
ବାଣପୁର: ବିଦ୍ୟୁତକାଟ ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଟିପିସିଓଡିଏଲ ଅଫିସ ଘେରାଉ କଲେ ଏକାଧିକ ଗ୍ରାମବାସୀ। ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ଅନ୍ତର୍ଗତ ସାନସିରେଇପୁର ଓ ତ୍ରିଲୋଚନପୁର ଗ୍ରାମବାସୀ ମାନେ ଆଜି ଆଙ୍କୁଲା ସ୍ଥିତ ବିଦ୍ୟୁତ ଅଫିସ ଘେରାଉ କରିଥିଲେ।
ଉକ୍ତ ଦୁଇ ଗ୍ରାମରେ ପ୍ରାୟତଃ ରାତି ୯ ରୁ ସକାଳ ୬ ଘଟିକା ଯାଏଁ ବିଦ୍ୟୁତ କାଟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ଟିପିସିଓଡିଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇଙ୍କୁ ପଚାରିବାରୁ ବାଣପୁର ବ୍ଲକର ଏକାଧିକ ଗ୍ରାମରେ ରାତିରେ ହାତୀ ମାନେ ଆସୁଥିବାର ଦେଖିବାକୁ ମିଳୁଛି। ତେଣୁ ହାତୀଙ୍କ ସୁରକ୍ଷା ନିମନ୍ତେ ଯେଉଁ ଅଞ୍ଚଳରେ ହାତୀ ଆସୁଛନ୍ତି ଉକ୍ତ ଗ୍ରାମରେ ରାତିରେ ବିଦ୍ୟୁତ କାଟ କରିବା ପାଇଁ ଖୋର୍ଦ୍ଧା ଡିଏଫଓ ନିର୍ଦ୍ଦେଶ ଦେଇଛନ୍ତି। ଡିଏଫଓ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟୁତକାଟ ହେଉଥିବା କହିଛନ୍ତି ଉପଖଣ୍ଡ ବିଦ୍ୟୁତ ଅଧିକାରୀ ଶ୍ରୀ ଦଳେଇ।
ତେବେ ଏ ନେଇ ଖୋର୍ଦ୍ଧା ଡିଏଫଓ ଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇପାରିନାହିଁ। ସମ୍ପ୍ରତି ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଦୁଇ ଦୁଇ ଗ୍ରାମରେ ରାତିରେ ବିଦ୍ୟୁତ କାଟ କରିବା ଅତ୍ୟନ୍ତ ପରିତାପର ବିଷୟ ଏବଂ ହାତୀଙ୍କ ସୁରକ୍ଷା ପାଇଁ ସରକାର ଅନ୍ୟ ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
ଯଦି ଉକ୍ତ ସମସ୍ୟାର ଶୀଘ୍ର ସମାଧାନ ନ ହୁଏ ତେବେ ଉଭୟ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।