ବାଣପୁର: ଅନାସ୍ଥା ଭୋଟିଂରେ ହାରିଲେ ନୀଳାଦ୍ରିପ୍ରସାଦ ସରପଞ୍ଚ ଉମାକାନ୍ତ ସାହୁ

Published: May 22, 2025, 9:12 am IST

ଖୋର୍ଦ୍ଧା/ବାଣପୁର: ଗତକାଲି ଅନାସ୍ଥା ଭୋଟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅଧୀନସ୍ଥ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ଗ୍ରାମପଞ୍ଚାୟତର ସରପଞ୍ଚ ଉମାକାନ୍ତ ସାହୁ ପରାସ୍ତ ହୋଇଛନ୍ତି। ସମୁଦାୟ ୧୩ ଜଣ ୱାର୍ଡ ସଭ୍ୟ ଥିବାବେଳେ ୧୧ଜଣ ସଭ୍ୟ ସରପଞ୍ଚ ଉମାକାନ୍ତ ସାହୁଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।

ସଭ୍ୟ ସଭ୍ୟାଙ୍କ ଅଭିଯୋଗ ମୁତାବକ ସରପଞ୍ଚ ଉମାକାନ୍ତ ସେମାନଙ୍କୁ ଅଣଦେଖା କରି ପଞ୍ଚାୟତର ପ୍ରକଳ୍ପଗୁଡିକୁ ଅନୁମୋଦନ କରିବା, ରାସନ ସାମଗ୍ରୀ ଠିକଭାବେ ବଣ୍ଟନ ନ କରିବା, ପ୍ରକଳ୍ପଗୁଡିକୁ ନିଜେ ନିମ୍ନମାନର କାର୍ଯ୍ୟ କରି ଅର୍ଥ ଆତ୍ମସାତ କରିବା ଭଳି ଗୁରୁତର ଅଭିଯୋଗ ଆଣି ମାର୍ଚ୍ଚ ୨୮ ତାରିଖରେ ସଭ୍ୟମାନେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ଏକ ପ୍ରସ୍ତାବ କରିଥିଲେ। ବାଣପୁର ବିଡିଓ, ଜିଲ୍ଲା ପଞ୍ଚାୟତ ଅଫିସକୁ ଉକ୍ତ ପ୍ରସ୍ତାବ ସମ୍ପର୍କରେ ଅବଗତ କରିଥିଲେ। ଏବଂ ଚଳିତ ମାସ ୩ ତାରିଖରେ ଅନାସ୍ଥା ପାଇଁ, ଖୋର୍ଦ୍ଧା ଉପଜିଲ୍ଲାପାଙ୍କୁ ଲିଖିତ ଭାବେ ମଧ୍ୟ ଜଣାଇଥିଲେ।

ଉପ ଜିଲ୍ଲାପାଳ ଏହାକୁ ଗ୍ରହଣ କରି ଗତକାଲି ଅନାସ୍ଥା ଭୋଟିଂ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ରିଟର୍ନିଙ୍ଗ ଅଫିସର ଭାବେ ଚିଲିକା ତହସିଲଦାର ଯୋଗଦେଇ ସଭ୍ୟ ସଭ୍ୟା ମାନଙ୍କର ଭୋଟିଂ କରାଇଥିଲେ।

ଭକ୍ତ ଅନାସ୍ଥା ଭୋଟରେ ଅନାସ୍ଥା ସପକ୍ଷରେ ୧୧ଜଣ ସଭ୍ୟ ସଭ୍ୟା ଭୋଟ ଦେଇଥିବା ବେଳେ ଦୁଇଜଣ ଭୋଟିଂରୁ ବିରତ ରହିଥିଲେ। ସେହିପରି ଭାବେ ଅନାସ୍ଥା ବିପକ୍ଷରେ କେବଳ ସରପଞ୍ଚ ଉମାକାନ୍ତ ନିଜେ ଭୋଟ ଦେଇଥିଲେ।

ପ୍ରକାଶ ଥାଉକି ଅନାସ୍ଥାକୁ ବିରୋଧ କରି ସରପଞ୍ଚ ଉମାକାନ୍ତ ଉଚ୍ଚ ନ୍ୟାୟାଳୟରେ ପୁର୍ବରୁ ଏକ ରିଟ ପିଟିସନ ଦାୟର କରିଥିଲେ। ତେବେ ଉକ୍ତ ପିଟିସନକୁ ବିଚାରକୁ ନେଇ ଆସନ୍ତା ଜୁଲାଇ ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବାବେଳେ ଉକ୍ତ ମାମଲାର ଚୂଡାନ୍ତ ରାୟ ଆଧାରରେ ହିଁ ପ୍ରଶାସନ କୌଣସି ନିଷ୍ପତ୍ତି ନେଇପାରିବ ବୋଲି ହାଇକୋର୍ଟ କହିଛନ୍ତି।

ତେବେ ବାଣପୁର ବ୍ଲକ ପ୍ରଶାସନ ତରଫରୁ ଅନାସ୍ଥା ଭୋଟିଂର ସମସ୍ତ ତଥ୍ୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସଭ୍ୟ ଓ ସଭ୍ୟମାନେ ଅପେକ୍ଷା କରିଥିବା କହିଛନ୍ତି। ତେବେ ପରବର୍ତ୍ତୀ ଶୁଣାଣି ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ପୂର୍ବପରି ସ୍ଥିତାବସ୍ଥା ଜାରି ରହିବ ବୋଲି ଜଣାପଡିଛି।

Related posts