ବିଧାନସଭା ଆରମ୍ଭ ହେବା ମାତ୍ରେ ଗୃହରେ ହାଙ୍ଗାମା, ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଗଲେ ବିରୋଧୀ

Published: Mar 7, 2025, 12:41 pm IST
Assembly

ଭୁବନେଶ୍ବର: ଆଜି ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ମାତ୍ରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ। ବିରୋଧୀ କଂଗ୍ରେସ ଓ ବିଜେଡି ଗୃହ ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଠା କରିଥିଲେ। ସଦସ୍ୟମାନେ ବିଭିନ୍ନ ପ୍ଲାକାର୍ଡ ହାତରେ ଧରି ଗୃହ ମଧ୍ୟ ଭାଗରେ ହାଙ୍ଗାମା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଦୁଇଥର ମୁଲତବି ରଖିଛନ୍ତି।

ଆଜି ଗୃହରେ ବିରୋଧୀ ବିଜେଡି ବିଜୁ ବାବୁଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅସମ୍ମାନ ପ୍ରସଂଗରେ ସରକାରୀ ଦଳକୁ ଘେରିଥିଲେ। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଏବଂ ପଞ୍ଚାୟତିରାଜ ଦିବସ ଘୁଞ୍ଚାଇବା ପ୍ରଭୃତି ପ୍ରସଂଗ ଗୃହରେ ଉତଥାପନ କରି ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ପ୍ରଥମେ ଦିନ 12 ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଏହାପରେ ବିଜେଡି ସଦସ୍ୟଗଣ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣରେ ବସିଥିଲେ।

ସେହିପରି କଂଗ୍ରେସ ସଦସ୍ୟଗଣ ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ନେଇ ହାଙ୍ଗାମା କରିଥିଲେ। ସଦସ୍ୟଗଣ ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି କଂଗ୍ରେସ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଠା କରିଥିଲେ। ବାଚସ୍ପତି ସେମାନଙ୍କୁ ବୁଝାଇବାକୁ ଚେଷ୍ଠା କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଫଳରେ ବାଚସ୍ପତି ଗୃହକୁ ଦିନ 12 ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଏହାପରେ ଦିନ 12 ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପରିସ୍ଥିତିରେ କୌଣସି ସୁଧାର ଆସି ନ ଥିଲା। ପୂର୍ବ ପରି ସଦସ୍ୟଗଣ ସେହି ସମାନ ପ୍ରସଂଗରେ ଗୃହ ମଧ୍ୟ ଭାଗକୁ ଆସି ବିକ୍ଷୋଭ କରିଥିଲେ। ପୁଣି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଠା କରିଥିଲେ। ଫଳରେ ବାଚସ୍ପତି ପୁଣି ଥରେ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

Related posts