ଆଜିର ଦିନରେ ୫୦ ବର୍ଷ ତଳେ, ୨୦ ଜୁଲାଇ ୧୯୬୯ ମସିହାରେ, ନାସାର ‘ଆପୋଲୋ ୧୧’ ମିଶନ ସଫଳ ହୋଇଥିଲା। ଏହି ମିଶନ ଜରିଆରେ ଆମେରିକା ପ୍ରଥମ ଥର ପାଇଁ ଚନ୍ଦ୍ରକୁ ମଣିଷ ପଠାଇବାରେ ସଫଳ ହୋଇଥିଲା। ଦୀର୍ଘ ୫୦ ବର୍ଷ ପରେ ବି ଆଜି ବି ଏହି ସ୍ମୃତି ଅମଳିନ ହୋଇ ରହିଛି। ଆଜି (ଜୁଲାଇ ୨୦) ସମଗ୍ର ବିଶ୍ୱ ଆର୍ମଷ୍ଟ୍ରଙ୍ଗଙ୍କ ସେହି ଚନ୍ଦ୍ର ଅଭିଯାନର ସଫଳତାର ପଚାଶ ବର୍ଷ ପୂର୍ତ୍ତି ପାଳନ କରୁଛି। ଗୁଗୁଲ ମଧ୍ୟ ଆଜି ଡୁଡୁଲରେ ନୀଲ ଆର୍ମଷ୍ଟ୍ରଙ୍ଗଙ୍କ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ଘଟଣାକୁ ସ୍ଥାନ ଦେଇଛି। ଆପୋଲୋ-୧୧ର ଉଦ୍ଦେଶ୍ୟ ଥିଲା ଆର୍ମଷ୍ଟ୍ରଙ୍ଗ, ବଜ ଆଲଡ୍ରିନ୍ ଏବଂ ମାଇକେଲ କଲିନ୍ସଙ୍କୁ ସୁରକ୍ଷିତ ଭାବରେ ଚନ୍ଦ୍ରରେ ଅବତରଣ କରାଇବା ସଙ୍ଗେସଙ୍ଗେ ପୁଣି ପୃଥିବୀକୁ ଫେରାଇ ଆଣିବା। ଏହି ମିଶନର ନାମ ଥିଲା “ଦି ଇଗଲ”। ସକାଳ ୮ଟା ୩୨ରେ ପାଇଲଟଙ୍କ ସମେତ ତିନି ଜଣ ମହାକାଶ ଅଭିମୁଖେ ଯାତ୍ରା କରିଥିଲେ। ଛଅ ଘଣ୍ଟା ୩୧ ମିନିଟ୍ ମହାକାଶ ଯାନରେ ଯାତ୍ରା କରିବା ପରେ ଚନ୍ଦ୍ରରେ ପହଞ୍ଚିଥିଲେ ଏହି ତିନି ଜଣ। ୨୧ ଘଣ୍ଟା ୩୧ ମିନିଟ ଚନ୍ଦ୍ରରେ ରହିବା ପରେ ୨୪ ଜୁଲାଇ ୧୯୬୯ରେ ପୃଥିବୀକୁ ଫେରି ଆସିଥିଲେ ତିନି ମହାକାଶଚାରୀ। ଏହି ମହାକାଶ ଯାନକୁ ପ୍ରଶାନ୍ତ ମହାସାଗରରେ ଅବତରଣ କରାଯାଇଥିଲା। ଆପୋଲୋ-୧୧ ମିଶନକୁ ସଫଳ କରାଇବାରେ ସାରା ଦୁନିଆର ୪୦ ହଜାର ଲୋକଙ୍କ ଯୋଗଦାନ ରହିଥିଲା। ଚନ୍ଦ୍ର ପୃଷ୍ଠରେ ପାଦ ଥାପିଥିବା ପ୍ରଥମ ବ୍ୟକ୍ତି ଥିଲେ ନୀଲ୍ ଆର୍ମଷ୍ଟ୍ରଙ୍ଗ୍ । ୨୫ ଅଗଷ୍ଟ ୨୦୧୨ରେ ତାଙ୍କର ଦେହାନ୍ତ ହୋଇଥିଲା । କିନ୍ତୁ ଆଜି ସାରା ବିଶ୍ବ ତାଙ୍କୁ ମନେ ପକାଉଛନ୍ତି ।


