ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡକୁ ଦୁଇଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଲାଗି ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଦୁଇଟି ଟ୍ରେନ୍ ଚଳାଚଳ ଲାଗି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଜୁନାଗଡ ଅଂଚଳର ଲୋକମାନେ ଦୀର୍ଘଦିନରୁ ଦାବି କରି ଆସୁଥିବା ସେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଲେଖିଥିବା ତାଙ୍କ ପତ୍ରରେ ଦର୍ଶାଇଛନ୍ତି । କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ଭୁବନେଶ୍ୱରରୁ ଯାଉଥିବା ଟ୍ରେନରୁ ୧୦ଟି ବଗି ରାୟଗଡା ଷ୍ଟେସନରେ ଅଲଗା ହୋଇ ଜୁନାଗଡ ଅଭିମୁଖେ ଯାଉଛି । ଅବଶିଷ୍ଟ ୧୨ଟି ବଗି ଜଗଦଲପୁର ଅଭିମୁଖେ ଯାତ୍ରା କରୁଛି । ଫେରିବା ସମୟରେ ଉଭୟ ଜଗଦଲପୁର ଏବଂ ଜୁନାଗଡରୁ ଆସୁଥିବା ଭିନ୍ନ ଭିନ୍ନ ଟ୍ରେନ୍ ରାୟଗଡା ଷ୍ଟେସନରେ ଗୋଟିଏ ଇଞ୍ଜିନରେ ଯୋଡି ହୋଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛି । ଏହି ବ୍ୟବସ୍ଥା ଭିତରେ ବିଶେଷ ଭାବରେ କଳାହାଣ୍ଡି ଟ୍ରେନ୍ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ତେଣୁ ଏହି କ୍ଷେତ୍ରରେ ରେଳମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିବା ପାଇଁ ଉଲ୍ଲେଖ କରିଛନ୍ତି ।