କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀଙ୍କ ମେଣ୍ଟ ସରକାର ସୋମବାର ଦିନ ଗୃହରେ ବହୁମତ ସାବ୍ୟସ୍ତ କରିବେ । ଏଥିରେ ବହୁଜନ ସମାଜ ପାର୍ଟି ବିଧାୟକ ଏନ୍ ମହେଶ ଯୋଗଦେବେ ନାହିଁ ବୋଲି ସୂଚନା ମିଳିଛି । ମାୟାବତୀଙ୍କ ନିର୍ଦ୍ଦେଶକ୍ରମେ ସେ କର୍ଣ୍ଣାଟକ ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟରେ ଯୋଗଦେବ ନାହିଁ ବୋଲି ରବିବାର କହିଛନ୍ତି । କର୍ଣ୍ଣାଟକ ମେଣ୍ଟ ସରକାରରୁ ପ୍ରାୟ ୧୬ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଆସ୍ଥା ଭୋଟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡୁଛି । ଏନେଇ ରାଜ୍ୟପାଳ କୁମାରସ୍ବାମୀ ସରକାରଙ୍କୁ ପତ୍ର ମଧ୍ୟ ଦେଇ ସାରିଛନ୍ତି । ଆସ୍ଥା ଭୋଟ ହେବା ପୂର୍ବରୁ ଆଜି ବେଙ୍ଗାଲୁରୁଠାରେ କଂଗ୍ରେସର ବିଧାୟକ ଦଳଙ୍କ ବୈଠକ ହେବାର ସୂଚନା ରହିଛି । କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଂକଟ ବେଶ୍ ରୋଚକ ଅବସ୍ଥାରେ ରହିଛି । ତେବେ ଏହି ସ୍ଥିତିରେ କେବେ ପରିବର୍ତ୍ତନ ଆସୁଛି, ତାହା ଦେଖିବାକୁ ବାକି ରହିଲା ।