କୁ ଉପେକ୍ଷା ତଥା ନିର୍ଯ୍ୟାତନା ହେଉଥିବାର ଅଭିଯୋଗ ଆସୁଅଛି ଏବଂ ଏହାର ପ୍ରତିକାର ପାଇଁ ସମ୍ବିଧାନରେ ଥିବା ଏକାଧିକ ଆଇନ ବିଷୟରେ ବିସ୍ତୃତ ଭାବେ ବିଚାରପତି ଅନ୍ତେବାସୀଙ୍କୁ ବୁଝାଇଥିଲେ।

ତତସହିତ ଯଦି କୌଣସି ଅନ୍ତେବାସୀ ସରକାରୀ ସହାୟତା ତଥା ଆଇନଗତ ଅଧିକାରରୁ ବଞ୍ଚିତ ହୁଅନ୍ତି ତେବେ ସେ ନିର୍ଦ୍ବନ୍ଦରେ ବରିଷ୍ଠ ନାଗରିକ ଆବାସ ଗୃହର ପରିଚାଳକଙ୍କ ଜରିଆରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିପାରିବେ ବୋଲି କହିଥିଲେ ବିଚାରପରତି।

ପରିଶେଷରେ ବିଚାରପତି ଶ୍ରୀ ମହାପାତ୍ର ଅନ୍ତେବାସୀଙ୍କ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପଚାରିବୁଝିବା ସହ ତାହାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ।

ତେବେ ବିଚାରପତିଙ୍କ ଉକ୍ତ ପରିଦର୍ଶନ ଦ୍ୱାରା ଅନ୍ତେବାସୀମାନେ ଖୁବ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି।

ଉକ୍ତ କାର୍ଯ୍ୟକ୍ରମରେ ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ,ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ଏବଂ ଆଇନଜୀବୀ ସୀତାରାମ ଅଗ୍ରୱାଲ ଯୋଗଦେଇଥିଲେ।

Related posts