ବିଧାନସଭାରେ କଂଗ୍ରେସର ଅଭିନବ ପ୍ରତିବାଦ, କଳାକନା ପିନ୍ଧି ଆଉ ଘଣ୍ଟ ବାଡେଇ ଗୃହ ମଧ୍ୟରେ ହୋହାଲ୍ଲା

Published: Mar 21, 2025, 12:57 pm IST
cong

ଭୁବନେଶ୍ବର: ଆଜି ବିଧାନସଭାରେ କଂଗ୍ରେସ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା। କଂଗ୍ରେସ ସଦସ୍ୟଗଣ କଳା ପୋଷାକ ଓ କଳା କନା ଗୁଡାଇ ହୋଇ ଗୃହକୁ ପ୍ରବେଶ କରିଥିଲେ। ଏଥିସହିତ ଘଣ୍ଟ ବାଡେଇ ବାଡେଇ ଗୃହରେ ହୋହାଲ୍ଲା କରିଥିଲେ। ଫଳରେ ଗୃହ କାର୍ଯ୍ୟ ଚାଲିପାରି ନ ଥିଲା। ବାଚସ୍ପତି ଗୃହକୁ ମୁଲତବି ରଖିଥିଲେ।

ଆଜି ବିଧାନସଭା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକଗଣ ଘଣ୍ଟ ବାଡେଇ ବାଡେଇ ଏକ ଶୋଭାଯାତ୍ରା କରି ଗୃହକୁ ଯାଇଥିଲେ। ଏହାର ନେତୃତ୍ବ ନେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ତାରାଙ୍କୁ ପୂର୍ବରୁ ବାଚସ୍ପତି ଗୃହରୁ ସାତଦିନ ପାଇଁ ନିଲମ୍ବନ କରିଥିଲେ। ଯାହାର ସମୟ ଗତକାଲି ଶେଷ ହୋଇଥିଲା।

ନିଲମ୍ବନ ଆଦେଶ ସମୟ ସରିବା ପରେ ଆଜି ତାରା ବାହିନୀପତି ଗୃହ ଭିତରକୁ ପ୍ରବେଶ କରିଥିଲେ। ତେବେ ସମସ୍ତ କଂଗ୍ରେସ ସଦସ୍ୟ ଏପରି ପ୍ରତିବାଦ କରି ଗୃହକୁ ଯାଇଥିଲେ। ତେବେ ବିରୋଧୀ ସଦସ୍ୟଙ୍କ ପ୍ରତିବାଦକୁ ବିଧାନସଭା ଲାଇଭ୍ ଷ୍ଟ୍ରିମିଂରେ ନ ଦେଖାଇବା ଏବଂ ପକ୍ଷପାତିତା ଅଭିଯୋଗ ଆଣି ବିଜେଡି ମଧ୍ୟ ପ୍ରତିବାଦ କରିଛି।

Related posts