Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ମତଦାନ ବୃଦ୍ଧି ନିମନ୍ତେ ସୁଇପି କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଜିଲ୍ଲାରେ ଏକକ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଜିଲ୍ଲାରେ ଅଧିକରୁ ଅଧିକ ମତଦାତା ଯେଭଳି ଏହି ନିର୍ବାଚନରେ ଭାଗନେଇ ମତଦାନ କରିବେ ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସୁଇପି (ସିଷ୍ଟମେଟିକ ଭୋଟର୍ସ ଏଜୁକେଶନ ଆଣ୍ଡ ଇଲୋକ୍ଟରାଲ ପାର୍ଟିସିପେଶନ) କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅଭିଯାନକୁ ବ୍ୟାପକ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଓସୱାନ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ଯୋଗଦେଇ ଏଥି ନିମନ୍ତେ ବିଏମସି ପକ୍ଷରୁ ସମସ୍ତ ସହଯୋଗ କରାଯିବା ସହ ସୁଇପି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ବିଏମସି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ଲୋକସଭା ମଣ୍ଡଳୀ ଅନ୍ତର୍ଗତ ସହରାଞ୍ଚଳର ତିନୋଟି ବିଧାନସଭା କ୍ଷେତ୍ର ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ମଧ୍ୟ ଏବଂ ଭୁବନେଶ୍ୱର ଏକାମ୍ରରେ ମତଦାନ ହାର ୫୦ ପ୍ରତିଶତରୁ କମ ରହିଥିବାରୁ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବର ଲକ୍ଷ୍ୟ ରଖାଯାଇଛି।

ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରିଛନ୍ତି। ବୁଥ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ମତଦାନ କରିବାକୁ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଯୁବ ମତଦାତା ମାନଙ୍କୁ ବିଏଲଓ ସଚେତନ କରିବା ଉପରେ ଗୁରୁତ୍ୱ ଦେବେ। ଏହାଦ୍ୱାରା ଅନ୍ୟମାନେ ଉତ୍ସାହିତ ହୋଇପାରିବେ।

ସେହିଭଳି ରଙ୍ଗୋଲି, ‘ନିର୍ବାଚନର ପର୍ବ ଆମଦେଶର ଗର୍ବ’ ଉପରେ ବିଭିନ୍ନ ପ୍ରତିଯୋଗିତା, ଭିଡିଓ ଓ ରେଡ଼ିଓ ବାର୍ତ୍ତା, ହୋର୍ଡ଼ିଂ, ୱାଲ ପେଣ୍ଟିଂ, ମାରାଥନ, ଦସ୍ତଖତ ଅଭିଯାନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ।

ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛସାଥୀମାନଙ୍କ ମାଧ୍ୟମରେ ସଫେଇ ଗାଡି ଓ କର୍ମଚାରୀ, ବିଡ଼ିଏର ବିଭିନ୍ନ ପାର୍କ, ଜିଲ୍ଲାର ଶିକ୍ଷାନୁଷ୍ଠାନ,ପଥପ୍ରାନ୍ତ ନାଟକ ମାଧ୍ୟମରେ ବ୍ୟାପକ ସଚେତନତା କରାଯିବ। ସେହିଭଳି ଓମଫେଡ ଷ୍ଟଲରେ ମଧ୍ୟ ସଚେତନତା ବୃଦ୍ଧି କରାଯିବ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମାଧ୍ୟମରେ ସ୍କୁଲରୁ ନିଶ୍ଚୟ ମତଦାନ କରିବାକୁ ଅଭିଭାବକ ମାନଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ ମାଧ୍ୟମରେ ପତ୍ର ଲେଖିବେ।

ଖୋର୍ଦ୍ଧା ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରିଆ, ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଏଅଧିକାରୀ ବାଦଲ ମହାନ୍ତି,ଜିଲ୍ଲା ଶିକ୍ଷାଧିକାରୀ, ବିଡ଼ିଓ, ତହସିଲଦାର, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ସଂସ୍କୃତି

୭୬  ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ୧୩ ତାରିଖ ଦିନ  ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠା ଦିବସ  ପାଳନ ନିମନ୍ତେ ଏକ ଉଚ୍ଚସ୍ତରୀୟ  ପ୍ରସ୍ତୁତି ବୈଠକ ରାଜ୍ୟ ଉନ୍ନୟନ କମିଶନର  ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକ ସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଭୁବନେଶ୍ୱର ମହାନଗର ନିଗମ କମିଶନର ରାଜେଶ ପ୍ରଭାକର ପାଟିଲ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ଗୁରୁତ୍ୱ ସଂପର୍କରେ  ଆଲୋକପାତ କରିଥିଲେ। ୧୩ ଏପ୍ରିଲ ୧୯୪୮ ରେ  ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ରାଜଧାନୀ ଏ ବର୍ଷ ୭୬ତମ ବର୍ଷରେ ପଦାର୍ପଣ କରୁଛି। ଚଳିତ ବର୍ଷ ସାଧାରଣ ନିର୍ବାଚନ-୨୦୨୪ ଦୃଷ୍ଟିରୁ  ଆଦର୍ଶ ଆଚରଣ ବିଧି ବଳବତ୍ତର ରହୁଥିବାରୁ ଏହାକୁ ଅନୁପାଳନ ପୂର୍ବକ କାର୍ଯ୍ୟକ୍ରମକୁ ଯଥା ସମ୍ଭବ ସୀମିତ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ  ’ରାଜଧାନୀ ପ୍ରତିଷ୍ଠା ଦିବସକୁ ରାଜଧାନୀ  ଭୁବନେଶ୍ୱରର  ଜନ୍ମୋତ୍ସବ ଭାବେ ମର୍ଯ୍ୟାଦା ସହକାରେ ପାଳନ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ ରାଜଧାନୀ ପ୍ରତିଷ୍ଠା ଦିବସ ଶାନ୍ତି, ଶୃଙ୍ଖଳାର ସହ ପାଳନ କରିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ପୂର୍ବରୁ ସାଧାରଣତଃ ୩ ଦିନ ଧରି ଏହି ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଥିବା ବେଳେ ନିର୍ବାଚନ ଆଦର୍ଶ ଆଚରଣ ବିଧି ପାଳନ ଦୃଷ୍ଟିରୁ ଏ ବର୍ଷ ଗୋଟିଏ ଦିନ ପାଳନ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜଧାନୀ ପ୍ରତିଷ୍ଠା ଦିବସ ସକାଳେ ବିଧାନସଭା ସୌଧ ସମ୍ମୁଖସ୍ଥ  ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳକରେ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଅର୍ପଣ କରାଯିବ । ଉତ୍ସବର ମୁଖ୍ୟ ଅତିଥି ରାଜଧାନୀ ପ୍ରତିଷ୍ଠା ଦିବସ ପତାକା  ଉତ୍ତୋଳନ କରିବେ । ସଂପ୍ରତି ପ୍ରଚଣ୍ତ ରୌଦ୍ରତାପ ଜାରି ରହିଥିବାରୁ ପ୍ରତିବର୍ଷ  ରାଜଧାନୀ ଫଳକ ସମ୍ମୁଖ ରାସ୍ତାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହୋଇଆସୁଥିବା ବେସାମରିକ ପ୍ୟାରେଡ୍ ପ୍ରଦର୍ଶନ ଚଳିତ  ବର୍ଷ ଅନୁଷ୍ଠିତ ହେବ ନାହିଁ । ସେହିଭଳି ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇ ରାଜଧାନୀ ପ୍ରତିଷ୍ଠା ଦିବସ ଅପରାହ୍ଣରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ମଧ୍ୟ କରାଯିବ ନାହିଁ ।

କିନ୍ତୁ ସେଦିନ ସଂଧ୍ୟାରେ  ଜୟଦେବ ଭବନରେ  ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହେବ ଏବଂ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି  ଦିବସ ଉପଲକ୍ଷେ ରାଜଧାନୀର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଧାନସଭା ସୌଧ ସ୍ଥିତ ଶିଳାନ୍ୟାସ ଫଳକ ସ୍ଥଳକୁ ଆଲୋକମାଳାରେ ସଜ୍ଜିତ କରାଯିବ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାଜଧାନୀ  ପ୍ରତିଷ୍ଠା ଦିବସ ଉପଲକ୍ଷେ ତୋରଣ କରାଯିବ।

ରାଜଧାନୀ ଶିଳାନ୍ୟାସ ପ୍ରତିଷ୍ଠା ଫଳକ ସ୍ଥଳ ସମେତ ସହରରେ  ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳ ପରିସ୍କାର ପରିଚ୍ଛନ୍ନ କରାଯାଇ  ମାଲ୍ୟାର୍ପଣ କରାଯିବ। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିଏମସି ଓ  ବିଡିଏର ମିଳିତ ସହଯୋଗରେ ରାଜଧାନୀ ପ୍ରତିଷ୍ଠା ପ୍ରାରମ୍ଭରୁ ଅଦ୍ୟାବଧି ରହିଥିବା ଐତିହ୍ୟ ଏବଂ ପୁରାତନ ସ୍ମୃତି ବହନ କରୁଥିବା ଫଟୋଚିତ୍ରକୁ ସ୍ଥାନିତ କରି ଏକ ଫଟୋ ପ୍ରଦର୍ଶନୀ ଜୟଦେବ ଭବନ ଠାରେ  ଅନୁଷ୍ଠିତ ହେବ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଓଡ଼ିଆ  ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର. କାର୍ତ୍ତିକେୟନ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବି.ଡି.ଏ) ଉପାଧ୍ୟକ୍ଷ ବଳୱନ୍ତ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ପୂର୍ତ୍ତ  ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ସର୍ବୋଚ୍ଚ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୋଲିସ୍ ଡିସିପି (ହେଡକ୍ୱାଟର୍ସ) କିଶୋର ଚନ୍ଦ୍ର ପାଟ୍ଟଶାଣୀ, ସୂଚନା ଓ  ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସଂପାଦକ ସନତ ମିଶ୍ର ଏବଂ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ  କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: “ଓଡିଶା ଦିବସ-୨୦୨୪” ମହାସମାରୋହରେ ପାଳନ ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ଯକ୍ଷତାରେ ଓସ୍ୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସଭାର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଉକ୍ତ ପବିତ୍ର ଦିବସଟି କିପରି ଶାନ୍ତି ଶୃଙ୍ଖଳା ଓ ସୌହାର୍ଘ୍ୟପୂର୍ଣ ବାତାବରଣ ଭିତରେ ପାଳନ କରାଯିବ ସେଥିପାଇଁ ଉପସ୍ଥିତ ସଭ୍ୟ ସଭ୍ୟାଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ। ବିଶଦ ଭାବରେ ଆଲୋଚନା ପରେ ନିମ୍ନଲିଖତ କାର୍ଯ୍ୟକ୍ରମମାନ ସ୍ଥିରୀକୃତ ହୋଇଥିଲା।

