କର୍ଣ୍ଣାଟକରେ ଲାଗି ରହିଥିବା ରାଜନୈତିକ ସଂକଟରେ ଭାରତୀୟ ଜନତା ପାର୍ଟିର କର୍ଣ୍ଣାଟକ ଅଧ୍ୟକ୍ଷ ବିଏସ ୟେଦୁରପ୍ପା ଶନିବାର ଗୃହରେ ଶକ୍ତି ପରୀକ୍ଷଣ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଯଦି ସରକାର ବିଶ୍ବାସ ପ୍ରସ୍ତାବ ଆଣିବାକୁ ଚାହୁଁଛନ୍ତି, ତେବେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ୟେଦୁରପ୍ପା । ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ କହିଛନ୍ତି ଯେ, ଗୃହରେ ଅନାସ୍ଥା ପ୍ରସ୍ତାବ ପାଇଁ ତାଙ୍କ ପାଖରେ ଦମ ରହିଛି। ତେଣୁ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ସମୟ ସ୍ଥିର କରିବାକୁ ସେ ବାଚସ୍ପତି କେଆର ରମେଶ କୁମାରଙ୍କୁ ଅନୁରୋଧ କରିଥିଲେ । ୟେଦୁରପ୍ପା କହିଛନ୍ତି ଯେ, ସେ ବାଗୀ କଂଗ୍ରେସ ବିଧାୟକଙ୍କ ସଂପର୍କରେ ରହିଛନ୍ତି । ତେଣୁ ଏଚ୍.ଡ଼ି କୁମାରସ୍ବାମୀ ତୁରନ୍ତ ଇସ୍ତଫା ପ୍ରଦାନ କରିବା ଦରକାର ନୂଆ ସରକାର ଗଠନ ହେବା ଦରକାର ବୋଲି କହିଛନ୍ତି ୟେଦୁରପ୍ପା । ଅପରପକ୍ଷରେ ବିଦ୍ରୋହୀ ପାଞ୍ଚ ବିଧାୟକ ସୁପ୍ରିମ୍କୋର୍ଟ ଯାଇଛନ୍ତି । ବାଚସ୍ପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ ନ କରିବା ଅଭିଯୋଗ କରିଛନ୍ତି ଏହି ବିଧାୟକ ଜଣକ । ସେହିପରି ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଯଥାସ୍ଥିତାବସ୍ଥା ଜାରି ରହିବ । ମଙ୍ଗଳବାର ପର୍ଯ୍ୟନ୍ତ ବାଚସ୍ପତି ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ । କର୍ଣ୍ଣାଟକର ରାଜନୀତିରେ ଘଡିକେ ଘୋଡା ଛୁଟୁଥିବାବେଳେ ସେଠାକାର ରାଜନୈତିକ ସଂକଟ କେଉଁଆଡକୁ ମୋଡ଼ ନେବ, ତାହା ଆଗାମୀ ସମୟ କହିବ ।