ବାଣପୁରର ଝିଅ ଶିବାନୀ ରାଉତ ଓଏଏସ ପରୀକ୍ଷାରେ ମାରିଲେ ବାଜି, ସାରା ଅଞ୍ଚଳରେ ଖୁସି

Published: Oct 19, 2024, 9:56 pm IST

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ପ୍ରକାଶ ପାଇଛି ଓଡ଼ିଶା ସିଭିଲ ସର୍ଭିସ ୨୦୨୨ ରେଜଲ୍ଟ। ଏଥିରେ ବାଜିମାତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଝିଅ ଶିବାନୀ ରାଉତ। ସମଗ୍ର ଓଡ଼ିଶାରେ ୧୭୦ ତମ ସ୍ଥାନ ଅଧିକାର କରି ବାଣପୁର ପାଇଁ ଗୌରବ ଆଣିଛନ୍ତି ଶିବାନୀ। ସେ ହେଉଛନ୍ତି ବାଣପୁର ବ୍ଲକ ଭୀମପୁର ଗ୍ରାମର ନାରାୟଣ ରାଉତ ଓ କବିତା ରାଉତଙ୍କ କନିଷ୍ଠ କନ୍ୟା।

ସେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ୨୦୧୬ ମସିହାରେ ସ୍ନାତକ ପାସ କରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୨୦୧୮ ମସିହାରେ ରାଜନୀତି ବିଜ୍ଞାନରେ ସ୍ନାତକୋତର କରିଛନ୍ତି। ପରବର୍ତୀ ସମୟରେ ୨୦୨୨ ମସିହାରେ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ରୁ ବିଇଡ଼ି ଡିଗ୍ରୀ ହାସଲ କରିଛନ୍ତି।

ଏହାପରେ ସେ ଗତବର୍ଷ ଡ଼ିଏଭି ପବ୍ଲିକ ସ୍କୁଲରେ କିଛି ମାସ ଶିକ୍ଷକତା କରିଥିବା ବେଳେ ଚଳିତ ବର୍ଷ ସେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଏଏସଓ ଭାବେ କାର୍ଯ୍ୟରତ ଅଛନ୍ତି। ପିଲାଟି ଦିନରୁ ଶିବାନୀ ଭଲ ପାଠ ପଢ଼ୁଥିବା ବେଳେ ଓଏଏସ ହେବା ତାଙ୍କ ଲକ୍ଷ ଥିଲା କ୍ଷ ଏଥି ନିମନ୍ତେ ସେ ଦିନକୁ ୮-୧୦ ଘଣ୍ଟା ଯାଏଁ ପରିଶ୍ରମ କରୁଥିଲେ। ସେ ୨୦୨୦ ମସିହାରେ ଭୁବନେଶ୍ୱରର ଚାଣକ୍ୟ ଆଇଏଏସ ଏକାଡେମି ରେ ଏକ ବର୍ଷ ପାଇଁ କୋଚିଙ୍ଗ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ୟୁଟ୍ୟୁବ ରୁ ନିଜେ ପାଠ ପଢୁଥିଲେ।

ସମାଜର ପଛୁଆ ବର୍ଗ ଓ ନିଷ୍ପେସିତ ବ୍ୟକ୍ତିବିଶେଷଙ୍କ ଉନ୍ନତି ଦିଗରେ ସେ କାର‌୍ୟ୍ୟ କରିବେ ବୋଲି ଗଣମାଧ୍ୟମ କୁ କହିଛନ୍ତି। ଶିବାନୀଙ୍କ ଉକ୍ତ ସଫଳତାରେ ସମଗ୍ର ବାଣପୁର ଓ ଚିଲିକା ଅଞ୍ଚଳବାସୀ ଗର୍ବ ଅନୁଭବ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related posts