ଏହି ଆଲୋଚନାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯାଳୟ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରାତଃ ଘ ୫.୦୦ରେ “ରାମ ଧୂନ” ସଙ୍ଗୀତ ଗାନର ପ୍ରଚାର ଏବଂ ପରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅବଦାନ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ବିଜେବି ହାଇସ୍କୁଲ ଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସମୂହ ଗାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ଏକ ଶୋଭାଯାତ୍ରା ଉକ୍ତ ସ୍ଥାନରୁ ବାହାରି ଜୟୀ ରାଜଗୁରୁ ଟାଉନ ହଲ ପର୍ଯନ୍ତ ଜାରି ରହିବ। ସେଠାରେ ଏକ ବୈଠକ ର ଆୟୋଜନ କରାଯାଇ ଉପସ୍ଥିତ ଥିବା ଅତିଥିମାନେ ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ଭାଷଣ ରଖିବେ।

ପରେ ପରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇଥିବା କୃତୀ ଛାତ୍ରୀ/ ଛାତ୍ରଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏହି କାର୍ଯକ୍ରମ ପରିଚାଳନା କରିବା ସହ ସମସ୍ତଙ୍କୁ ଧାନ୍ୟବାଦ ପ୍ରଦାନ କରିବା ପରେ ସଭା ସାଙ୍ଗ କରା ଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: କାଳବୈଶାଖୀ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ, ତ୍ୱରିତ ସେବା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଖୋର୍ଦ୍ଧା: ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସମ୍ଭାବ୍ୟ କାଳବୈଶାଖୀ ମୁକାବିଲା ନିମନ୍ତେ ଏକ ସମୀକ୍ଷା ବୈଠକ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ପରେ ସଂପୃକ୍ତ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା, ବଜ୍ରପାତ ଏବଂ ସ୍ଥଳବିଶେଷରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ପାଣିପାଗ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରହିବା ନେଇ ପୂର୍ବାନୁମାନ କରାଯାଇଛି । ଆବଶ୍ୟକ ସ୍ଥଳେ ତ୍ୱରିତ ସେବା ପ୍ରଦାନ ପାଇଁ ଅଗ୍ନିଶମ, ବିଦ୍ୟୁତ, ଆମ୍ବୁଲାନ୍ସ, ଡାକ୍ତରୀସେବା ଏବଂ ଟେଲିଫୋନ ସେବା ପ୍ରଦାନକାରୀ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ଆବଶ୍ୟକୀୟ ସହାୟତା ଓ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯି । ଲୋକମାନଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ ବିଡ଼ିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ବି ଏମ୍ .ସି.ର ଡେପୁଟି କମିଶନର, ଜରୁରୀ ବିଭାଗ ଙ୍କୁ ବସ୍ତି ବାସିନ୍ଦାଙ୍କ ଥଇଥାନ କରିବାକୁ ଏବଂ  ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ପରାମର୍ଶ  ଦିଆଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ଜରୁରୀକାଳୀନ ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଐତିହାସିକ ବାଣପୁର ପଞ୍ଚୁଦୋଳ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆସନ୍ତା ୩୦ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ହେବାକୁ ଥିବା ଐତିହାସିକ ପଞ୍ଚୁଦୋଳ ନିମନ୍ତେ ପଲଟନ ପଡିଆସ୍ଥିତ ଛାୟା ମଣ୍ଡପଠାରେ କମିଟି ସଭାପତି ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କମିଟି ଉପ ସଭାପତି, ସମ୍ପାଦକ ବାଣପୁର ଆଇଆଇସି, ପୂର୍ତ୍ତବିଭାଗ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହ ବାଣପୁର ଅଂଚଳର ବୁଦ୍ଧିଜୀବୀ ଏବଂ ଗ୍ରାମ ମୁଖିଆମାନେ ଉପସ୍ଥିତ ଥିଲେ।

ଚଳିତ ପଞ୍ଚୁଦୋଳରେ ଲକ୍ଷାଧିକ ଶ୍ରଦ୍ଧାଳୁମାନଙ୍କ ସମାଗମ ସହ ଗ୍ରାମ ଦେବତାମାନଙ୍କର ଉପସ୍ଥିତିକୁ ଲକ୍ଷ୍ୟ କରି ଉକ୍ତ ସମୟରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ଆଇଆଇସି ପ୍ରତିଶୃତି ଦେଇଥିଲେ। ରାସ୍ତା ମରାମତି, ନିରବଛିନ୍ନ ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଆଲୋକ ନଥିବା ଖୁଣ୍ଟ ଗୁଡିକରେ ବିଦ୍ୟୁତ ବିଭାଗକୁ ଯଥାଶୀଘ୍ର ଆଲୋକ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା। ସମସ୍ତ ବିଭାଗର ଅଧିକାରୀ ମାନେ ଉକ୍ତ ଦାଇତ୍ୱସବୁ ସୁଚାରୁରୂପେ ତୁଲେଇବାକୁ ବୈଠକରେ ପ୍ରତିଶୃତି ଦେଇଥିଲେ।

Categories
ଆଞ୍ଚଳିକ

ଭିକେ ପାଣ୍ଡିଆନଙ୍କ ଚିଲିକା ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ: ଯୋଗ ଦେଲେ ସାଂସଦ ମାନସ ମଙ୍ଗରାଜ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୧୦ ତାରିଖରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବାଣପୁରର ପଲଟନ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେବେ। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବିକାଶ କାର୍ଯ୍ୟର ତଦାରଖ କରିବେ ଶ୍ରୀ ପାଣ୍ଡିଆନ। ଏନେଇ ଆଜି ମଧ୍ୟାହ୍ନରେ ନାଚୁଣୀ ସୁନାଖଳା ଡାକ ବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇଛନ୍ତି। ଉକ୍ତ ପ୍ରସ୍ତୁତି ବୈଠକରେ ଚିଲିକା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ରାଜା ଚକ୍ର, ଖୋର୍ଦ୍ଧା ଜିଲ୍ଲା ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ନଗରପାଳ ମିଟୁ ନାୟକ, ପ୍ରଭାସ ସୁନ୍ଦରାୟ ଓ ବିଜୁଜନତା ଦଳର ସମସ୍ତ ନେତା ଓ କର୍ମୀ ସାମିଲ ଥିଲେ।

ଏହା ସହ ଆସନ୍ତା ୧୭ ତାରିଖ ଦିନ ପୁରୀ ପରିକଳ୍ପନା ପ୍ରକଳ୍ପ ଉଦଘାଟନ ହେବ। ସେଥିଲାଗି ଆସନ୍ତା ୮ ତାରିଖ ଦିନ ପୁରୀ ପରିକ୍ରମା ପ୍ରକଳ୍ପ ରଥ କେମିତି ସମସ୍ତ ପଞ୍ଚାୟତ ର ଘରେ ଘରେ ପହଞ୍ଚିବ ଓ ଅରୁଆ ଚାଉଳ, ଗୁଆ ସଂଗ୍ରହ କରାଯିବ, ସେଥିପାଇଁ ଆମେ ସମସ୍ତେ ସହଯୋଗ କରିବା ବୋଲି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଅନୁରୋଧ କରିଥିଲେ।

ଏତଦବ୍ୟତୀତ ସଭାସ୍ଥଳ, ବ୍ୟାରିକେଡ଼, ଜନସାଧାରଣଙ୍କ ଗମନାଗମନର ସୁବିଧା, ଟ୍ରାଫିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ “ନୂଆ ଓ” କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ଦିବା ୧୧.୦୦ ଘଟୀକାରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ଯକ୍ଷତା ରେ “ନୂଆ ଓ “ କାର୍ଯ୍ୟକ୍ରମର ଏକ ବୈଠକ ଓସ୍ୱାନ କକ୍ଷ, ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ପରିଚାଳନା କରିଥିଲେ ଜିଲ୍ଲା କ୍ରିଡା ଅଧିକାରୀ ଅଜୟ କୁମାର ବେହେରା। ଜାନୁଆରୀ ୧୦ ତାରିଖରେ ଓଡ଼ିଶା ସରକାର କ୍ରିଡା ବିଭାଗଙ୍କ ନିର୍ଦ୍ଦେଶ ଅନୁସାରେ ୟୁଥ ଫେଷ୍ଟିଭାଲ ହେବାକୁ ପ୍ରସ୍ତାବ ରଖିଥିଲେ। “ନୂଆ -ଓ” କାର୍ଯକ୍ରମ ସମସ୍ତ ୧୦୮ କଲେଜ ରେ ସାଂସ୍କୃତିକ/କ୍ରିଡା /ସୋସିଆଲ କ୍ଷେତ୍ରରେ ବିଭିନ୍ନ ଇଭେଣ୍ଟ ରେ ଛାତ୍ରୀ/ ଛାତ୍ର ମାନେ ଭାଗ ନେଇ ସର୍ବୋଚ୍ଚ ସ୍ଥାନରେ ଥିବା କୃତ୍ତି ପ୍ରତିଯୋଗୀ ଙ୍କ ମଧ୍ଯରେ ବ୍ଲକ/ ମୁନିସିପାଲିଟି /ବି. ଏମ. ସି ସ୍ତରରେ ବିଭିନ ଇଭେଣ୍ଟରେ ପ୍ରତିଯୋଗୀତା କରାଯାଇ ୩୧.୧୨ ୨୦୨୩ ରିଖ ସୁଦ୍ଧା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କରାଯିବାକୁ ଜିଲ୍ଲାପାଳ DCO,DSO ADEO ଙ୍କୁ ପରାମର୍ଶ ଦେଇଥିଲେ।

ଏହି ପ୍ରତିଯୋଗିତାରେ ପ୍ରଫେସନାଲ ଜଜ ଙ୍କୁ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯକୁ ସୂଚାରୁ ରୂପେ କରେଇବାକୁ ସମସ୍ତଙ୍କୁ ଅନୁରାଧ କରିଥିଲେ।

ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରି ଡ଼ ବାଦଲ କୁମାର ମହାନ୍ତି, ସି. ଡି.ଏମ.ଓ ଡ଼. ଆର୍ତ୍ତବନ୍ଧୁ ନାୟକ, ଏ. ଆର. ଟି.ଓ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଡି. ଏସ. ଡବ୍ଲୁ. ଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ସମସ୍ତ ବିଡିଓ ଆଭାଷୀ ରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବୋସ୍ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଓ ବିପିଏଫଟିଆଇର ୨୫ତମ ପୂର୍ତ୍ତି ଉତ୍ସବ ଲାଗି ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: କଟକସ୍ଥିତ ବୋସ୍ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଉତ୍ସବ ଏବଂ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍ ଓଡ଼ିଶାର (ବିପିଏଫଟିଆଇଓ) ୨୫ତମ ପୂର୍ତ୍ତି ଉତ୍ସବ ଖୁବଶୀଘ୍ର ପାଳନ କରାଯିବ। ଏନେଇ ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

“ବୋସ୍ ଏବଂ ବିପିଏଫଟିଆଇ ଓଡ଼ିଶାର ଦୁଇଟି ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ। ଏହି ଦୁଇ ଅନୁଷ୍ଠାନର ପୂର୍ତ୍ତି ଉତ୍ସବ ପାଳନ କରାଯିବା ଖୁସିର କଥା । ଏହି ଅବସରରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟ ଆଦିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ”, କହିଛନ୍ତି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ।

ଏହି ପୂର୍ତ୍ତି ଉତ୍ସବ ପାଳନ ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ, ବୋସ୍ ଏବଂ ବିପିଏଫଟିଆଇର କର୍ମକର୍ତ୍ତାମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମ କିପରି ଅନ୍ତର୍ଜାତୀୟ ମାନର ହୋଇପାରିବ ସେନେଇ ମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଏହି ବୈଠକରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ରୋଜିନା ଦାସ, ବିଶ୍ୱ ଦକ୍ଷତା କେନ୍ଦ୍ରର ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ, ବୋସ୍ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ହୃଷିକେଶ ମହାନ୍ତି ଏବଂ ବିପିଏଫଟିଆଇଓର ନିର୍ଦ୍ଦେଶକ ଦେବାଶିଷ ଘୋଷାଲ ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଞ୍ଚଳିକ

ରାଜସୁନାଖଳା ମହୋତ୍ସବ ‘କାଉଁରୀ ୨୦୨୩’ ପ୍ରସ୍ତୁତି ବୈଠକ

ରଣପୁର: ରାଜସୁନାଖଳା ମହୋତ୍ସବ କମିଟିର ପୂର୍ବପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ସମସ୍ତ ସଦସ୍ୟଙ୍କ ଗହଣରେ ରାଜସୁନାଖଳାର ଅଧିଷ୍ଠାତ୍ରୀ ଦେବୀ ମା’ କାଉଁରୀଙ୍କ ପୂଜାର୍ଚ୍ଚନା ପରେ ବୈଠକ ଆରମ୍ଭ ହୋଇଥିଲା।

ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ଉପଦେଷ୍ଟା ମଣ୍ଡଳି, ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ସଦସ୍ୟ, କାର୍ଯ୍ୟକାରୀ ସଦସ୍ୟ ଏବଂ ଆଜୀବନ ସଦସ୍ୟ ଉପସ୍ଥିତ ରହିଥିଲେ। ରାଜସୁନାଖଳା ଅଞ୍ଚଳର କଳା, ସାହିତ୍ୟ ଏବଂ ସଂସ୍କୃତିର ବିକାଶ ନିମନ୍ତେ ଚଳିତ ବର୍ଷ ଡିସେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ମହୋତ୍ସବ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରାଜ୍ୟ ଏବଂ ଜାତୀୟ ସ୍ତରୀୟ କଳାକାର ମାନଙ୍କୁ ଆମନ୍ତ୍ରଣ କରାଯିବା ସହିତ ବିଭିନ୍ନ ଦିନରେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଧାରାବାହିକ ସେଲିବ୍ରେଟି ମାନଙ୍କୁ ନିମନ୍ତ୍ରିତ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା।

ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସ୍ଥାନୀୟ କଳାକାର ମାନଙ୍କୁ ଚୟନ ପାଇଁ କମିଟିର ସାଂସ୍କୃତିକ ସମ୍ପାଦକ ମତ ରଖିଥିଲେ। ଚଳିତ ବର୍ଷ ଆସାମ ଏବଂ ମେଘାଳୟ ରୁ କଳାକାର ଦଳ ଆସି ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିବାବେଳେ ଉପାଧ୍ୟକ୍ଷ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉପଦେଷ୍ଟା ପ୍ରଦୀପ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ, ତଥା ଶାନ୍ତି ଶୃଙ୍ଖଳା କମିଟି ପକ୍ଷରୁ ଶୃଙ୍ଖଳା କୁ ଗୁରୁତ୍ୱ ଦେବାପାଇଁ ଦୃଢ଼ତା ପ୍ରକାଶ କରାଯାଇଛି।

ସଭା ଶେଷରେ ଅଧ୍ୟକ୍ଷଙ୍କ ପକ୍ଷରୁ କମିଟି ମିଡ଼ିଆ ସେଲ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ: ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମରାଳ ମାଳିନୀ ନିଳାମ୍ବୁ ଚିଲିକା କୂଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର କଳା, ସଂସ୍କୃତି, ଭାସ୍କର୍ଯ୍ୟ,ଐତିହ୍ୟ ଓ କଳିଙ୍ଗ ବୀର ସାଧବ ପୁଅମାନଙ୍କ ମହାନ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣୀୟ କରିବାପାଇଁ ଆସନ୍ତା ୨୬ ତାରିଖରେ ବୋଇତ ବନ୍ଦାଣ ମହୋତ୍ସବ ସୁରୁଖୁରୁରେ ପାଳନ କରିବା ସହ ସଫଳ ରୂପାୟନ ପାଇଁ ଆଲୋଚନା କରାଯାଇଥିଲା।

ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ତତ୍ୱାଵଧାନରେ ପୁର୍ନବାର ଚଳିତ ବର୍ଷ ବହୁ ଧୁମଧାମରେ ବୋଇତ ବନ୍ଦାଣ ମହୋତ୍ସବ ପାଳିତ ହେବା ନେଇ ସର୍ବ ସନମତି ପ୍ରକାଶ କରିଛନ୍ତି।ଏଥିସହିତ ମସ୍ୟଜୀବୀ ସଙ୍ଘ ଏବଂ ଏନଏସି ପକ୍ଷରୁ ମିଳିତ ଭାବେ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜନ କରାଯାଉଥିବା ବେଳେ ବିଭିନ୍ନ ମହଲରୁ ସହଯୋଗ କରିବାପାଇଁ ଅଧ୍ୟକ୍ଷା ଶ୍ରୀମତୀ ପାଇକରାୟ ଅନୁରୋଧ କରିଛନ୍ତି।

ଅନୁଷ୍ଠିତ ବୈଠକରେ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ, ଏନଏସି ବିଜେଡି ସଭାପତି ଜୟନ୍ତ ସ୍ବାଇଁ, ଏମପି ପ୍ରତିନିଧି ଅକ୍ଷୟ ରଣସିଂହ, ବଣିକ ସଙ୍ଘ ସଭାପତି ରବି ନାରାୟଣ ନାୟକ, ମୋଟର ବୋଟ ସଙ୍ଘ ସଭାପତି ଲକ୍ଷ୍ମୀଧର ତରାଇ ଓ ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ, ସମାଜସେବୀ, ପୋଲିସ ପ୍ରଶାସନ, ଅଗ୍ନିଶମ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ ଓ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥରେ ବେଗୁନିଆ ବିଧାୟକ ତଥା ଜିଲ୍ଲା ପରିଷଦ ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଅତିରିକ୍ତ ଜିଲ୍ଲାପାଶ୍ରୀ ପ୍ରଧାନ ପ୍ରାରମ୍ଭିକ ଭାଷଣ ରଖିଥ‌ିବା ବେଳେ ଉପ-ଜିଲ୍ଲାପାଳ ଶ୍ରୀ ସେଠୀ କାର୍ଯକ୍ରମକୁ ଆଗେଇ ନେଇଥିଲେ। ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଦୁର୍ଗା ପୂଜା ଏବଂ ଗଜଲକ୍ଷ୍ମୀ ପୂଜା କମିଟି ର ସଭ୍ୟମାନେ ଉକ୍ତ ଆଲୋଚନାରେ ଭାଗ ନେଇଥିଲେ। ପୂଜାକୁ କିପରି ସୁରୁଖୁରୁରେ ପରିଚାଳନା କରାଯିବ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ଦୁର୍ଗାପୂଜା ୨୦.୧୦.୨୦୨୩ ରୁ ଆରମ୍ଭ ହୋଇ ୨୪.୧୦. ୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରତ୍ୟେକ ପୂଜା ମଣ୍ଡପକୁ ସି. ସି. ଟି. ଭି . ଯୋଗାଇ ଦେବାକୁ, ପୋଷ୍ଟରରେ ଜରୁରୀ ତଥା ଗୁରୁତ୍ଵପୂର୍ଣ୍ଣ ଫୋନ ନମ୍ବର , ସ୍ୱେଚ୍ଛାସେବୀ ଶୃଙ୍ଖଳା ରକ୍ଷା ନିମିତ୍ତ ପୋଲିସ ନିଯୋଜନ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ପାର୍କିଂ ର ବ୍ୟବସ୍ଥା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା। ହାବେଳି ପଡିଆରେ ରାବଣ ପୋଡି ଦିନ ବ୍ୟାରିକେଡିଙ୍ଗ ର ବ୍ୟବସ୍ଥା ସହ ସନ୍ଧ୍ୟା ୭.୦୦ ଟା ରୁ ରାତି ୧୦.୦୦ ଟା ଭିତରେ ଉକ୍ତ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆଗଲା। ବୁଲା ଗାଈ ଗୋରୁ, ବୁଲା କୁକୁରଙ୍କୁ ନିୟନ୍ତ୍ରଣରେ ରଖିବାକୁ, ଖାଦ୍ୟ ପଦାର୍ଥ ର ମାନ ନିର୍ଦ୍ଧାରଣ,ଭଷାଣୀ ଦିନ ମଦ ଦୋକାନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଠେଲା ଗାଡ଼ି, ଉଠା ଦୋକାନି ଙ୍କ ଉଚ୍ଛେଦ ପାଇଁ ପୌର ପରିଷଦ ଙ୍କୁ କୁହାଯାଇଛି।

ତା ୨୫.୧୦. ୨୦୨୩ ରିଖ ଦିନ ଭଷାଣୀ ରହୁଥ‌ିବାରୁ ଅପରାହ୍ନ ୫.୦୦ ଟାରୁ ରାତି ୧୦.୦୦ଟା ଭିତରେ ଟି. ଏଲ. ସି. ରୋଡ଼ ନିକଟସ୍ଥ “ଖଣି ପୋଖରୀ”ରେ ମୂର୍ତ୍ତି ସବୁ ବିସର୍ଜନ କରାଯିବାକୁ ସ୍ଥିର କରାଯାଇଛି। ସେଠାରେ ବ୍ୟାପକ ଆଲୋକିକରଣ, ପୁଷ୍କରିଣୀ ଭିତର ଏବଂ ବାହାର ପରିସର ସଫା ରଖିବାକୁ , ରାସ୍ତାଘାଟ ମରାମତି , ବିଦ୍ୟୁତ ବିଭାଗ କୁ ୨୨ ଫୁଟ ଉର୍ଦ୍ଧ୍ବରେ ବିଦ୍ୟୁତ ତାରକୁ ସଂଯୋଗୀକରଣ ପାଇଁ ଅନୁରୋଧ କରାଯାଇଥିଲା।

