ସୋସିଆଲ ମିଡିଆ ଏବଂ ଏଆଇ ଗଭର୍ଣ୍ଣାନ୍ସ ଉପରେ ନୂଆ ଆଇନ ପାଇଁ ପ୍ରସ୍ତୁତ ଅଛି କେନ୍ଦ୍ର: ଅଶ୍ୱିନୀ ବୈଷ୍ଣବ

Published: Dec 11, 2024, 8:34 pm IST

ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, ରେଳବାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏଆଇ ପ୍ରଶାସନ ଏବଂ ବିକାଶ ଉପରେ ପ୍ରଶ୍ନର ଉତ୍ତର ଦେଇ ପରିବର୍ତ୍ତନଶୀଳ ଏଆଇ ପରିଦୃଶ୍ୟ, ସୋସିଆଲ ମିଡିଆ ଉତ୍ତରଦାୟିତ୍ୱ ଏବଂ ଏକ ଦୃଢ଼ ଆଇନଗତ ଢାଞ୍ଚାର ଆବଶ୍ୟକତା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋକପାତ କରିଛନ୍ତି। ଫେକ୍ ନ୍ୟୁଜର ମୁକାବିଲା ଏବଂ ଡିଜିଟାଲ୍ ଯୁଗରେ ବାସ୍ତବ ତଥ୍ୟ ସୁନିଶ୍ଚିତ କରିବା ଦାୟିତ୍ୱ ସହ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସନ୍ତୁଳିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସ୍ୱାଧୀନତା ବନାମ ଉତ୍ତରଦାୟିତ୍ୱ: ସର୍ବସମ୍ମତି ପାଇଁ ଆହ୍ୱାନ

ଶ୍ରୀ ବୈଷ୍ଣବ କହିଛନ୍ତି, ‘‘ବିଶେଷ କରି ମିଥ୍ୟା ଖବର ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରସାରଣ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମର ଉତ୍ତରଦାୟିତ୍ୱ ବର୍ତ୍ତମାନ ସମାଜ ସାମ୍ନା କରୁଥିବା ସବୁଠୁ ବଡ଼ ଆହ୍ୱାନ।’’ ସାମାଜିକ ଓ ଆଇନଗତ ଉତ୍ତରଦାୟିତ୍ୱ ପ୍ରତିଷ୍ଠା କରିବାକୁ ହେଲେ ସର୍ବସମ୍ମତି ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ‘‘ଏସବୁ ଏଭଳି ପ୍ରସଙ୍ଗ, ଯେଉଁଠି ଗୋଟିଏ ପଟେ ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି ଏବଂ ଅନ୍ୟପଟେ ଉତ୍ତରଦାୟିତ୍ୱ ଏବଂ ଏକ ଉଚିତ ବାସ୍ତବିକ ଖବର ନେଟୱର୍କ ନିର୍ମାଣ ହୋଇଥାଏ। ଏସବୁ ଉପରେ ବିତର୍କ ହେବାର ଆବଶ୍ୟକତା ରହିଛି ଏବଂ ଯଦି ସଦନ ସହମତ ହୁଏ ଏବଂ ସମଗ୍ର ସମାଜରେ ସର୍ବସମ୍ମତି ପ୍ରକାଶ ପାଏ, ତେବେ ଆମେ ଏକ ନୂତନ ଆଇନ ତିଆରି କରିପାରିବା’’, ସେ ମତପ୍ରକାଶ କରିଥିଲେ।

ଗୋପନୀୟତା-କେନ୍ଦ୍ରିତ ସ୍ୱଦେଶୀ ଏଆଇ ସମାଧାନ

କେନ୍ଦ୍ରମନ୍ତ୍ରୀ ଗୋପନୀୟତା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳନା ବ୍ୟବସ୍ଥା ବିଷୟରେ ଆଲୋକପାତ କରିବା ସହ ସ୍ୱଦେଶୀ ଉପକରଣ ଏବଂ ପ୍ରଯୁକ୍ତି ବିକଶିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ସକ୍ରିୟ ପଦକ୍ଷେପବିଷୟରେ ବିବରଣୀ ପ୍ରଦାନ କରିଥିଲେ।

ସେ କହିଥିଲେ ଯେ ଏଆଇ ମିଶନ ଅଧୀନରେ ଅନ୍ୟତମ ମୁଖ୍ୟ ସ୍ତମ୍ଭ ହେଉଛି ଆପ୍ଲିକେସନ୍ ବିକାଶ, ଯାହା ଭାରତର ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ ଉଦ୍ଭାବନ ଉପରେ ଧ୍ୟାନ ଦିଏ । ଉଦୀୟମାନ ଏଆଇ କ୍ଷେତ୍ରକୁ ଦୃଷ୍ଟିରେ ରଖି ଆମେ ଦେଶରେ ଉପକରଣ ଏବଂ ପ୍ରଯୁକ୍ତି ବିକଶିତ କରିବା ଉଦ୍ଦେଶ୍ୟରେ ଆଠଟି ପ୍ରକଳ୍ପ ଆରମ୍ଭ କରିଛୁ।’’

‘‘ସୁରକ୍ଷିତ ଏବଂ ବିଶ୍ୱସନୀୟ ଏଆଇ’’ ଆଧାରରେ ଚୟନ ହୋଇଥିବା ପ୍ରକଳ୍ପଗୁଡିକର ବିବରଣୀ ନିମ୍ନରେ ଦିଆଗଲା:

କ୍ରଂ.ସଂ- ବିଷୟ- ମନୋନିତ ଆବେଦନକାରୀ- ପ୍ରକଳ୍ପ ଶୀର୍ଷକ

୧- ମେସିନ ଅନଲର୍ଣ୍ଣିଂ- ଆଇଆଇଟି ଯୋଧପୁର- ଜେନେରେଟିଭ୍ ଫାଉଣ୍ଡେସନ୍ ମଡେଲରେ ମେସିନ୍ ଅନଲର୍ନିଂ

୨- ସିନ୍ଥେଟିକ୍ ଡାଟା ଜେନେରେସନ୍- ଆଇଆଇଟି ରୁରକୀ- ଡାଟାସେଟରେ ପକ୍ଷପାତିତା ହ୍ରାସ କରିବା ପାଇଁ ସିନ୍ଥେଟିକ୍ ଡାଟା ଉତ୍ପାଦନ ଲାଗି ଏକ ପଦ୍ଧତିର ଡିଜାଇନ୍ ଏବଂ ବିକାଶ; ଆହୁରି ମେସିନ୍ ଲର୍ଣ୍ଣିଂ ପ୍ରକ୍ରିୟାରେ ପକ୍ଷପାତିତା ହ୍ରାସ କରିବା ନିମନ୍ତେ ଉତ୍ତରଦାୟୀ ଏଆଇ ପାଇଁ ଢାଞ୍ଚା

୩- ଏଆଇ ପକ୍ଷପାତିତା ପ୍ରଶମନ ରଣନୀତି- ରାଷ୍ଟ୍ରୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାୟପୁର- ସ୍ୱାସ୍ଥ୍ୟ ସେବା ପ୍ରଣାଳୀରେ ପକ୍ଷପାତିତା ପ୍ରଶମନ ପାଇଁ ଉତ୍ତରଦାୟୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିକାଶ

୪- ବ୍ୟାଖ୍ୟାଯୋଗ୍ୟ ଏଆଇ ଫ୍ରେମୱାର୍କ- ଡିଆଇଏଟି ପୁଣେ ଏବଂ ମାଇଣ୍ଡଗ୍ରାଫ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍- ନିରାପତ୍ତା ପାଇଁ ବ୍ୟାଖ୍ୟାତ୍ମକ ଏବଂ ଗୋପନୀୟତା ସୁରକ୍ଷା ଏଆଇ ସକ୍ଷମ କରିବା

୫- ଗୋପନୀୟତା ବୃଦ୍ଧି ରଣନୀତି- ଆଇଆଇଟି ଦିଲ୍ଲୀ, ଆଇଆଇଆଇଟି ଦିଲ୍ଲୀ, ଆଇଆଇଟି ଧରୱାଡ ଏବଂ
ଟେଲିକମ୍ୟୁନିକେସନ୍ ଇଞ୍ଜିନିୟରିଂ ସେଣ୍ଟର (ଟିଇସି)- ଦୃଢ଼ ଗୋପନୀୟତା-ସଂରକ୍ଷଣ ମେସିନ୍ ଲର୍ଣ୍ଣିଂ ମଡେଲ୍

୬- ଏଆଇ ଗଭର୍ଣ୍ଣାନ୍ସ ଟେଷ୍ଟିଂ ଫ୍ରେମୱାର୍କ- ଅମୃତା ବିଶ୍ୱ ବିଦ୍ୟାପୀଠମ୍
ଏବଂ ଟେଲିକମ୍ୟୁନିକେସନ୍ ଇଞ୍ଜିନିୟରିଂ ସେଣ୍ଟର (ଟିଇସି)- ଏଲଏଲଏମ ପାଇଁ ଟ୍ରାକ୍-ଜ୍ଞାନ, ସ୍ୱଚ୍ଛତାର ମାକ୍ରୋ ମଡେଲ, ବିପଦ ଆକଳନ, ପ୍ରସଙ୍ଗ ଏବଂ ଭାଷା

୭- ଏଆଇ ନୈତିକ ସାର୍ଟିଫିକେସନ୍ ଫ୍ରେମୱାର୍କ- ଆଇଆଇଆଇଟି ଦିଲ୍ଲୀ ଓ
ଟେଲିକମ୍ୟୁନିକେସନ୍ ଇଞ୍ଜିନିୟରିଂ ସେଣ୍ଟର (ଟିଇସି)- ଏଆଇ ମଡେଲଗୁଡିକର ବାସ୍ତବିକତା ଆକଳନ କରିବା ପାଇଁ ଉପକରଣ

୮- ଏଆଇ ଆଲଗୋରିଦମ୍ ଅଡିଟିଂ ଟୁଲ୍- ନାଗରିକ ଡାଟା ଲ୍ୟାବ୍- ଏଏଆଇ – ଅଂଶୀଦାର ଆଲଗୋରିଦମିକ ଅଡିଟିଂ ପାଇଁ ଏକ ଓପନ୍ ସୋର୍ସ ଫ୍ରେମୱାର୍କ ଏବଂ ଟୁଲକିଟ୍

ଭାରତ: ଏଆଇ ଗଭର୍ଣ୍ଣାନ୍ସ ବ୍ୟବସ୍ଥା ଏବଂ ନୀତିରେ ବିଶ୍ୱର ଅଗ୍ରଣୀ ଦେଶ
ଶ୍ରୀ ବୈଷ୍ଣବ କହିଛନ୍ତି, ଏଆଇରେ ନୈତିକ ପ୍ରସଙ୍ଗ ଏକ ବିଶ୍ୱସ୍ତରୀୟ ଚିନ୍ତାର ବିଷୟ ଏବଂ ଦୃଢ଼ ବିତର୍କ ଏବଂ ଦାୟିତ୍ୱପୂର୍ଣ୍ଣ ଉଦ୍ଭାବନ ମାଧ୍ୟମରେ ଭାରତ ଏହି ଆହ୍ୱାନର ମୁକାବିଲା କରିବାକୁ ପ୍ରତିଶ୍ରୁତିବଦ୍ଧ। ଭାରତ ଯେପରି ନୈତିକ ଏଆଇ ବିକାଶରେ ଅଗ୍ରଣୀ ରହିବ ତାହା ଏହି ପ୍ରକଳ୍ପଗୁଡିକ ଅଧୀନରେ ବିକଶିତ ଉପକରଣଗୁଡିକ ଦ୍ୱାରା ସୁନିଶ୍ଚିତ ହେବ।

କେନ୍ଦ୍ର ମନ୍ତ୍ରୀ ଏଆଇରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏଆଇ ଗଭର୍ଣ୍ଣାନ୍ସ ଉପରେ ବିଶ୍ୱସ୍ତରୀୟ ବିଚାରକୁ ଆକାର ଦେଉଥିବା ଅଗ୍ରଣୀ ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ। ଗତବର୍ଷ ଭାରତ ଗ୍ଲୋବାଲ ପାର୍ଟନରସିପ୍ ଅନ୍ ଏଆଇ (ଜିପିଏଆଇ)ର ଅଧ୍ୟକ୍ଷ ହେବା ସହିତ ଚଳିତ ବର୍ଷ ଏହି ଶିଖର ସମ୍ମିଳନୀ ଆୟୋଜନ କରିଥିଲା। ଓଇସିଡି ଏବଂ ଜାତିସଂଘ ସମେତ ଅନ୍ତର୍ଜାତୀୟ ସଂସ୍ଥା ସହ ଆଲୋଚନାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ବୈଷ୍ଣବ କହିଥିଲେ ।

Related posts