ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଧରପଣା ନୀତି ଆଜି ଅନୁଷ୍ଠିତ ହେବ। ରଥ ଉପରେ ଏହି ନୀତି ରାତି ୮ ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ଯାଏଁ ଚାଲିବ। ତିନି ଠାକୁରଙ୍କଠାରେ ୯ ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ। ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ରଥରେ ମାଉସୀଙ୍କ ପାଖକୁ ଯିବା ପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଚଣ୍ଡୀ, ଚାମୁଣ୍ଡା ମାନେ ଘୁରି ବୁଲୁଥାନ୍ତି। ଏମାନଙ୍କୁ ଶାନ୍ତି କରିବା ପାଇଁ ରଥ ଉପରେ ବିରାଜମାନ ଶ୍ରୀଜିଉ ମାନଙ୍କ ସମ୍ମୁଖରେ ଅଧରପଣା ପୂଜା କରାଯାଇଥାଏ। ମହାପ୍ରଭୁଙ୍କ ଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡୀ, ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥାଏ। ସ୍ୱତନ୍ତ୍ର ଶୈଳୀରେ ଠାକୁରମାନଙ୍କ ଅଧର ଉଚ୍ଚର ନିର୍ମିତ ୯ଟି ମାଟି ହାଣ୍ଡିରେ ଏହି ପଣା ତିନି ରଥ ଉପରେ ପୂଜା ହେବ। ତିନି ଠାକୁରଙ୍କ ସମ୍ମୁଖରେ ତିନୋଟି ଅଧର ହାଣ୍ଡିରେ ପଣା ଭୋଗ କରାଯିବ। ରଥ ଉପରେ ଅଧରପଣା ନୀତି ଶେଷ ହେବା ପରେ ନିଳାଦ୍ରୀ ବିଜେ ପାଇଁ ସୋମବାର ସକାଳୁ ନୀତିକାନ୍ତି ଆରମ୍ଭ ହୋଇଯିବ।
Tags: