
ଭୁବନେଶ୍ବର: ୱାକଫ ବିଲ ଉପରେ ବିବେକାନୁସାରେ ଭୋଟ ଦେବା ପାଇଁ ସାଂସଦ ସସ୍ମିତ ପାତ୍ରଙ୍କ ଟୁଇଟକୁ ନେଇ ବିଜେଡିରେ ଝଡ। ନବୀନ ବିରୋଧ କରିବା ପାଇଁ କହିବା ପରେ ସସ୍ମିତ ପାତ୍ର କାହିଁକି ଏପରି ଟୁଇଟ କଲେ ସେ ନେଇ ପ୍ରଶ୍ନ ଉଠିଛି। ତେବେ ଏହା ଭିତରେ ଯୁବ ବିଜେଡିର ଏକ ବିସ୍ପୋରକ ବୟାନ ଆସିଛି। ଅନ୍ୟତମ ସାଂସଦ ମାନସ ମଙ୍ଗରାଜଙ୍କୁ ଟାର୍ଗେଟ କରିଛନ୍ତି ଯୁବ ନେତା ନୀଳମାଧବ ମହାନ୍ତି।
ତାଙ୍କର କହିବା କଥା ଯେ, ସସ୍ମିତ ପାତ୍ର ଟୁଇଟ କରିବା ପରେ ଆମେ ତାଙ୍କୁ ଫୋନ କରିଥିଲୁ। ସେ କହିଲେ ଯେ ମାନସ ମଙ୍ଗରାଜ ମୋତେ କହିଲେ ବିବେକ ଅନୁସାରେ ଭୋଟ ଦେବା ପାଇଁ ନିଷ୍ପତି ହୋଇଛି। ସେହି ଅନୁସାରେ ମୁଁ ଟୁଇଟ କଲି ବୋଲି ସସ୍ମିତ କହିଥିଲେ। ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ, ମାନସ ମଙ୍ଗରାଜ ବିଜେପି ସହିତ ଡିଲ କରି ଏପରି ବିଭ୍ରାନ୍ତ କରିଛନ୍ତି ବୋଲି ନୀଳମାଧବ କହିଛନ୍ତି। ତେବେ ଏହାକୁ ନେଇ ମାନସ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।