ଅମରାବତୀ ପ୍ରକଳ୍ପକୁ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ବଡ ଝଟ୍କା ଲାଗିଛି । ବିଶ୍ବବ୍ୟାଙ୍କ ପକ୍ଷରୁ ଅମରାବତୀର ଭିତ୍ତିଭୂମି ନିମନ୍ତେ ରହିଥିବା ପ୍ରକଳ୍ପକୁ ପ୍ରତ୍ୟାହାର କରି ନିଆଯାଇଛି । ବିଶ୍ବବ୍ୟାଙ୍କର ଏହି ପ୍ରକଳ୍ପ ପ୍ରତ୍ୟାହାର ପରେ ଅମରାବତୀର ବିକାଶ ପୁନର୍ବାର ବିଳମ୍ବିତ ହେବାର ସମ୍ଭାବନା ଦେଖାଦେଇଛି । ପୂର୍ବରୁ ବିଶ୍ବବ୍ୟାଙ୍କ ଅମରାବତୀର ବିକାଶ ନିମନ୍ତେ 300 ମିଲିୟନ୍ ଡଲାରର ଅର୍ଥରାଶି ମଞ୍ଜୁର କରିଥିଲେ । ବିଶ୍ବବ୍ୟାଙ୍କର ଓ୍ବେବ୍ସାଇଟ୍ରେ ଏହି ପ୍ରକଳ୍ପ ପ୍ରତ୍ୟାହାର ନେଇ ଲେଖାଯାଇଥିଲେ ମଧ୍ୟ ପ୍ରତ୍ୟାହାରର କାରଣ ଜଣାପଡିନାହିଁ । ଏହି ମାମଲା ନେଇ ବିଶ୍ବବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ବିଶ୍ବବ୍ୟାଙ୍କ ପକ୍ଷରୁ କୌଣସି କାରଣ ଦର୍ଶା ଯାଇନଥିଲେ ମଧ୍ୟ ପୂର୍ବତନ ଆନ୍ଧ୍ର ସରକାରଙ୍କ ନିୟମ ଏଥିପାଇଁ ଦାୟୀ ବୋଲକି କୁହାଯାଉଛି । ଚାଷୀଙ୍କ ଠାରୁ ଜମି ଅଧିଗ୍ରହଣ କରି ଅମରାବତୀ ଗଠନ ନିମନ୍ତେ ପ୍ରୟାସ ଚାଲିଥିବା ବେଳେ ଏହି ପ୍ରକଳ୍ପ ନେଇ ବିଭିନ୍ନ ଚାଷୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । 2016ରେ ଆବେଦନ ପରେ ଚଳିତ ବର୍ଷ ବିଶ୍ବବ୍ୟାଙ୍କ 300 ମିଲିୟନ୍ ଡଲାରର ସହାୟତା ପ୍ରଦାନ କରିବାର ଥିବା ବେଳେ ଦୁଇ ବର୍ଷ ମଧ୍ୟରେ ଆହୁରି 200 ମିଲିୟନ୍ ଅର୍ଥ ରାଶି ପ୍ରଦାନ କରିଥାନ୍ତା ।