ଭଷାଣୀ ସମୟରେ ଡି. ଜେ. ଅତି କମ ଶବ୍ଦ ବିଶିଷ୍ଟ ବଜାଇବାକୁ ଅନୁରୋଧ କରାଯିବାସହ କିଛି ମୂର୍ତ୍ତିଙ୍କୁ ୨୭ ତାରିଖ ଦିନ ବିସର୍ଜନ କରିବା ପାଇଁ ଉକ୍ତ ବୈଠକରେ ସ୍ଥିର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କଟକ ବାଲିଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ: ସ୍ୱାସ୍ଥ୍ୟ, ପରିମଳ ଓ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଐତିହାସିକ କଟକ ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାକୁ ଯେପରି ଶୃଙ୍ଖଳିତ ତଥା ସରସ ସୁନ୍ଦର ଭାବେ ପାଳନ କରାଯିବ ଏହା ଉପରେ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି।

ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭଚ୍ୟୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି।
ମେଳା ପଡିଆ ପ୍ରସ୍ତୁତି, ରାସ୍ତାଘାଟ ଉନ୍ନତିକରଣ, ଜଳ ଯୋଗାଣ, ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ, ଶୌଚାଳୟ ନିର୍ମାଣ, ଆଇନ ଶୃଙ୍ଖଳା ରକ୍ଷା, ନିରାପତ୍ତା ଓ ଟ୍ରାଫିକ ନିୟନ୍ତ୍ରଣ, ସିସି ଟିଭି ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ସାହୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଅଗ୍ନିଶମ, ନଦୀପଠାରେ ସୁରକ୍ଷା ବ୍ୟବସ୍ତା ଓ ସ୍ୱାସ୍ଥ୍ୟ, ପରିମଳ ଓ ଯାତ୍ରା ସମୟରେ ବିକ୍ରୟ କରାଯାଉଥବା ଖାଦ୍ୟମାନ ଯାଞ୍ଚ ବ୍ୟବସ୍ଥା କଡାକଡି କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

ଚଳିତ ବର୍ଷ “ଚାଲ ଯିବା କଟକ ବାଲିଯାତ୍ରା” ଭଳି ସ୍ଲୋଗାନ ଆରମ୍ଭ କରିବାକୁ କଟକ ମେୟର ଶ୍ରୀ ସୁବାସ ସିଂ ବୈଠକରେ ପ୍ରସ୍ତାବ ଦେଇଥିଲେ।

ରାଜ୍ୟ ପର୍ଯ୍ୟଟନ ପ୍ରୋତ୍ସାହନ ଏବଂ ଆତିଥେୟତା ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ଏଥି ନିମନ୍ତେ ବିଭଗ ପକ୍ଷରୁ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ କରାଯିବ। ସେହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ପୂର୍ବକ ଆଧୁନିକ ସାଜସଜ୍ଜା ସହ ଉଚ୍ଚକୋଟୀର ଦଳ ମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥି ପାଇଁ ମଧ୍ୟ ସଂସ୍କୃତି ବିଭାଗ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବ।

ଉକ୍ତ ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇ, ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର କମିଶନର ନିଖିଳ ପବନ କଲ୍ୟାଣ, ଓରମାସ ସିଇଓ ଗୁହା ପୁନମ ତାପସ କୁମାର, ଖାଦ୍ୟ ସୁରକ୍ଷା କମିଶନର ଡଃ ପୋମା ଟୁଡୁ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ପର୍ଯ୍ୟଟନ ବିଭାଗ ଓଏସଡ଼ି ଅଂଶୁମାନ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରସ୍ତୁତି ବୈଠକ

କୁଜଙ୍ଗ: କୁଜଙ୍ଗ ବ୍ଲକ୍ ସୂଚନା ଭବନ ପରିସର ମଧ୍ୟରେ ଆଜି ବିଜୁ ଯୁବ, ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲାସ୍ତରିୟ କର୍ମଶାଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୁଜଙ୍ଗ ବ୍ଲକ୍ ବିଜୁ ଯୁବ ଜନତା ଦଳର ସଭାପତି ଅରୁପ୍ରସାଦ ମହାନ୍ତି ସଭାପତିତ୍ୱ କରିଥିଲେ। ଅତିଥିଭାବେ ଯୁବ ବିଜେଡି ଜିଲ୍ଲା ସଭାପତି ସୌମ୍ୟଜିତ୍ ମହାପାତ୍ର ଓ ଛାତ୍ର ବିଜେଡ଼ି ସମିତ୍ ଲେଙ୍କା ଯୋଗଦେଇ କୁଜଙ୍ଗ ଓ ପାରାଦ୍ୱୀପ ନିର୍ବାଚନ ମଣ୍ଡଳିର ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତାମାନଙ୍କୁ ଏକଜୁଟ ହୋଇ ରହିବାକୁ କହିଥିଲେ।

ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା, ଘରେ ଘରେ ଶଙ୍ଖ ଚିହ୍ନକୁ ପହଁଚାଇବା ସହିତ ସାଧାରଣ ଲୋକଟିର ସମସ୍ୟା ସମାଧାନ କରିବାକୁ ପଂଚାୟତର ଯୁବ ବିଜେଡ଼ିର କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ୧୫ ତାରିଖରେ ଜଗତ୍‌ସିଂହପୁରଠାରେ ହେବାକୁଥିବା ଜିଲ୍ଲାସ୍ତରିୟ ବିଜୁ ଯୁବ ଛାତ୍ର ଜନତାଦଳର କର୍ମଶାଳା ବୈଠକରେ କୁଜଙ୍ଗ ବ୍ଲକ୍ ତରଫରୁ ସର୍ବାଧିକ ଯୁବ ଓ ଛାତ୍ର କର୍ମକର୍ତାମାନେ ଯୋଗଦେବାକୁ ଶ୍ରୀଯୁକ୍ତ ମହାପାତ୍ର ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ମାନଭଞ୍ଜନ ମଲ୍ଲ, ଛାତ୍ର ବିଜେଡ଼ି ସଭାପତି ବାପୁଜୀ ବେହେରା, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ତଥା ପଂଚାୟତ ସମିତି ଉପାଧ୍ୟକ୍ଷ ଜ୍ଞାନିଜିତ୍ ସ୍ୱାଇଁ, ଆଇଟି ସଂଯୋଜକ ସୁନିଲ ବିଶ୍ୱାଳ ଯୋଗଦେଇ ଆଗାମୀ ବିଧାନସଭା ନିର୍ବାଚନରେ ଦଳିୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟ କରିବାକୁ ଯୁବଛାତ୍ର କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ।

ମହେଶ୍ୱର ଦାସ, ସତ୍ୟବାନ୍ ମୁଦୁଲି, ସିଦ୍ଧାର୍ଥ ପ୍ରସାଦ ପ୍ରଧାନ, ଅଂଶୁମାନ ମହାପାତ୍ର, ନରହରି ତରାଇ, ବୈକୁଣ୍ଠ ବିହାରୀ ପ୍ରଧାନ, ପ୍ରଭାସ ରଞ୍ଜନ ଦାସ, ଚରିଞ୍ଜିବୀ ନାୟକ, ମିଲନ ଚୌଧୁରୀ, ସୁଭ୍ରଜିତ୍ ଦାସ, ଆଶୀଷ୍ ସ୍ୱାଇଁ, ସୁଶାନ୍ତ ପରିଡ଼ା, ଉମାକାନ୍ତ ଯତି, ନିତ୍ୟାନନ୍ଦ ପରିଡ଼ା, ପ୍ରିୟଦର୍ଶୀ ପଟ୍ଟନାୟକ, କୁଜଙ୍ଗ ବ୍ଲକ୍ ଆଇଟି ସଂଯୋଜକ ସୁଧାଂଶୁ ବେହେରା, ଅୟସକାନ୍ତ ମହାପାତ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସ୍ଵାଧୀନତା ଦିବସ-2023 ଉପଲକ୍ଷେ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ଅପରାହ୍ନ 3.00ଟା ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ର ବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ସ୍ଵାଧୀନତା ଦିବସ-2023 ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ବାଗତ ଭାଷଣ ରଖିବା ସଙ୍ଗେ ସଙ୍ଗେ 2022‌ଵର୍ଷରେ ପ୍ରସ୍ତୁତ ବୈଠକ ବିବରଣୀ ପାଠ କରି ଜିଲ୍ଲାପାଳଙ୍କ ଅନୁମତି କ୍ରମେ ସମସ୍ତ ଙ୍କ ମତାମତ ଲୋଡିଥିଲେ।

ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ‌ଅଧିକାରୀଙ୍କୁ ‌ତାଙ୍କ କାର୍ଯ୍ୟାଳୟ ତରଫରୁ ଅଗଷ୍ଟ -15 ତାରିଖ ଦିନ 4.30 ମିନିଟ ସମୟରେ ରାମଧୁନ ଗାନ କରାଯିବା ସଙ୍ଗେସଙ୍ଗେ ପଡ଼ିଆରେ ମାଇକ ର ସୁବ୍ୟବସ୍ଥା ପାଇଁ ଡି.ଜି ର ସ଼ଯୋଗ କରିବା କୁ ଓ ଭଲ ଫଟୋ ଉତ୍ତୋଳନ କରିବା ପାଇଁ ପରାମର୍ଶ ଦେଇଥିଲେ।
ସେହିପରି ସକାଳ 7.00ଟା ରେ ପ୍ରତିମୂର୍ତ୍ତି ମାନଙ୍କରେ ମାଲ୍ୟାର୍ପଣ କରିବାକୁ ପୌରପରିଷଦ ଏବଂ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସକାଳ 7.30ମିନିଟ ସୁଦ୍ଧା ପତାକା ଉତ୍ତୋଳନ କରିବା କୁ ବୈଠକ ରେ ସ୍ଥିର କରାଗଲା। ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସୁଚାରୁରୂପେ ସେମାନଙ୍କ ଦାୟିତ୍ଵ ନିର୍ବାହ କରିବାକୁ ବୈଠକ ରେ ସ୍ଥିର କରାଯାଇଥିଲା।

ଷ୍ଟେଟ ବୋର୍ଡ଼ ଟପର 10th ଏଵଂ 12th ର ଛାତ୍ରୀ ଛାତ୍ର ଙ୍କୁ ପୁରସ୍କୃତ କରାଯିବାକୁ, ସମସ୍ତ ଲାଇନ ଡିପାର୍ଟମେଣ୍ଟ ରୁ ସର୍ବୋତ୍ତମ ଜଣଙ୍କୁ ଏବଂ ଫାୟାର ଅଫିସର ସ୍ବତନ୍ତ୍ର ଦଳ ଯିଏ କି ବାହାନଗା ରେଳ ଦୁର୍ଘଟଣା ରେ କାର୍ଯ୍ୟରତ ରହି ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବା କୁ ସ୍ଥିର କରାଯାଇଛି।

ବିଭିନ୍ନ ଲାଇନ ଵିଭାଗର କାର୍ଯ୍ୟାଳୟ ତରଫରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ, ଏବଂ ଟ୍ରାଫିକ ଛକରେ ଷ୍ଟ୍ରିଟ ପ୍ଲେ ପ୍ରଦର୍ଶନ କରାଯିବା କୁ ବୈଠକରେ ସ୍ଥିର କରାଯାଇଛି।
ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କାଟାରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନ ସିଂହ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି,ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ ରିଜ୍ବାନା ମାଡାମ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ପୁଷ୍ପାଞ୍ଜଳୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲ ।

ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ଅନୁମତି କ୍ରମେ ସମସ୍ତ ଙ୍କୁ ଧନ୍ୟବାଦ ଦେଲାପରେ ସଭା ସାଙ୍ଗ କରିଥିଲେ।

Categories
ଆଞ୍ଚଳିକ

ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ପାଇଁ ବାଣପୁର ଏନଏସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ବାହୁଡା଼ଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଚରଣ ଚକାଦେବ ଓ ରଙ୍କନାଥ ଦେବଙ୍କ ବାହୁଡା଼ ଯାତ୍ରା କିପରି ଶୃଙ୍ଖଳିତ ଭାବରେ ସମାପନ ହେବ ଏ ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବାଣପୁର ଏନଏସି ସଭାଗୃହରେ ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ କାର୍ଯ୍ୟନିବାହି ଅଧିକାରୀ ଅବିନାଶ ମହାନ୍ତି, ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।  ବାଣପୁରରେ ଦୁଇ ଗୋଟି ସ୍ଥାନରେ ରଥଯାତ୍ରା ହେଉଥିବାରୁ ଉଭୟ ସ୍ଥାନରେ ବାହୁଡା଼ ଯାତ୍ରା ପାଇଁ ସମୟ ନିର୍ଦ୍ଧାରିତ ହୋଇଛି। ଦିନ ୨.୩୦ ମିନିଟରେ ଚରଣ ଚକାଦେବଙ୍କର ଏବଂ ୩.୩୦ ମିନିଟରେ ରଙ୍କନାଥ ଦେବଙ୍କ ରଥ ଟଣା ଆରମ୍ଭ ହେବ ବୋଲି ଉକ୍ତ ବୈଠକରେ ନିଷ୍ପତି ହୋଇଛି।

ସନ୍ଧ୍ୟା ପୁର୍ବରୁ ଉଭୟ ସ୍ଥାନରେ ରଥ ମନ୍ଦିର ନିକଟରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି।  ରଥଯାତ୍ରା ପରି ବାହୁଡ଼ାଯାତ୍ରାରେ ମଧ୍ୟ ସ୍ଵେଚ୍ଛାସେବୀ ନିୟୋଜିତ ହେବେ ବୋଲି ନିଷ୍ପତି ନିଆଯାଇଛି।

ଅନୁରୂପ ଭାବେ ଶୃଙ୍ଖଳିତ ବାହୁଡ଼ାଯାତ୍ରାକୁ ଗୁରୁତ୍ୱ ଦେଇଛନ୍ତି ଆଇଆଇସି ଶ୍ରୀ ପରିଡ଼ା।  ପରିଶେଷରେ କାର୍ଯ୍ୟନିବାହି ଅଧିକାରୀ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରି ବୈଠକ ସାଙ୍ଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଚଳିତ ରଥଯାତ୍ରାର ସୁପରିଚାଳନା ନେଇ ବୈଠକ

ଭୁବନେଶ୍ୱର: ଓଡ଼ିଆମାନଙ୍କର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର କେନ୍ଦ୍ରବିନ୍ଦୁ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ରଥଯାତ୍ରା ହେଉଛି ଓଡ଼ିଆ ଜାତିର ସବୁଠାରୁ ଶ୍ରେଷ୍ଠ ପର୍ବ। ଦେଶବିଦେଶରୁ ଭକ୍ତମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଆସନ୍ତି। ଚଳିତ ରଥଯାତ୍ରାରେ ସୂଚନା ଓ ଲୋକସଂପର୍କ ବିଭାଗ ଉପରେ ନ୍ୟସ୍ତ ସମସ୍ତ କାର୍ଯ୍ୟକୁ ଅଧିକ ଆନ୍ତରିକତା ଓ ବ୍ୟବସ୍ଥିତ ଢଙ୍ଗରେ ନିର୍ବାହ କରି ରଥଯାତ୍ରାକୁ ଅଧିକ ସରସସୁନ୍ଦର କରିବା ପାଇଁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି।

ଆଜି ଲୋକସଂପର୍କ ଭବନସ୍ଥିତ ସମ୍ମିଳନୀ କକ୍ଷରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୩ ଉପଲକ୍ଷେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଅମାତ ବିଗତ ବର୍ଷମାନଙ୍କରେ ଦେଖଯାଇଥିବା ଅସୁବିଧାଗୁଡ଼ିକର ସମାଧାନ ଉପରେ ବିଶେଷ ଦୃଷ୍ଟି ଦେଇ ଚଳିତ ବର୍ଷର ରଥାଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ କହିଲେ ଯେ ରଥଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ପ୍ରତୀକ। ରଥଯାତ୍ରାରେ ନିର୍ଦ୍ଦିଷ୍ଟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ସୂଚନା ଓ ଲୋକସଂପର୍କ ବିଭାଗକୁ ସୁଯୋଗ ଦେଇଛନ୍ତି। ଏହା ବିଭାଗ ପାଇଁ ଗର୍ବ ଓ ଗୌରବର ବିଷୟ। ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱଗୁଡ଼ିକୁ ଗତବର୍ଷ ତୁଳନାରେ ଅଧିକ ସୁଚାରୁ ରୂପେ ସଂପାଦିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ରଥଯାତ୍ରା ବିଶେଷାଙ୍କ ତଥା ଜଗନ୍ନାଥ ଜଣାଣ ଆଦି ପୁସ୍ତିକାର ପ୍ରକାଶନ ଏବଂ ଭକ୍ତମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୁରୀଠାରେ ଏହାର ବିକ୍ରୟ ଉପରେ ମତ ରଖିଥିଲେ।
ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ଦେବା ସହ ଆଲୋଚନା ନିମେନ୍ତ ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ। ଆଲୋଚନାରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ରଥଯାତ୍ରାର ସିଧା ପ୍ରସାରଣ କରାଯିବ ଓ ବିଭିନ୍ନ ବୈଦୁ୍ୟତିକ ଗଣମାଧ୍ୟମକୁ ଲାଇଭ୍‌ କମନ୍‌ ଫିଡ୍‌ ଯୋଗାଇ ଦିଆଯିବ। ଭକ୍ତମାନଙ୍କ ସୁବିଧା ନିମନ୍ତେ ପୁରୀର ୧୧ଟି ପ୍ରମୁଖ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ କରାଯିବ। ବିଭାଗ ପକ୍ଷରୁ ସମସ୍ତ ସୂଚନା କେନ୍ଦ୍ରରେ ପାଲା, ଦାସକାଠିଆ, ଘୋଡ଼ାନାଚ ଇତ୍ୟାଦି ଲୋକକଳା ଏବଂ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରତ୍ୟେକ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ଭଜନ ସମାରୋହ ଆୟୋଜିତ ହେବ।

ମହାନ ଜଗନ୍ନାଥ ସଂସ୍କୃତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ଆଧାରିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। ରଥଯାତ୍ରା ସଂପର୍କିତ ଖବର ସଂଗ୍ରହ ପାଇଁ ରାଜ୍ୟସ୍ତରୀୟ ସାମ୍ବାଦିକମାନଙ୍କ ପୁରୀ ଗସ୍ତ ଉପରେ ଆଲୋଚନା ହୋଇଥିଲା। ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ନେଇ ସାମାଜିକ ଗଣମାଧ୍ୟମ, ଖବରକାଗଜ, ରେଡ଼ିଓ ଜିଙ୍ଗିଲ୍‌ ଓ ବୈଦୁ୍ୟତିକ ଗଣମାଧ୍ୟମରେ ବିଜ୍ଞାପନ ପ୍ରସାରଣ କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କିତ ବିବରଣୀ ହୋଡିଙ୍ଗ୍‌ ମାଧ୍ୟମରେ ପ୍ରଦର୍ଶିତ ହେବ।

ଏହି ଅବସରରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ, ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜଳ ସଂପଦ ବିଭାଗ ତରଫରୁ ପ୍ରାକ୍ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ବୈଠକ 

ଭୁବନେଶ୍ୱର: ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ  ବିଭାଗ ତରଫରୁ ଏକ ପ୍ରାକ୍ ବନ୍ୟା-ବାତ୍ୟା ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ଅପରାହ୍ଣରେ ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ନଦୀ ଅବବାହିକା ଅନ୍ତର୍ଗତ ଡିଭିଜନଗୁଡିକରେ ଅବସ୍ଥାପିତ ଜଳ ସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ, ସହକାରୀ ମୁଖ୍ୟଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ମହାନ୍ତି ପାଓ୍ୱାର ପଏଣ୍ଟ ମାଧ୍ୟମରେ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ସଂପର୍କରେ ତଥ୍ୟ ଉପସ୍ଥାପନ କରି ରାଜ୍ୟରେ ଥିବା ମହାନଦୀ, ବ୍ରାହ୍ଣଣୀ, ବୈତରଣୀ, ସୁବର୍ଣ୍ଣରେଖା ସମେତ ୧୧ ଟି ନଦୀ ଅବବାହିକାରେ ଥିବା ୮ ଟି ବୃହତ୍ ଜଳ ଭଣ୍ଡାର ଓ ୪୭ ଟି ମଧ୍ୟମ ଜଳଭଣ୍ଡାରର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ। ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଯନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ୨୦୨୨ ଅଗଷ୍ଟ ମାସ ବନ୍ୟାରେ ଆମେ ପାଖାପାଖି ୧୨ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବା ବେଳେ ବନ୍ୟା ପରିଚାଳନା ସଫଳତାର ସହ କରିଥିଲୁ। ଏ ବର୍ଷ ଆମର ବୃହତ ଓ ମଧ୍ୟମ  ଜଳ ଭଣ୍ଡାରଗୁଡିକର ସ୍ଥିତି ଭଲ ରହିଛି। ଆମର ବନ୍ୟା ପରିଚାଳନା ନେଇ ଯେଉଁ ମଡେଲ ରହିଛି, ଏହାକୁ ଆଧାର କରି ଆଗାମୀ ଦିନରେ ବନ୍ୟା ଓ ବାତ୍ୟାର ସଫଳ ମୁକାବିଲା କରିପାରିବୁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଇଂ. ମହାନ୍ତି ପ୍ରକାଶ କରିଥିଲେ।
ଜଳ ସଂପଦ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ଗତ ବର୍ଷ ବନ୍ୟାକୁ ଆମେ ସଫଳତାର ସହ ମୁକାବିଲା କରିଛୁ। କିନ୍ତୁ ଏଥିରେ ଆମେ ସନ୍ତୁଷ୍ଟ ନ ହୋଇ ଆମକୁ ଅଧିକ ଯତ୍ନ ଓ ସତର୍କତାର ସହ କାର୍ଯ୍ୟ କରିବାକୁ ପଡିବ। ଗତ ବର୍ଷ ବନ୍ୟା ମୁକାବିଲାରେ ରହିଥିବା ତ୍ରୁଟିକୁ ଅନୁଧ୍ୟାନ କରି ଆଗାମୀ ବନ୍ୟା-ବାତ୍ୟା  ମୁକାବିଲା ପାଇଁ  ପ୍ରସ୍ତୁତ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି। ବନ୍ୟା-ବାତ୍ୟା ପରିଚାଳନା ସହ ବନ୍ୟା ଛାଡିବା ପରେ ଜଳ ସଂଚୟ ପାଇଁ ଗେଟ୍  ଗୁଡିକର ସ୍ଥିତି ଯେପରି ଠିକ୍ ରୁହେ, ସେଥିପ୍ରତି  ଦୃଷ୍ଟି ଦେବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି। ଆହୁରି ମଧ୍ୟ ବନ୍ୟା ସମୟରେ ନଦୀ ବନ୍ଧ ଗୁଡିକ ଯେପରି ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ଓ ଜନସାଧାରଣଙ୍କ ଯାତାୟତ ପାଇଁ  ସୁବିଧା ରୁହେ,  ସେଥିପ୍ରତି ଧ୍ୟାନ ଦେଇ ରାସ୍ତାଗୁଡିକର ସ୍ଥିତି ଯାଂଚ କରି ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ସମୟରେ ଛୋଟ ଛୋଟ ଘଳିଆ ସୂଚନା ମିଳିବା ସଙ୍ଗେ ସଙ୍ଗେ ତୁରନ୍ତ ଦୃଷ୍ଟିକୁ ନେଇ ବନ୍ଧ ମରାମତି କରିବାକୁ ଶ୍ରୀମତୀ ଗର୍ଗ  ନିର୍ଦ୍ଦେଶ ଦେଇଥିଲେ।
ବୈଠକରୁ ଜଣାପଡିଛି ଯେ ଗତ ଥର ହୋଇଥିବା ୮ ଟି ସ୍ଥାନରେ ଘାଇ ମଧ୍ୟରୁ ୩ ଟି ସଂପୂର୍ଣ୍ଣ ମରାମତି ସରିଛି ଓ ଅନ୍ୟ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ମଇ ମାସ ୧୦ ତାରିଖ ସୁଦ୍ଧା ଜଳ ସଂପଦ  ବିଭାଗର ସଂପୃକ୍ତ  ଅତିରିକ୍ତ ମୁଖ୍ୟଯନ୍ତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ ନଦୀ ବନ୍ଧର ସ୍ଥିତି ସଂପର୍କରେ ଯୁଗ୍ମ  ତନଖି ବିବରଣୀ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସବୁ ଜିଲ୍ଲାରେ ଯୁଗ୍ମ ତନଖି  କାର୍ଯ୍ୟ ସରିଛି। ରାଜ୍ୟର ବିଭିନ୍ନ ଜଳସଂପଦ ଡିଭିଜନରେ ମୋଟ ୭୪୭୩.୨୦୬ କି.ମି ବନ୍ଧ ତଟ ରହିଛି। ସେଥିରୁ ୧୬୩୫.୯୪୫ କି.ମି ଲୁଣି  ବନ୍ଧ ରହିଛି। ବିଭିନ୍ନ ନଦୀ ଓ ଜଳ ଭଣ୍ଡାରର ଗେଟ୍, ସ୍କୁଇସ୍ ଗେଟ୍, ଦୁର୍ବଳ ଓ ସମ୍ବେଦନଶୀଳ ନଦୀ ବନ୍ଧ ଗୁଡିକର ମରାମତି ଓ ସ୍ଥିତି ସଂପର୍କରେ ଆଲୋଚନା କରାଯାଇଥିଲା।
ପ୍ରତି ବର୍ଷ ଭଳି ଆବଶ୍ୟକ ସ୍ଥାନରେ ଡିଭିଜନଓ୍ୱାରୀ ବାଲିବସ୍ତା, ବାଲି ବ୍ୟାଗ,  ବନ୍ୟା-ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ଯାନ୍ତ୍ରିକ ବ୍ୟବସ୍ଥା  ଓ ଉପକରଣ କ୍ରୟ ପ୍ରକ୍ରିୟା ଜାରି ରହିଛି। ଉପରୋକ୍ତ  ବ୍ୟବସ୍ଥା ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ଓ ସଂସ୍ଥାମାନଙ୍କର  ଜରୁରୀ ଟେଲିଫୋନ୍ ନମ୍ବର ରଖି  ନିୟମିତ ଯୋଗାଯୋଗରେ ରହିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ କାଳୀନ ଯୋଗାଯୋଗ ପାଇଁ ଅଧିକାରୀମାନଙ୍କ ଟେଲିଫୋନ୍ ନମ୍ବର ସଂପୃକ୍ତ ସମସ୍ତଙ୍କୁ ଦିଆଯିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି। ବନ୍ୟା-ବାତ୍ୟା ମୁକାବିଲା ପାଇଁ ଜିଲ୍ଲାସ୍ତରରେ ଜନ ପ୍ରତିନିଧି, ଜିଲ୍ଲା ଓ  ସ୍ଥାନୀୟ ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହିତ ବୈଠକ କରାଯାଉଛି। ଜଳ ସଂପଦ ବିଭାଗର  କର୍ତ୍ତୃପକ୍ଷମାନଙ୍କୁ  ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହିତ  ଯୋଗାଯୋଗରେ ରହିବାକୁ କୁହାଯାଇଛି। ଜୁନ ୧ ତାରିଖରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସେଚସଦନସ୍ଥିତ  ବନ୍ୟା ନିୟନ୍ତ୍ରଣ କକ୍ଷ ୨୪  ଘଣ୍ଟିଆ କାର୍ଯ୍ୟ କରିବ।
ସେହିପରି ବନ୍ୟା-ବାତ୍ୟା ସମୟରେ ଡିଭିଜନ ଓ ସର୍କଲ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ରମ ହେବ ଓ ଏହାକୁ  ସହକାରୀ ମୁଖ୍ୟ ଯନ୍ତ୍ରୀ ଓ  ମୁଖ୍ୟ ଯନ୍ତ୍ରୀମାନେ  ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ସଂପର୍କିତ  ବୁଲେଟିନ୍ ନିୟମିତ ପ୍ରଦାନ, ବନ୍ୟାଜଳ ଛାଡିବା ପୂର୍ବରୁ ସତର୍କ ସୂଚନା ସଂପୃକ୍ତ ସମସ୍ତଙ୍କୁ ଜଣାଇବା ସହ  ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଅନ୍ୟ ପକ୍ଷରେ ବନ୍ୟା ସମୟରେ ବିଭିନ୍ନ ନଦୀ ଜଳ ଭଣ୍ଡାରରୁ  ପ୍ରବେଶ  କରିବାକୁ ଥିବା ଜଳ ପରିମାଣ ଜାଣିବା ପାଇଁ ସଂପୃକ୍ତ ପଡୋଶୀ ରାଜ୍ୟର ଯନ୍ତ୍ରୀମାନଙ୍କ ସହିତ ଯୋଗାଯୋଗରେ ରହିବାକୁ ସଂପୃକ୍ତ  ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ରସ୍ତରରେ କିପରି ବନ୍ୟା ସଂପର୍କରେ ପାଟ୍ରୋଲିଂ କରାଯାଏ, ସେ ସଂପର୍କରେ ଏବେଠୁ ପ୍ରଶିକ୍ଷଣ  ନେବାକୁ ଅତିରିକ୍ତ ମୁଖ୍ୟ  ଶାସନ ସଚିବ ପରାମର୍ଶ ଦେଇ  ସେମାନଙ୍କ ଠାରୁ ଶତ ପ୍ରତିଶତ ସେବା ଆଶା  କରିଛନ୍ତି।
ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ  ନକ୍ସାଙ୍କନ), ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ଉଠା ଜଳସେଚନ, ମୁଖ୍ୟ ଯନ୍ତ୍ରୀ ଓ ଅବବାହିକା ପରିଚାଳକ, ମହାନଦୀ-କାଠଯୋଡି ଅବବାହିକା, ମୁଖ୍ୟ ଯନ୍ତ୍ରୀ, ଏଚ୍.ଏଚ୍ ଏବଂ ଜିଆଇଏସ, ସିଏମ ଭୁବନେଶ୍ୱର, ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ମୁଖ୍ୟ ଯନ୍ତ୍ରୀ ଡ୍ରେନେଜ, ମୁଖ୍ୟଯନ୍ତ୍ରୀ ,ମନିଟରିଂ, ମୁଖ୍ୟ ଯନ୍ତ୍ରୀ ବନ୍ଧ ନିରାପତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
Categories
ଆଞ୍ଚଳିକ

ବାଣପୁର: ୫ ଟି ଅନ୍ତର୍ଗତ ବଳରାମ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ଅଧକ୍ଷତାରେ ୫ ଟି ଅନ୍ତର୍ଗତ ବଳରାମ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଏକ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏବିଡ଼ିଓ ସୀମାଦ୍ରୀ ପାତ୍ର, ବ୍ଲକ କୃଷି ଅଧିକାରୀ ଅଜୟ କୁମାର କର, ବାଣପୁର ବ୍ଲକ ଅଧିନସ୍ଥ ସମସ୍ତ ବ୍ୟାଙ୍କ ପରିଚାଳକ, କୃଷି ବିଭାଗର ସମସ୍ତ କ୍ଷେତ୍ର ଅଧିକାରୀ, ସମସ୍ତ ସମବାୟ ସମିତିର ସମ୍ପାଦକ, ଉଦ୍ୟାନ ଓ ମତ୍ସ୍ୟ ଓଡିଶା ଜୀବିକା ମିଶନ ସହ ସମସ୍ତ କୃଷକସାଥି ଉପସ୍ଥିତ ଥିଲେ।

