ଶେଷରେ କର୍ଣ୍ଣାଟକ ରାଜନୈତିକ ଡ୍ରାମାରେ ଯବନିକା ପଡିଛି।। ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି କୁମାରସ୍ୱାମୀ। ମେଣ୍ଟ ସରକାର ସପକ୍ଷରେ ୯୯ଟି ଭୋଟ ପଡିଥିବା ବେଳେ ବିରୋଧରେ ୧୦୫ଟି ଭୋଟ ପଡିଥିଲା। ଏହାପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏଚଡି କୁମାରସ୍ଵାମୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ନାଟକରେ ପ୍ରତିଦିନ ନୂଆ ମୋଡ ଦେଖିବାକୁ ମିଳୁଥିଲା। ରାଜ୍ୟପାଳଙ୍କ ଦ୍ୱାରା ଗୃହରେ ଆସ୍ଥା ଭୋଟକୁ ନେଇ ଦିଆଯାଇଥିବା ଦୁଇଟି ଡେଡ ଲାଇନର ସମୟସୀମା ଶେଷ ହୋଇଥିଲା। ଏହାପରେ ମଙ୍ଗଳବାର ଦିନ ବାଚସ୍ପତି ଯେକୌଣସି ପରିସ୍ଥିତିରେ ଆସ୍ଥା ଭୋଟ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ସନ୍ଧ୍ୟା ୭ଟାରେ ଆସ୍ଥା ଭୋଟ କରାଇଥିଲେ ବାଚସ୍ପତି କେ ରମେଶ କୁମାର। ଏହି ଆସ୍ଥା ଭୋଟରେ ପରାଜିତ ହୋଇଛନ୍ତି କୁମାରସ୍ଵାମୀ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଆଜି ହୋଇଥିବା ଆସ୍ଥା ଭୋଟରେ ୧୫ ବିଦ୍ରୋହୀ ବିଧାୟକଙ୍କ ସମେତ ୧୯ ଜଣ ବିଧାୟକ ଅନୁପସ୍ଥିତ ରହିଥିଲେ। ତେବେ ବିଧାନସଭାରେ ୨୦୫ ଜଣ ବିଧାୟକ ଉପସ୍ଥିତ ରହି ଆସ୍ଥା ଭୋଟରେ ଭାଗ ନେଇଥିଲେ। ତେଣୁ କୁମାରସ୍ୱାମୀ ସରକାରକୁ ସଂଖ୍ୟାଗରିଷ୍ଟତା ପାଇଁ ୧୦୩ଟି ଭୋଟର ଆବଶ୍ୟକତା ଥିଲା। କିନ୍ତୁ ମେଣ୍ଟ ସରକାର ପକ୍ଷରେ କେଵଳ ୯୯ ଟି ଭୋଟ ପଡିଥିଲା।