ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଆଜି ସନ୍ଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ବାଣପୁର ବାଲୁଗାଁ ରାସ୍ତାର ଅନ୍ତରକିଆରୀ ଛକ ଠାରେ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଭୁବନେଶ୍ଵର ଶିରିପୁର ଅଞ୍ଚଳର ସୁକାନ୍ତ ଦେହୁରୀ ନାମକ ଜଣେ ଯୁବକ କିଛି ବର୍ଷ ହେଲା ବାଣପୁରର ବିଭିନ୍ନ ଟେଣ୍ଟ ହାଉସରେ କାମ କରି ଆସୁଥିଲେ। ତାଙ୍କର କିଛି ମଜୁରୀ ଟଙ୍କା କୌଣସି ଏକ ମାଲିକ ପାଖରେ ବାକି ରହିଯାଇଥିଲା। ବାକି ଟଙ୍କା ପାଇବା ଆଶାରେ ସୁକାନ୍ତ ଭୁବନେଶ୍ଵରରୁ ବାଣପୁର ଆସିଥିଲେ। ସୁକାନ୍ତ ସାଙ୍ଗରେ ଆଣିଥିବା ତାଙ୍କ ସ୍ତ୍ରୀ ଏବଂ ତିନି ବର୍ଷର ଶିଶୁକୁ ନେଇ ଅଟୋରେ ବାଲୁଗାଁ ରେଲୱେ ଷ୍ଟେସନକୁ ଫେରୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଅଟୋଟି ଅନ୍ତରକିଆରୀ ଛକ ନିକଟରେ ଲେଉଟି ପଡିବାରୁ ତାଙ୍କ ଝିଅ ଶୁଭଶ୍ରୀ ଦେହୁରୀର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।