କୃଷି ଅଧିକାରୀ ଶ୍ରୀ କର ଭିଡିଓ ମାଧ୍ୟମରେ ବଳରାମ ଯୋଜନର ଆଭିମୁଖ୍ୟ ଓ ବାସ୍ତବକ୍ଷେତ୍ରରେ ତାହାର କାର୍ଯ୍ୟକାରିତା, ନୀତିନିୟମ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। କିପରି ଛୋଟଚାଷୀ, ଭାଗ ଚାଷୀ ମାନେ ବଳରାମ ଯୋଜନାରେ ଅଂଶ ଗ୍ରହଣ ପୂର୍ବକ ବ୍ୟାଙ୍କ ମାଧ୍ୟମରେ ଋଣ ଗ୍ରହଣ କରି ବିଭିନ୍ନ କୃଷିର ଉନ୍ନତି କରିପାରିବେ ତାହା ବ୍ୟାଖ୍ୟା କରିଥିଲେ।

ପରିଶେଷରେ ବୈଠକରେ ଉପସ୍ଥିତ ସମସ୍ତ ବ୍ୟାଙ୍କ ଅଧିକାରୀ, କୃଷକ ସାଥି, କୃଷି କ୍ଷେତ୍ରଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କୃଷି ଅଧିକାରୀ ଆଗାମୀ ଦିନରେ ସରକାରଙ୍କ ୫ ଟି ଅନର୍ଗତ ଏହି ବଳରାମ ଯୋଜନାକୁ କିପରି ସଫଳ ରୂପାୟନ ଦିଆଯାଇପାରିବ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆଗାମୀ ଅପ୍ରେଲ ୧୩ ତାରିଖରେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠାର ପ୍ଲାଟିନମ୍ ଜୟନ୍ତୀ ପାଳନ କରାଯାଉଥିବାରୁ ଏହି ପ୍ରତିଷ୍ଠା ଦିବସ ତଥା ରାଜଧାନୀ ମହୋତ୍ସବକୁ ସରସ, ସୁନ୍ଦର ଓ ଶାନ୍ତି, ଶୃଙ୍ଖଳାର ସହ ଏବଂ ପୂର୍ବ ବର୍ଷ ଅପେକ୍ଷା ଅଧିକ ଭଲ ଭାବରେ ପାଳନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରାରମ୍ଭରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ଦୀର୍ଘ ବର୍ଷ ଧରି ସମସ୍ତଙ୍କ ସହଯୋଗରେ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହୋଇଆସୁଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଚଳିତ ବର୍ଷ ମଧ୍ୟ ଏହି ଐତିହ୍ୟ ସଂପନ୍ନ ମନ୍ଦିରମାଳିନୀ ଭୁବନେଶ୍ୱର ସହରର ପ୍ରତିଷ୍ଠା ଦିବସକୁ ଅଧିକ ଆନନ୍ଦ ଉଲ୍ଲାସର ପାଳନ ନିମନ୍ତେ ସମସ୍ତଙ୍କ ଠାରୁ ସହଯୋଗ ଆଶା କରିଥିଲେ । ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଉତ୍ସବକୁ ଏପ୍ରିଲ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବା ନେଇ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ମତ ରଖିଥିଲେ।

ବୈଠକର ଆଲୋଚନା ଅନୁସାରେ ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ବେସାମରିକ ପରେଡ୍ ଏପ୍ରିଲ ୧୩ ତାରିଖରେ ରବୀନ୍ଦ୍ର ମଣ୍ଡପ ଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖ ରାସ୍ତାରେ ଅନୁଷ୍ଠିତ ହେବ ଓ ସେହିଦିନ ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖରେ ଉତ୍ସବର ମୁଖ୍ୟ ଅତିଥି ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଶିଳାନ୍ୟାସ ଫଳକରେ ସକାଳ ୮.୦୦ ଘଣ୍ଟା ସମୟରେ ପୂଷ୍ପଗୁଚ୍ଛ ଅର୍ପଣ ପୂର୍ବକ ରାଜଧାନୀ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରି ସମବେତ ବେସାମରିକ ପରେଡରେ ଅଭିବାଦନ ଗ୍ରହଣ କରିବେ। ଉତ୍ସବ ପରିପ୍ରେକ୍ଷୀରେ ଅଭ୍ୟାସ ପରେଡ୍, ଛାତ୍ରଛାତ୍ରୀଙ୍କ ପରେଡ୍ ରେ ଅଂଶଗ୍ରହଣ ନିମନ୍ତେ ଯାତାୟତ ବ୍ୟବସ୍ଥା, ପାନୀୟଜଳ, ପରିମଳ ବ୍ୟବସ୍ଥା, ଯାନବାହନ ନିୟନ୍ତ୍ରଣ, ଆମ୍ବୁଲାନ୍ସ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ବେରିକେଡିଂ ବ୍ୟବସ୍ଥା, ପୋଲସ୍ ବ୍ୟାଣ୍ଡ ବାଦନ, ଉତ୍ସବ ସ୍ଥଳରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା, ପରେଡ୍ରେ ଅଂଶଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଭ୍ୟାସ ପରେଡ୍ ଏବଂ ମୁଖ୍ୟ ଉତ୍ସବ ଦିନପାଇଁ ୨ ଦିନ ବସ୍ ବ୍ୟବସ୍ଥା କରାଯିବ।

ରାଜଧାନୀରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଚଳିତ ବର୍ଷ ୭୫ଟି ପ୍ଲାଟୁନ୍ ଅଂଶଗ୍ରହଣ କରିବାକୁ ଥିବା ଜଣାଯାଇଛି । ପ୍ରତି ଦଳରେ ୩୨ ଜଣ ଛାତ୍ରଛାତ୍ରୀ କଲେଜ ଓ ସ୍କୁଲ ୟୁନିଫର୍ମ ସହ ଅଂଶ ଗ୍ରହଣ କରିବେ । ଶିଳାନ୍ୟାସ ଫଳକ ଓ ଉତ୍ସବ ସ୍ଥଳର ସାଜସଜ୍ଜା, ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୋଷ୍ଠୀଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ୧୩ ଜଣ ବ୍ୟକ୍ତି ବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର, କେନ୍ଦ୍ର ସରକାର, ବିଭିନ୍ନ ସରକାରୀ ଉଦ୍ୟୋଗ , ବେସରକାରୀ ଅନୁଷ୍ଠାନ ଏବଂ ରାଜଧାନୀରେ ଥିବା ବିଭିନ୍ନ ସ୍କୁଲ ଓ କଲେଜଗୁଡିକର କୋଠାକୁ ଆଲୋକମାଳାରେ ସଜ୍ଜିତ କରିବା ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ତତ୍ ସହିତ ଉତ୍ସବରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରାୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦଳ ପରିବେଷଣ କରିବେ । ଏଥି ସହିତ ପୂର୍ବାଂଚଳ ସାଂସ୍କୃତିକ ପରିଷଦ,କୋଲକାତା ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ମଧ୍ୟ ଅନୁରୋଧ କରାଯିବ । ଏ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁଷ୍ଠିତ କରାଯିବା ନେଇ ବିଭିନ୍ନ ଉପ କମିଟିମାନ ଗଠନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଗତବର୍ଷ ରାଜ୍ୟ ସ୍ତରୀୟ ବୈଠକର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଉତ୍ସବକୁ ଅଧିକ ଆକର୍ଷଣୀୟ ଭାବେ ଅନୁଷ୍ଠିତ କରିବାକୁ ଭୁବନେଶ୍ୱର ମହାନଗର ନିଗମ ସ୍ତରରେ ଅନ୍ୟଏକ ବୈଠକ କରାଯିବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ଭୁବନେଶ୍ୱର ମହାନଗର ନିଗମ ମେୟର, ଡେପୁଟୀ ମେୟର, ନିଗମର କମିଶନର ଏବଂ ରାଜଧାନୀର ସମସ୍ତ କର୍ପୋରେଟରଙ୍କ ଉପସ୍ଥିତିରେ ଉତ୍ସବକୁ ଅଧିକ ସରସ ସୁନ୍ଦର ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଭୁବନେଶ୍ୱର ମଣ୍ଡଳ ଉନ୍ନୟନ ଅଧିକାରୀ ସମ୍ପଦ କୁମାର ଦଳାଇ, ଏନ୍,ସି.ସି ଗ୍ରୁପ୍ କମାଣ୍ଡାଣ୍ଟ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍.କେ.ମିଶ୍ର, ଭୁବନେଶ୍ୱର ମହାନଗର ନିଗମ ଡେପୁଟୀ କମିଶନର ଅଶୋକ କୁମାର ଲେଙ୍କା, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ଏସିପି,ଟ୍ରାଫିକ୍ ସ୍ୱସ୍ତିକ୍ ପଣ୍ଡା, ଏସିପି ହେଡକ୍ୱାର୍ଟର୍ସ ଭରତ ଚନ୍ଦ୍ର ସାହୁ, ଓଏସଏପି-୭ମ ବାଟାଲିଅନ ଏସିପି ଶ୍ରଦ୍ଧାକର ଧରୁଆ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଭୁବନେଶ୍ୱର ତ୍ରିନାଥ ବେହେରା, ଆଂଚଳିକ ପରିବହନ ଅଧିକାରୀ (୧) ବିକାଶ ଚୌଧୁରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ,ଭୁବନେଶ୍ୱର ପଠାଣି ରାଉତ, ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ଡଃ. ପ୍ରଜ୍ଞାପାରମିତା ଜେନା, ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ପୂର୍ତ୍ତ, ଓ୍ୱାଟକୋ, ଜନସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ବିଭାଗ, ଭାରତ ସ୍କାଉଟ୍ ଓ ଗାଇଡ୍, ସେଣ୍ଟ ଜୋନ୍ସ ଆମ୍ବୁଲାନ୍ସ, ରେଡକ୍ରସ୍ ଆଦି ସଂପୃକ୍ତ ବିଭିନ୍ନ ଅନୁଷ୍ଠାନ ଏବଂ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକଙ୍କ ସମେତ ଭୁବନେଶ୍ୱରର ସମସ୍ତ ସ୍କୁଲ, କଲେଜର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଶେଷରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଉତ୍ସବର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଚଳିତ ବର୍ଷ ଓଡିଶା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନ ୨ୟ ମହଲା ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସବିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ଗୌରବ ବହନ କରୁଥିବା ଏହି ଉତ୍ସବକୁ ଅଧିକ ସରସ ସୁନ୍ଦର ଓ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ନେଇ ନୂଆ ନୂଆ ପଦକ୍ଷେପ ନେବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମସ୍ତଙ୍କଠାରୁ ପ୍ରସ୍ତାବ ଲୋଡିଥିଲେ।

ବୈଠକରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଭୁବନେଶ୍ୱର ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପାଓ୍ୱାର ପଏଣ୍ଟ ଉପସ୍ଥାପନ ମାଧ୍ୟମରେ ଚଳିତ ବର୍ଷ ଓଡିଶା ଦିବସ ପାଳନ ସଂପର୍କରେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ।

ବୈଠକର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଓଡିଶା ଦିବସ ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟ ନିକଟସ୍ଥ ଉତ୍କଳ ମଣ୍ଡପ ଠାରେ ପାଳନ କରାଯିବ। ସେହିପରି ଏହି ଦିବସ ଉପଲକ୍ଷେ ଏବର୍ଷ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଇତିହାସ ଓ ଓଡିଶାର ବରପୁତ୍ରମାନଙ୍କ ସଂପର୍କିତ ପ୍ରଦର୍ଶନୀ ଜୟଦେବ ଭବନରେ ଅନୁଷ୍ଠିତ ହେବ। ଏହି ପ୍ରଦର୍ଶନୀକୁ ଉତ୍କଳ ମଣ୍ଡପକୁ ସଂଧ୍ୟାରେ ଆସିବାକୁ ଥିବା ଦର୍ଶକ ଓ ଛାତ୍ରଛାତ୍ରୀମାନେ ଯେପରି ଦେଖି ପାରିବେ, ସେଥିପାଇଁ ଏଠାରେ ଇ-ପ୍ରଦର୍ଶନୀ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ଜିଲ୍ଲାସ୍ତରରେ ଏହି ଉତ୍ସବକୁ ଅଧିକ ଭଲ ଭାବେ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ “୫-ଟି” ରୂପାନ୍ତରିତ ସ୍କୁଲ ସମେତ ଅନ୍ୟ ସ୍କୁଲରେ ମଧ୍ୟ ଓଡିଶା ଦିବସ ଉତ୍ସବକୁ ଅଧିକ ଭଲ ଭାବରେ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ପରୀକ୍ଷା ସମୟ ହୋଇଥିବାକୁ ଏ କ୍ଷେତ୍ରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ବିଦ୍ୟାଳୟଗୁଡିକ ସହ ସମନ୍ୱୟ ରଖି ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଛାତ୍ରଛାତ୍ରୀମାନଙ୍କୁ ଓଡିଶାର ବରପୁତ୍ରମାନଙ୍କ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ପାଇଁ ସାମାଜିକ ଗଣମାଧ୍ୟର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅନ୍ୟ ଆଲୋଚନା ମଧ୍ୟରେ ଏପ୍ରିଲ ୧ ତାରିଖ ସକାଳ ୬ ରୁ ୭ ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପୂର୍ବକ ପ୍ରଭାତଫେରୀ, ସଂଧ୍ୟାରେ ୬ ଟାରେ ଉତ୍କଳ ମଣ୍ଡପ ଠାରେ ସାଧାରଣ ସଭା ଏବଂ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ, ନିରାପତ୍ତା ଓ ଯାନବାହନ ନିୟନ୍ତ୍ରଣ ବ୍ୟବସ୍ଥା, ସହରର ରାଜଭବନ, ବିଧାନସଭା ସୌଧ, ଲୋକସେବା ଭବନ, ଖାରବେଳ ଭବନ, ରବୀନ୍ଦ୍ର ମଣ୍ଡପ, ଜୟଦେବ ଭବନ ସମେତ ଅନ୍ୟାନ୍ୟ ସରକାରୀ କୋଠାଗୁଡିକର ଆଲୋକ ସଜ୍ଜା, ସଭାସ୍ଥଳ ପରିଚ୍ଛନ୍ନତା, ପାନୀୟ ଜଳ ବ୍ୟବସ୍ଥା, ଅଗ୍ମିଶମ ସେବା ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ।

ନୂଆ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ଉପଖଣ୍ଡ ସଦର ମହକୁମାରେ ଓଡିଶା ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ , ବିଭିନ୍ନ ସ୍ତରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ବକ୍ତୃତା ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ, ଭାରତୀୟ ରେଡକ୍ରସ, ଓଡିଶା ଶାଖା ତରଫରୁ ବିଭିନ୍ନ କ୍ଷେତ୍ରରେ ପୁରସ୍କାର ପ୍ରଦାନ, ଉତ୍କଳ ମଣ୍ଡପ ସାଜସଜ୍ଜା ଓ ତୋରଣ ନିର୍ମାଣ, ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଅତିଥିମାନଙ୍କୁ ନିମନ୍ତ୍ରଣ ସହ ଗଣମାଧ୍ୟମରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ , ସହରରେ ଥିବା ଓଡିଶାର ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିସ୍ଥଳ ସଫେଇ ଓ ମାଲ୍ୟାର୍ପଣ, ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶନ ଏବଂ ଉନ୍ମୋଚନ ଆଦି ସଂପର୍କରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ବଲଓ୍ୱନ୍ତ ସିଂ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ରନାଥ ପରିଡାଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନ ଉପସ୍ଥିତ ଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ବାଣପୁର: ଐତିହାସିକ ପଞ୍ଚୁଦୋଳ ନିମନ୍ତେ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ
ବାଣପୁର: ବୁଧବାର ଅପରାହ୍ନରେ ଚଳିତ ବର୍ଷ ହେବାକୁଥିବା ଐତିହାସିକ ପଞ୍ଚାଦୋଳ ନିମନ୍ତେ ପାଲଟନ ପଡିଆର ଛାୟା ମଣ୍ଡପ ଠାରେ ପଞ୍ଚୁଦୋଳ କମିଟି ସମ୍ପାଦକ ମାଧବ ବାରିକଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପସଭାପତି ଅମର କାଣ୍ଡିଙ୍କ ସଭାପତିତ୍ୱରେ ବୈଠକ ହୋଇଥିବା ବେଳେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବାଣପୁର ଏନଏ ସି ଅଧକ୍ଷ ମିଟୁ ନାୟକ, ଭଗବତୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବଳାମୁକୁନ୍ଦ ଦାସ, ସଂଗ୍ରାମ କେଶରୀ ସାହୁ, କୋଷାଧ୍ୟକ୍ଷ ନବ ପ୍ରଧାନ ଓ ଜୟ କୃଷ୍ଣ ପ୍ରଧାନଙ୍କ ସହ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କୋସାଧ୍ୟକ୍ଷ ବିଗତ ବର୍ଷ ମାନଙ୍କର ଆୟବ୍ୟୟର ହିସାବ ପଠନ କରିଥିବା ବେଳେ ଚଳିତବର୍ଷ ଐତିହାସିକ ପଞ୍ଚଦୋଳକୁ ସରସ ସୁନ୍ଦର କରିବାକୁ ସର୍ବ ସମ୍ମତ ଭାବେ ପ୍ରସ୍ତାବ ଗୃହୀତ ହୋଇଥିଲା। ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଥିବାରୁ ସମସ୍ତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇ କେବଳ ବିଧି ଅନୁଯାୟୀ ବିମାନ ପୂଜା କରାଯାଇଥିବା ବେଳେ ଭକ୍ତଙ୍କୁ ପଲଟନ ପଡିଆ ବାରଣ ଥିଲା। ଫଳରେ ହଜାର ହଜାର ଭକ୍ତ ଐତିହାସିକ ପଞ୍ଚଦୋଳ ଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲେ। ଏପରିକି ଆତସବାଜି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଥିଲା।

ତେବେ ଚଳିତ ବର୍ଷ ମାର୍ଚ୍ଚ ୧୨ ଓ ୧୩ ତାରିଖରେ ପଞ୍ଚୁଦୋଳ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ପୁନର୍ବାର ଧୁମଧାମରେ ପାଳନ କରାଯାଇ ଆଜିଠାରୁ ସମସ୍ତ ପ୍ରସ୍ତୁତି କରିବାକୁ ସଭା କମିଟିଙ୍କ ଉପରେ ନ୍ୟସ୍ତ କରିଥିଲା। ପଡିଆରେ ଅବସ୍ଥିତ ବିମାନ ପିଣ୍ଡି ସବୁ ଏନଏସି ପକ୍ଷରୁ ସୌନ୍ଦର୍ଯ୍ୟକରଣ ପାଇଁ ଏନଏସି ତରଫରୁ ୨୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିବାର ଅଧ୍ୟକ୍ଷ ମିଟୁ ନାୟକ ସଭାରେ ମତ ପ୍ରକାଶ କରିଥିଲେ।

ଉପସଭାପତି ଗୋପୀନାଥ ମହାରଣା ପଞ୍ଚୁଦୋଳ କମିଟି ମାଧ୍ୟମରେ ଯାହା ଉନ୍ନତିର ଆବଶ୍ୟକତା ଅଛି ତାହା ଯୁଦ୍ଧ କାଳୀନ ଭିତିରେ ସମ୍ପନ୍ନ କରାଯିବାକୁ ଦୃଢୋକ୍ତି ପ୍ରକାଶ କରିଥିଲେ। ଅନୁରୂପ ଭାବେ ବହୁ ଉଠା ଦୋକାନୀ ଗତ ଦୁଇ ବର୍ଷ ହେଲା ବାଣପୁର ପଞ୍ଚଦୋଳରେ ନିଜ ଦୋକାନ ପକାଇବା ପାଇଁ ଚାତକ ପରି ଚାହିଁ ରହିଥିବା ବେଳେ ଚଳିତ ବର୍ଷ ସେମାନଙ୍କୁ ମଧ୍ୟ ଅନୁମତି ମିଳିବ ବୋଲି କମିଟି ତରଫରୁ କୁହାଯାଇଛି।

ଆଗାମୀ ଦିନରେ କମିଟିର କର୍ମକର୍ତ୍ତା ମାନେ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି ସମସ୍ତ ରୂପରେଖ ପ୍ରସ୍ତୁତ କରିବାକୁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ତେବେ ଚଳିତ ବର୍ଷ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଉକ୍ତ କମିଟିର ସମ୍ମାନ ନିଶ୍ଚିତ ରଖିବା ସହ ଐତିହାସିକ ପଞ୍ଚଦୋଳକୁ ଧୁମଧାମରେ ପାଳନ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇଦେବ ବୋଲି କମିଟି ଓ ବାଣପୁରବାସୀ ଆଶା ରଖିଛନ୍ତି।