ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

Published: Jun 16, 2025, 9:45 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ଷଷ୍ଠ ବାର୍ଷିକୋତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହାଲ୍- ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘ ପ୍ରାକ୍ତନ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା, ବରିଷ୍ଠ ଶିକ୍ଷାବିତ୍ ତଥା ଅଭିନେତା ଶଙ୍କର୍ଷଣ ସାବତ, କଳାପ୍ରାଣ କୈଳାସ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ସ୍ୱାଗତ ଭାଷଣ ପରେ ସଂଘର ବକ୍ସିପଲ୍ଲୀ ସ୍ଥିତ ଜନୈକ ସକ୍ରିୟ ସଦସ୍ୟ ଏସ. ପି. ଶେଖର ସ୍ୱାମୀଙ୍କ ଅକାଳ ବିୟୋଗରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାଥନା କରାଯାଇଥିଲା।

ସଂଘର ବାର୍ଷିକୋତ୍ସବ ଜୁଲାଇ ଦୁଇ ଓ ତିନି, ଦୁଇ ଦିନ ଧରି ପ୍ରକାଶମ୍ ହାଲ୍ ପରିସରରେ ଅନୁଷ୍ଠିତ ନିମନ୍ତେ ସ୍ଥିର କରାଗଲା। ଉତ୍ସବର ପ୍ରଥମ ଦିବସରେ ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ଓ ଦ୍ଵିତୀୟ ଦିବସରେ ଗାନ୍ଧୀ ନଗର ଛକ ସ୍ଥିତ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥଳରୁ ବର୍ଣ୍ଣାଢ୍ୟ କଳାକାର ଶୋଭାଯାତ୍ରା, ବିଭିନ୍ନ ଦଳର ଦାସକାଠିଆ ନୃତ୍ୟ ପରିବେଷଣ, ସାଂସ୍କୃତିକ ସଭା ଓ ସମ୍ବର୍ଦ୍ଧନା ପ୍ରଦାନ ସମ୍ପର୍କରେ ସର୍ବ ସମ୍ମତ କ୍ରମେ ଚୂଡାନ୍ତ ନିଃସ୍ପତି ନିଆଯାଇଥିଲା।

ଆଲୋଚନାରେ ସର୍ବଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ, ପ୍ରଫୁଲ୍ଲ ବେହେରା, ସନ୍ତୋଷ କୁମାର ସ୍ୱାଇଁ, ସୁଦାମ ପଟ୍ଟନାୟକ, ଅଳୟ ଜେନା, ବି. ଶିବ ପ୍ରସାଦ ରାଓ, ଗୀତା ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ପ୍ରଦୀପ କୁମାର ସାହୁ, ସରୋଜ ପଣ୍ଡା, କୁନୁ ବେହେରା, ବଳରାମ ପ୍ରଧାନ, ମହେନ୍ଦ୍ର କୁମାର ସାହୁ, ଚିତ୍ତ ରଞ୍ଜନ ଦଳାଇ, କେଶବ ସିଅ, ଟି. ତାରିଣୀ ରାଓ, ବନ୍ଦନା ମହାପାତ୍ର, ଛବିରାଣୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଅଭିରାମ ରାଉଳ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts