ଆମେରିକା ଫିଫା ମହିଳା ଫୁଟ୍ବଲ ବିଶ୍ବକପ୍ ଚାମ୍ପିୟନ୍ ହୋଇଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍ରେ ଆମେରିକା 2-0 ଗୋଲ୍ରେ ନେଦରଲାଣ୍ଡକୁ ପରାସ୍ତ କରିଛି। ପୂର୍ବରୁ 1991, 1999 ଏବଂ 2015ରେ ଆମେରିକା ବିଶ୍ବକପରେ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲେ। ଏହାକୁ ମିଶାଇ ରେକର୍ଡ ଚତୁର୍ଥ ଥର ପାଇଁ ଆମେରିକା ଚାମ୍ପିୟନ୍ ହୋଇଛି। ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିବା ପରେ ଦ୍ବିତୀୟାର୍ଦ୍ଧରେ ଆମେରିକା ଉଭୟ ଗୋଲ୍ ସ୍କୋର୍ କରିଥିଲା। ପେନାଲ୍ଟିରୁ ମ୍ୟାଚ୍ର 61 ତମ ମିନିଟ୍ରେ ପ୍ରଥମ ଗୋଲ୍ ସ୍କୋର କରିଥିଲା ଆମେରିକା । ଅଧିନାୟିକା ମେଗାନ୍ ରାପିନୋ ଗୋଲ୍ଦେଇ ଦଳକୁ ଆଗୁଆ କରିଥିଲେ। 69 ତମ ମିନିଟରେ ଆମେରିକାର ରୋଜ୍ମ୍ୟାରି ଲାଭେଲ୍ ଦଳ ପକ୍ଷରୁ ଦ୍ବିତୀୟ ଗୋଲ୍ ସ୍କୋର୍ କରିଥିଲେ। ଆମେରିକାର ମେଗାନ୍ ରାପିନୋ, ଆଲେକ୍ସ ମୋର୍ଗାନ୍ ଓ ଇଂଲଣ୍ଡର ଏଲେନ୍ ହ୍ବାଇଟ୍ ସର୍ବାଧିକ 6ଟି ଲେଖାଏଁ ଗୋଲ୍ ସ୍କୋର୍ କରିଥିବା ବେଳେ ମେଗାନ୍ ରାପିନୋ ଉଭୟ ଗୋଲ୍ଡେନ୍ ବଲ୍ ଓ ଗୋଲ୍ଡେନ୍ ବୁଟ୍ ହାସଲ କରିଥିଲେ। ଚାମ୍ପିୟନ୍ ହେବା ଫଳରେ ଆମେରିକା 4 ନିୟୁତ ଡଲାର ପୁରସ୍କାର ରାଶି ପାଇଛି।
ଫିଫା ମହିଳା ବିଶ୍ବକପ୍ : ଚତୁର୍ଥ ଥର ପାଇଁ ଆମେରିକା ଚାମ୍ପିୟନ୍
Published:
Jul 8, 2019, 11:17 am IST
Tags: