ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣା ପାଇଁ କଂଗ୍ରେସ ଏବଂ ଏନ୍ସିପି ମଧ୍ୟରେ ଆଲୋଚନା ହୋଇଛି। ଚଳିତ ଲୋକସଭା ନିର୍ବାଚନରେ ଉଭୟ ଦଳ ମଧ୍ୟରେ ବୁଝାମଣା ହୋଇଥିବା ବେଳେ ଉଭୟ ଦଳ ଖରାପ ପ୍ରଦର୍ଶନ କରିଥିଲେ। ଏହାପରେ ଉଭୟ ଦଳ ମଧ୍ୟରେ ମେଣ୍ଟ ନହେବା ନେଇ ଖବର ପ୍ରକାଶ ପାଇଥିଲା। ମାତ୍ର ବିଗତ ଦୁଇଟି ନିର୍ବାଚନର ଖରାପ ପ୍ରଦର୍ଶନ ଯୋଗୁଁ ଚଳିତ ବିଧାନସଭା ନିର୍ବାଚନରେ ଉଭୟ ଦଳ ସମାନ ସଂଖ୍ୟାର ଆସନରେ ପ୍ରତିଦ୍ବନ୍ଦିତା କରିବା ନେଇ ଉଭୟ ଦଳ ମଧ୍ୟରେ ଆଲୋଚନା ହୋଇଥିବା ନେଇ ଏନ୍ସିପି ପକ୍ଷରୁ କୁହାଯାଇଛି। ସୂଚନାାଯୋଗ୍ୟ ଯେ, ୨୦୧୯ରେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ଏନ୍ସିପି ଚାରିଟି ଆସନରେ ବିଜୟୀ ହୋଇଥିଲା। ୨୦୧୪ ନିର୍ବାଚନରେ କଂଗ୍ରେସ ୨ଟି ଏବଂ ଏନ୍ସିପି ୪ଟି ଆସନରେ ବିଜୟୀ ହୋଇଥିଲା। ସର୍ବଦା କଂଗ୍ରେସ ଏନ୍ସିପି ଅପେକ୍ଷା ଅଧିକ ଆସନରେ ପ୍ରତିଦ୍ବନ୍ଦିତା କରିଥାଏ ମାତ୍ର ନିକଟରେ ସମାପିତ ନିର୍ବାଚନରେ ଏନ୍ସିପି ଭଲ ପ୍ରଦର୍ଶନ କରିଥିବାରୁ ଉଭୟ ଦଳ ସମାନ ସଂଖ୍ୟକ ଆସନରେ ପ୍ରତିଦ୍ବନ୍ଦିତା କରିବା ନେଇ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଏହି ବୈଠକରେ ଦାବି କରିଛନ୍ତି। ମହାରାଷ୍ଟ୍ର ବିଧାନସଭାରେ ସମୁଦାୟ ୨୮୮ ଆସନ ରହିଛି।