ଆଜି ଲୋକସଭାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ସଂଶୋଧନ ବିଲ୍ ଉପରେ ଆଲୋଚନା ହୋଇଛି। ଏହି ଆଲୋଚନା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ହାଇଦ୍ରାବାଦ୍ ସାଂସଦ ତଥା ଏଆଇଏମଆଇଏମ୍ ନେତା ଓସାଦୁଦ୍ଦିନ ଓଓ୍ବେସୀଙ୍କ ମଧ୍ୟରେ ବାକ୍ଯୁଦ୍ଧ ଦେଖିବାକୁ ମିଳିଛି। ବିଜେପିର ସତ୍ୟପାଲ ସିଂହ ଏନ୍ଆଇଏ ସଂଶୋଧିତ ବିଲ୍ ଉପରେ ନିଜର ମତ ରଖୁଥିବା ବେଳେ ଓଓ୍ବେସୀଙ୍କ ସମେତ ବିରୋଧୀ ଦଳର ସଦସ୍ୟମାନେ ନାରାବାଜି କରିଥିଲେ। ସୋମବାର ଲୋକସଭାରେ ମୁମ୍ବାଇ ପୋଲିସ୍ର ପୂର୍ବ କମିଶନର ଓ ବିଜେପି ସାଂସଦ ସତ୍ୟପାଲ୍ ସିଂହ କହିଥିଲେ ଯେ, ଆତଙ୍କବାଦ ଏଥିପାଇଁ ବଢୁଛି, କାରଣ ଆମେ ତାହାକୁ ରାଜନୈତିକ ଚଷମାରେ ଦେଖୁଛେ। ଆତଙ୍କବାଦ ବିରୋଧରେ ମିଶି କରି ଲଢେଇ କରିବା ଦରକାର ବୋଲି କହିଥିଲେ । ସେହିପରି ସତ୍ୟପାଲ୍ ହାଇଦ୍ରାବାଦ୍ର ହୋଇଥିବା ବିସ୍ଫୋରଣରେ ଯେତେବେଳେ ପୋଲିସ୍ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ କମିଶନରଙ୍କୁ ଏପରି କରିବାକୁ ବାରଣ କରିବା ସହିତ ଚାକିରି ଚାଲିଯିବାର ଭୟ ଦେଖାଇଥିଲେ। ତେବେ ଓଓ୍ବେସୀ ଏହାକୁ ବିରୋଧ କରିଥିଲେ। ସେ କହିଥିଲେ, ଯଦି ଶ୍ରୀ ସିଂହଙ୍କ ଅଭିଯୋଗର ସତ୍ୟତା ରହିଛି, ତା’ହେଲେ ସେ ପ୍ରମାଣ ଦିଅନ୍ତୁ। ଗୃହ ଆଗରେ ପୂରା ରେକର୍ଡ ସହ ତଥ୍ୟ ଉପସ୍ଥାପନ କରନ୍ତୁ।” ଓୱେସୀଙ୍କ ଏଭଳି ବୟାନ ଶୁଣି ଅମିତ ଶାହ କହିଥିଲେ ଯେ, “ସରକାରୀ ଦଳର ସାଂସଦମାନେ କେବେ ହେଲେ ବିରୋଧୀ ଦଳର ସଦସ୍ୟମାନେ କହୁଥିବା ବେଳେ ମଝିରେ ବିଶୃଙ୍ଖଳା ସୃଷ୍ଟି କରୁନାହାନ୍ତି। ହେଲେ ବିରୋଧୀ କାହିଁକି ମଝିରେ ଏଭଳି ବିଶୃଙ୍ଖଳା କରୁଛନ୍ତି? ତେଣୁ ବିରୋଧୀ ସରକାରୀ ଦଳର ସଦସ୍ୟଙ୍କ ଠାରୁ ଶିଖିବା ଦରକାର। ବିରୋଧୀ ଦଳର ସଦସ୍ୟମାନେ ଅନ୍ୟମାନଙ୍କ କଥାକୁ ମଧ୍ୟ ଧୈର୍ଯ୍ୟର ସହ ଶୁଣିବା ଦରକାର।” ଶାହାଙ୍କ ଉତ୍ତର ଶୁଣି ଓଓ୍ବେସୀ କହିଥିଲେ, ସେ କାହାକୁ ଡରନ୍ତି ନାହିଁ କି ତାଙ୍କୁ ଆଙ୍ଗୁଳି ଦେଖାଇବା ଆବଶ୍ୟକତା ନାହିଁ । ଏହାର ଜବାବ ଦେଇ ଶାହ କହିଥିଲେ, “ମୁଁ କାହାକୁ ଭୟଭୀତ କରାଉନାହିଁ। ମୁଁ କେବଳ ଅନ୍ୟମାନଙ୍କ ମତ ଶୁଣିବାକୁ କହୁଛି।